୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଗାଇଡଲାଇନ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ମହାମାରୀ କୋରନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ୭୨ତମ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ କୋଭିଡ-୧୯ ନିର୍ଦେଶାବଳୀ ଅନୁଯାୟୀ ପାଳନ କରିବାକୁ ସରକାର ସ୍ଥିର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଜାନୁୟାରୀ ୨୬ ତାରିଖ ଦିନ ପ୍ରାତଃ ୮ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ମହାମହିମ ରାଜ୍ୟପାଳ ଗଣେଶି ଲାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ । ଏହି ସମାରୋହରେ ଆୟୋଜିତ ପରେଡ଼ରେ କେବଳ ଆରକ୍ଷୀ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ କୌଣସି ସ୍କୁଲ ବା କଲେଜର ଛାତ୍ରଛାତ୍ରୀ ମାନଙ୍କୁ ପରେଡ଼ରେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଛି । ଏପରିକି ସାଧାରଣ ଜନସାଧାରଣଙ୍କୁ ମଧ୍ୟ ପରେଡ଼ ସ୍ଥଳକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସୀମିତ ସଂଖ୍ୟକ ଅତିଥି ଓ କୋଭିଡ ଯୋଦ୍ଧାଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ସମାରୋହକୁ ନିମନ୍ତ୍ରଣ କରାଯିବ । ସମାରୋହରେ ରହିଥିବା ସମସ୍ତ ଅତିଥି ଓ କୋରନା ଯୋଦ୍ଧା ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିବେ । ସମାରୋହର ପ୍ରତ୍ୟେକ ପ୍ରବେଶ ପଥରେ ହାତକୁ ବିଶୋଧନ କରିବା ନିମନ୍ତେ ବିଶୋଧକ ଓ ଥର୍ମାଲ ସ୍କ୍ରିନିଙ୍ଗର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା