୬୦ନଂ ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ପିକ୍‌ଅପ୍ : ୧ ମୃତ ୨ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ଆରୁହା ଗ୍ରାମର ଗୋଟିଏ ପରିବାରର ତିନି ସଦସ୍ୟ ଏକ ବାଇକ୍‌ଯୋଗେ ଯାଉଥିବା ବେଳେ ୬୦ନଂ ଜାତୀୟ ରାଜପଥର ଟୋଲପ୍ଲାଜା ନିକଟ ନାଙ୍ଗୁଡସାହି ବାଇପାସ୍ ନିକଟରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ପଛପଟୁ ଏକ ପିକ୍‌ଆପ ଧକ୍କା ଦେବା ଫଳରେ ଜଣେ ମହିଳା ମୃତ୍ୟୁ ହେବା ସହିତ ୨ଜଣ ଗୁରୁତର ହୋଇ ପ୍ରଥମେ ଜିକେ ଭଟ୍ଟର ହସ୍‌ପିଟାଲ ଓ ପରେ ବାଲେଶ୍ୱର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଆଜି ମଂଗଳବାର ଦିବା ୧୦ ଘଟିକା ସମୟରେ ଅଶ୍ୱିନୀ ସାମଲଙ୍କ ସ୍ତ୍ରୀ ମମତା ସାମଲ(୩୦)ର ଭଉଣୀର ଶାଶୁଙ୍କ ମୃତ୍ୟୁ ଖବର ପାଇ ନିଜ ୩ବର୍ଷର ଝିଅକୁ ଓଡି୦୧ଏନ୍‌୯୨୭୧ ବାଇକ୍‌ରେ ବସାଇ ନାଙ୍ଗୁଡସାହି ଅଭିମୁଖେ ବାହାରିଥିଲେ । ମାତ୍ର ନାଙ୍ଗୁଡସାହି ବାଇପାସ୍ ନିକଟରେ ଓଡି୦୫ଏବି୯୫୫୫ ପିକ୍‌ଆପ୍ ଭେନ୍ ପଛପଟୁ ଜୋର୍‌ରେ ଧକ୍କା ଦେବା ଫଳରେ ମମତା ପିକ୍‌ଅପ୍ ଭ୍ୟାନ୍ ତଳେ ଚାପି ଯିବା ସହିତ ଝିଅ ଓ ତାର ସ୍ୱାମୀ ରାସ୍ତାକଡକୁ ଛିଟିକପଡିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିବାପରେ ଜିକେ ଭଟ୍ଟର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ମମତା ସାମଲକୁ ଡାକ୍ତର ମୃତ ଘୋଷଣା କରିଥିଲେ ।