୧୧୮ ଦିନପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ…

ସମ୍ବଲପୁର (ସମୃଦ୍ଧ ଓଡିଶା)ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କୁ ହତ୍ୟା କରାଯିବାର ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଦାଖଲ କରିଛି। ବ୍ୟକ୍ତିଗତ ଆକ୍ରୋଶ ରଖି ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ସବ ଇନିସ୍ପେକଟର ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ମନ୍ତ୍ରୀ ନବଦାସଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକମାନେ ଦିନେ ନା ଦିନେ ବିପଦରେ ପକାଇପାରନ୍ତି ବୋଲି ଗୋପାଳ ଭାବୁଥିଲେ। ଗୋପାଳର ଜୀବନ ବିପଦାପନ୍ନ ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ତେବେ ନବ ଦାସ ଓ ତାଙ୍କ ସମର୍ଥକମାନେ କାହିଁକି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ଗୋପାଳ ଦାସ ମନେ କରୁଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କିଛି ଉଲ୍ଲେଖ କରାଯାଇ ନାହିଁ। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ। ତାଙ୍କର ବାଇପୋଲାର ଡିଜ୍‌ଅର୍ଡର ଅଛି ଓ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି। ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ।ପ୍ରଥମେ ଗୋପାଳକୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା। ପରେ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇ଼ଥିଲା। ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ। ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଦିନ ଦି ପ୍ରହରରେ ଜନଗହଳି ମଧ୍ୟରେ ପୋଲିସ ଗୁଳି କରି  ହତ୍ୟା କରିବା କିଛି ସାଧାରଣ କଥା ନୁହେଁ । ଅନ୍ୟପକ୍ଷରେ ନବ ଦାସଙ୍କୁ ହତ୍ୟା କରାଯିବା ପରେ ଚଳିତ ମାସରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ନବଙ୍କ ଝିଅ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି।