ୱାନ୍ ଷ୍ଟପ୍ ସେଣ୍ଟର(ସଖୀ)କୁ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଉ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମହିଳା ମାନଙ୍କ ଏକକାଳୀନ ସମାଧାନ କେନ୍ଦ୍ର (ୱାନ୍ ଷ୍ଟପ୍ ସେଣ୍ଟର) ସଖୀର ଦ୍ୱିତୀୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଜଣାଇ ଥିଲେ ଯେ, ସମସ୍ତଙ୍କ ମିଳିତ ସମନ୍ଵୟ ରକ୍ଷାକରି “ୱାନ୍ ଷ୍ଟପ୍ ସେଣ୍ଟର”ର କାର୍ଯ୍ୟ ଗୁଡିକ  ଦୂରାଦ୍ବୀତ କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଠାରେ ପ୍ରକାଶ ଥାଉ କି, ୨୦୧୮ ମସିହା ଅକ୍ଟୋବର ମାସ ଠାରୁ ନିର୍ଯ୍ୟାତିତା ମହିଳାଙ୍କ ପାଇଁ ଏକ କାଳୀନ ସମାଧାନ କେନ୍ଦ୍ର ଖୋଲା ଯାଇଛି । ଉକ୍ତ କେନ୍ଦ୍ରଟି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟ କରୁଛି । ଘରୋଇ ହିଂସା, ନିର୍ଯ୍ୟାତନାରେ ଶିକାର ହୋଇଥିବା ମହିଳା, ଯୌନ ଶୋଷଣର ଶିକାର, ବଳାତ୍କାର କିମ୍ବା ଅଶ୍ମିଳ ଆଚରଣ, ଅପହରଣ, ମିଥ୍ୟା ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ, ୧୮ ବର୍ଷରୁ କମ୍ ବୟସର ଝିଅଟିର ବିବାହ କିମ୍ବା ମହିଳା/ବାଳିକାଟି ସାଇବର ବେଆଇନି ଅପରାଧର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସେମାନଙ୍କର ଅଧୁକାର ନିମନ୍ତେ କାର୍ଯ୍ୟ କରି ଆସିଅଛି । ଏହି କେନ୍ଦ୍ରରେ ପୋଲିସ୍ ସହାୟତା, ଆଇନଗତ ସହାୟତା, ଚିକିତ୍ସାଗତ ସହାୟତା, ମନସ୍ତାତ୍ତିକ ଓ ସାମାଜିକ ପରାମର୍ଶ ସହ ସ୍ୱଳ୍ପକାଳୀନ ଆଶ୍ରୟର ବ୍ୟବସ୍ଥା ମଧ୍ୟ ରହିଅଛି । ଅଦ୍ୟାବଧୂ ସମୁଦାୟ ୪୪୩ ଗୋଟି ମୋକଦ୍ଦମା ରୁଜୁ ହୋଇ ୨୭୪ ଜଣ ମହିଳାଙ୍କ ମୋକଦ୍ଦମା ପରାମର୍ଶ ମାଧ୍ୟମରେ ସମାଧାନ କରାଯାଇପାରିଅଛି । ୧୩୦ ଗୋଟି ଅନ୍ୟାନ୍ୟ ମୋକଦ୍ଦମା ଗୁଡିକର ସମାଧାନ ହୋଇ ସେମାନେ ନିଜ ପରିବାର ମଧ୍ୟରେ ସୁଖ ଶାନ୍ତିରେ ରହିଛନ୍ତି । ସମ୍ପ୍ରତି ୩୪ ଗୋଟି ମୋକଦ୍ଦମାର ପୈସଲା ସ୍ଥିତିରେ ରହିଛି, ଯାହାର ସମାଧାନର ବାଟ ଖୁବ୍ ଶୀଘ୍ର ହେବ ବୋଲି ବୈଠକରେ ଜଣାପଡିଛି ଯେ, ଉକ୍ତ କେନ୍ଦ୍ରକୁ ସହାୟତା ନିମନ୍ତେ ଥିବା ମହିଳା କିମ୍ବା ବାଳିକା ମାନଙ୍କର ସୁରକ୍ଷା ଦିଗରେ ସମସ୍ତ ପ୍ରକାର ସହଯୋଗ ଅବିଳମ୍ବେ କରିବାକୁ ଜିଲ୍ଲାପାଳ ସମ୍ପୂର୍ଣ୍ଣ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ଅଧୁକାରୀ, ସମହୀତ ଶିଶୁ ବିକାଶ ଯୋଜନା ଅଧୁକାରୀ, ପୋଲିସ୍ ଅଧିକାରୀ ଗଣ ଉକ୍ତ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ଥିବା ପୀଡିତା ମାନଙ୍କୁ ପରାମର୍ଶ ଓ ସେମାନଙ୍କ ଭଲମନ୍ଦ ବୁଝିବାକୁ କହିଥିଲେ । ସେମାନଙ୍କ ମୋକଦ୍ଦମା ଗୁଡିକ ଠିକ୍ ସମୟରେ ସମାଧାନ ଯେପରି ହେବ ସେହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜଣାଇ ଥିଲେ । ଜିଲ୍ଲାର ଅନେକ ମହିଳା/ବାଳିକାଗଣ ପୀଡିତ ହେଉଛନ୍ତି । ସେମାନେ ଭୟ ଛାଡି ନିର୍ଭୟରେ ଯେପରି ଉକ୍ତ କେନ୍ଦ୍ରର ସହାୟତା ଗ୍ରହଣ କରିବେ ସେହିଭଳି ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇ “ୱାନ୍ ଷ୍ଟପ୍ ସେଣ୍ଟର”କୁ “ମୋ ସରକାର” ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କେନ୍ଦ୍ରର ପାରିପାର୍ଶିକ ବ୍ୟବସ୍ଥାର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ୱାନ୍ ଷ୍ଟପ୍ ସେଣ୍ଟରର ତଥ୍ୟ ଓ ସୂଚନା ପ୍ରଚାର ପ୍ରସାର ସୋସିଆଲ୍ ମିଡିଆ, ଗ୍ରାମ ପଞ୍ଚାୟତ, ପର୍ଯ୍ୟଟନ ସ୍ଥଳ, ଉଚ୍ଚ ଶିକ୍ଷା କେନ୍ଦ୍ର ଗୁଡିକରେ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ କୀର୍ଭିସନ୍, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମ୍.କେ.ସି.ଜିର ଡିନ୍ ଡଃ ଅବନୀ କାନ୍ତି ମିଶ୍ର, ଏମ୍.କେ.ସି.ଜିର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧୁକାରୀ ଡଃ ଆର୍ ଜଗଦୀଶ୍ ପଟ୍ଟନାୟକ, ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ରବି ନାରାୟଣ ବେହେରା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ୱାନ୍ ଷ୍ଟପ୍ ସେଣ୍ଟରର ନିର୍ଦ୍ଦେଶକ ତଥା ଆଇ.ଏସ୍.ଆର୍.ଡି.ର ସଭାପତି ସୁଧୀର ସାବତ, କେନ୍ଦ୍ରର ପ୍ରଶାସିକା ମହେଶ୍ଵେତା ପାଢୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା