ହିଞ୍ଜିଳିକାଟୁରେ ୨ଦିନିଆ ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ କର୍ମଶାଳା କାର୍ଯ୍ୟକ୍ରମ…

ବ୍ରହ୍ମପୁର/ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୌର କାର୍ଯ୍ୟାଳୟରେ ୨ଦିନିଆ ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ କର୍ମଶାଳା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଅତିଥି ଭାବେ ଯୋଗଦେଇ ସହର, ଗାଁ ଓ ପ୍ରତି ଗଳିସାହି କିଭଳି ଅଧିକରୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର ହେବ ସେ ନେଇ ନିଜର ମତ ପୋଷଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ୪୨ଟି ପଞ୍ଚାୟତରୁ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରାଯିବ ସହ ଆଗକୁ ଅନ୍ୟ ପଞ୍ଚାୟତ ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା କିଭଳି ହେବ ସେ ନେଇ ସମସ୍ତ ସରପଞ୍ଚ ଓ ଯନ୍ତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ହିଞ୍ଜିଳି ପୌରାଞ୍ଚଳ ଅନ୍ତର୍ଗତ ନୂଆଁଗଡ଼ ଗ୍ରାମ ନିକଟରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଓ ମେମୋରିଆଲ ରିକଭରି ଫେସିଲିଟି ସେଣ୍ଟର ନିର୍ମାଣ ହୋଇଛି । ଏହାସହ ହିଞ୍ଜିଳି ପୌରାଞ୍ଚଳର ପ୍ରତି ୱାର୍ଡର ଉନ୍ନୟନ କାର୍ଯ୍ୟ, ଅନ୍ୟ କାର୍ଯ୍ୟ ନିମନ୍ତେ ସବୁ ବର୍ଗର ଲୋକଙ୍କୁ ନେଇ ପ୍ରତି ୱାର୍ଡ଼ରେ ୱାର୍ଡ ଉନ୍ନୟନ କମିଟି ଗଠନ କରାଯିବା ସହ ମୋ ୱାର୍ଡ଼ର ଲୋଗ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା