୭୪ତମ ଜନରାଜ୍ୟ ଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହେବ !…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ୭୪ତମ ଜନରାଜ୍ୟ ଦିବସ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଚଳିତବର୍ଷ ପାଳିତ ହେବ । ଯାହାକି, ବିଗତବର୍ଷମାନଙ୍କରେ ଯେଉଁଭଳି ଭାବେ ପାଳନ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟକ୍ରମମାନ ସୁରୁଖୁରୁରେ ସମ୍ପାଦିତ ହେଉଥିଲା ସେହିଭଳି ପାଳିତ ହେବ । କୋରଣା କଟକଣା ଲାଗି ଗତ ୨୦୨୦ ମସିହାରୁ କଟକଣା ମଧ୍ୟରେ ପାଳିତ ହୋଇଆସିଥିଲା । କିନ୍ତୁ ଚଳିତ ବର୍ଷ ଏହି ଜାତୀୟ ଦିବସ ବିଗତ ପୂର୍ଵବର୍ଷମାନଙ୍କ ଭଳି ପାରମ୍ପରୀକ ପଦ୍ଧତି ମଧ୍ୟରେ ପର୍ଯ୍ୟାୟଭିତ୍ତିକରେ ଅଧିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ମହାସମାରୋହରେ ପାଳିତ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ମତପ୍ରକାଶ ପାଇଛି । ଚଳିତ ବର୍ଷ ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ଜାତୀୟ ଦିବସରେ ପରେଡ଼ ପଡ଼ିଆକୁ ଉପଭୋଗ କରିବାକୁ ଯିବେ ଏବଂ ପରେଡ଼ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଭାଗ ନେବେ, ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ନିଷ୍ପତ୍ତି ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ପୌରହିତ୍ୟରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ବିଗତବର୍ଷର ବିବରଣୀ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଉପରେ ଆଲୋଚନା କରି ବିଶଦ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ମାନ୍ୟବର ମୁଖ୍ୟଅତିଥୀଙ୍କ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପରେଡ଼ରେ ଉଦବୋଧନ, ପରେଡ଼ ପ୍ରଦୀକ୍ଷଣ ପରେ ମନୋନୀତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ/ଦଳ ତରଫରୁ ପିଟି-ଡ଼ିସପ୍ଲେ ଅବା ଚିତାକର୍ଷକ ଶାରୀରିକ କ୍ରୀଡା ପ୍ରଦର୍ଶନ, ପ୍ରଜ୍ଞାପନ-ମେଢ଼ ଏବଂ ମଧ୍ୟାହ୍ନରେ ଡିଆରଡିଏ ସମ୍ମିଳନୀ ଗୃହରେ ଛତ୍ରପୁର ସାହିତ୍ୟ ସଂସଦ ତରଫରୁ କବିତା ପାଠୋତ୍ସଵ, ସାହିତ୍ୟ ଆସର, ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନରେ ସାଂସ୍କୃତିକ ସନ୍ଧ୍ୟା ଆଦି ଆୟୋଜିତ ହେବ ବୋଲି ମତପ୍ରକାଶ ପାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା