୧୪ମାସ ପରେ ଅନୁଷ୍ଠିତ ହେଲା ସାନଖେମୁଣ୍ଡି ପଞ୍ଚାୟତ ସମିତି ବୈଠକ : ଲୋକପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୀର୍ଘ ୧୪ ମାସ ପରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତିର ୪ଥ ବୈଠକ ଅନୁଷ୍ଠିତ ହୋଇଅଛି । ଅନୁଷ୍ଠିତ ଏହି ସାଧାରଣ ବୈଠକରେ ନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ସହିତ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତି ସଙ୍ଗୀତା ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସହିତ ସମିତି ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚସିନ ରହି ସମିତି ବୈଠକ ଆରମ୍ଭରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଫୁଲଯୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆୟୋଜିତ ସାଧାରଣ ବୈଠକରେ ଶୁଭାରମ୍ଭ କରିଥିଲେ । ସାଂସଦ ଓ ବିଧାୟକଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ ସହିତ ସ୍ବର୍ଗୀୟ ସାଂସଦ ଲଡୁକିଶୋର ସ୍ବାଇଁଙ୍କ ଉଦ୍ଦେଶ୍ୟରେ କିଛିକ୍ଷଣ ନୀରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଏହି ବୈଠକରେ ଆଲୋଚନା ଆରମ୍ଭରେ ସମସ୍ତ ସଦସ୍ୟ ଓ ଅଧିକାରୀଙ୍କ ପରିଚୟ ପ୍ରଦାନ ପରେ ସାଂସଦ ଓ ବିଧାୟକ ସରକାରଙ୍କ ଦ୍ଵାରା ପ୍ରଣୀତ ସମାଜ ମଙ୍ଗଳ ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ସହ ମିଶି ବ୍ଲକ ପ୍ରଶାସନ ତଥା ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମନ୍ୱୟତା ଉପରେ ଗୁରୁତ୍ୱରୋପ କରିଥିଲେ । ବିଡ଼ିଓ ଶ୍ରୀ ଶିବଶଙ୍କର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିପିଇଓ (GPEO) ଶ୍ରୀମତି ବୈଜନ୍ତି ମୁଣ୍ଡା ବିବରଣୀ ପଠନ କରିଥିଲେ । ଜନପ୍ରତିନିଧିଙ୍କ ଦ୍ଵାରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟଧାରର ସଫଳତା ନେଇ ଅନେକ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରାଯାଉଥିବାର ଦେଖିବାକୁ ମିଳିଥିଲା । ଆଲୋଚନା ବେଳେ ଗାଙ୍ଗପୁର ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ଗୌତମି ସରପଞ୍ଚ ଶ୍ରୀ ସୁଶାନ୍ତ ସ୍ୱାଇଁ, ଚୁଡୁଙ୍ଗପୁର ସମିତିସଭ୍ୟ ଇ. ମାଧବ ରାଓ ନିଜ ନିଜ ପଞ୍ଚାୟତରେ କରାଯାଇଥିବା ପାନୀୟଜଳ ପ୍ରକଳ୍ପ, ଆବାସ ଯୋଜନା, ସାମାଜିକ ସୁରକ୍ଷା ଜନିତ ଭତା, ରେସନ କାର୍ଡ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ପହଞ୍ଚି ଥିଲେ । କଙ୍କୋରଡା ସରପଞ୍ଚ ଶ୍ରୀ ପ୍ରଭାକର ପାଣିଗ୍ରାହୀ କରାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ବିଷୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ । ମାନ୍ୟବର ସାଂସଦ ଓ ବିଧାୟକ ସମସ୍ତ କାର୍ଯ୍ୟ ସମୀକ୍ଷାରେ ଅଂଶ ଗ୍ରହଣ କରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଉନ୍ନୟନ ମୂଳକ ତଥା ବିକାଶଶୀଳ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗୀତା ସହ ସମ୍ପନ୍ନ କରାଯିବାକୁ ଗୁରୁତ୍ୱରୋପ କରିଥିଲେ । ସମିତିର ଚଳିତ ସାଧାରଣ ବୈଠକ ସୂଚନାରୂପେ ଅନୁଷ୍ଠିତ ହୋଇଥିବାରୁ ବିଡ଼ିଓ ସମସ୍ତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀଙ୍କ ସହିତ ଉପସ୍ଥିତ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ନିଜ ବିଭାଗୀୟ କର୍ମଚାରୀଙ୍କ ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା