୪ ଟ୍ରାକ୍ଟର ଜବତ୍‌ : ଚୋରା ବାଲି ଚାଲାଣକୁ ରୋକିବା ପାଇଁ ପୋଲିସ୍ ସ୍କୁାଡ ଗଠନ କରିବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅଧିନରେ ସୁବର୍ଣର୍ରେଖା ନଦୀର ୨୩ଟି ସୌରାତ ମଧ୍ୟରୁ ୪/୫ଟିକୁ ବାଦ୍ ଦେଲେ ଅନ୍ୟଗୁଡିକ ନିଲାମ ହୋଇ ପାରିନାହିଁ । କିନ୍ତୁ ପ୍ରତିଦିନ ଶହ ଶହ ଗାଡି ଚୋରାବାଲି ଧରି କେତେକ ମାଫିଆ ଚାଲାଣ କରି ଆସୁଥିବା ବେଳେ ଜିଲ୍ଲା ପ୍ରୟଶାସନ ନିର୍ଦ୍ଦେଶରେ ଜଳେଶ୍ୱର ତହସିଲଦାର ୧୪୪ ଧାରା ଜାରି କରିଛନ୍ତି । ତଥାପି ବାଲି ମାଫିଆମାନେ ବିଳମ୍ବିତ ରାତିରେ ଜେସିବି ଦ୍ୱାରା ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖୁଛନ୍ତି । ସେହିବାଲିକୁ କୋଟି କୋଟି ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି । ମାକିଡିଆ ଓ କୁଅଁରପୁରଠାରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଗତ ୪ ଦିନ ଧରି ବହୁ ଟ୍ରାକ୍ଟର ଦ୍ୱାରା ବାଲି ପଶ୍ଚିମବଂଗକୁ ଚାଲାଣ ହୋଇ ଆସୁଛି । ଏ ସମ୍ପର୍କରେ କେତେକ ବ୍ୟକ୍ତି ଉଚ୍ଚ ପ୍ରଶାସନକୁ ଖବର ପଠାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାଯାଇଛି । ମାକିଡିଆଠାରୁ କଣ୍ଟାପାଳ ଯାଏ ବାଲି ସୌରାତ ଗୁଡିକରେ ଏପରି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଗୋପ ଓ ରାୟାଁରାମଚନ୍ଦ୍ରପୁର ଠାରୁ ବ୍ୟାପକ ଚୋରା ବାଲି ଚାଲାଣ ବେଳେ ଜଳେଶ୍ୱର ତହସିଲ ପକ୍ଷରୁ ହଠାତ୍ ଚଢାଉ କରାଯାଇଥିଲା । ୪ଟି ଟ୍ରାକ୍ଟରକୁ ଜବତ୍ କରାଯାଇଥିବା ବେଳେ ଅନ୍ୟ କେତେକ ଖସି ପଳାଇଥିବା ଜଣାଯାଇଛି । ଜବତ୍ ହୋଇଥିବା ଟ୍ରାକ୍ଟର ଓଡି୧୭କ୍ୟୁ-୮୭୬୫, ଓଡି୦୧ଆଇ୪୧୩୨, ଓଡି୦୧ଜେ୧୫୨୭, ଓଡି୦୧ଏକ୍ସ୮୯୮୫ ବୋଲି ଜଣାଯାଇଛି । ପ୍ରକୃତପକ୍ଷେ ୧ଟ୍ରାକ୍ଟର ବାଲିର ମୂଲ୍ୟ ୫ଶହ ଟଙ୍କା ହୋଇଥିବା ବେଳେ ଏହା ଚୋରାରେ ୩ହଜାର ଟଙ୍କାରେ ବିକ୍ରି ହେଉଛି । ଆଜି ଗୋପଠାରେ ଜମାଥିବା ବାଲିକୁ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି । ଚୋରା ବାଲି ଚାଲାଣଙ୍କୁ ପ୍ରଶାସନ ରୋକ୍ ଲଗାଇ ପାରୁନଥିବାରୁ ପୋଲିସ୍ ସ୍କୁାଡ ଗଠନ କରିବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା