ହାଇସ୍କୁଲ ଖେଳପଡିଆ ସମସ୍ୟାର ୫ଟି ସଚିବଙ୍କ ନିର୍ଦ୍ଦେଶରେ ଡି.ଇ.ଓ କାର୍ଯ୍ୟାଳୟ କଲା ତଦନ୍ତ : ଜଳେଶ୍ୱରରେ ହଇଚଇ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟତମ ପୁରାତନ ସରକାରୀ ହାଇସ୍କୁଲ ଭାବେ ନୂଆବଜାରସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ବେସ୍ ପରିଚିତ । କିନ୍ତୁ ଏହାର ଖେଳ ପଡିଆକୁ ନେଇ ଉପୁଜିଥିବା ସମସ୍ୟା ପାଇଁ ରାଜ୍ୟ ୫ଟି ସଚିବଙ୍କ ଠାରେ ହୋଇଥିବା ଅଭିଯୋଗର ତଦନ୍ତ ଆଜି ବାଲେଶ୍ୱରର ଡିଇଓ ଅଫିସ୍ ଦ୍ୱାରା କରାଯାଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର ହାଇସ୍କୁଲ ପଡିଆ ଓ ତାର ନିକଟସ୍ଥ କେତେକ ଘରୋଇ ଜମିରେ ଜଳେଶ୍ୱରର ପ୍ରଗତିଶୀଳ ସଂଗଠନ ‘ଦି ସ୍ପୋର୍ଟସ୍ ଏଣ୍ଡ କାଲଚୁରାଲ ଏସୋସିଏସନ୍‌’ ପକ୍ଷରୁ ସୀମାନ୍ତ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା । କିନ୍ତୁ ଚଳିତବର୍ଷ ଆସୋସିଏସନ୍‌ର ଅନ୍ତଃଦ୍ୱନ୍ଦ ସୃଷ୍ଟି ହୋଇଥିଲା । ଫଳରେ ସୀମାନ୍ତ ମହୋତ୍ସବ ୨୦୧୯ ଡିସେମ୍ବର ମାସ ଶେଷ ସପ୍ତାହରେ ହେବାକୁ ଥିବା ବେଳେ ବିସ୍ଫରଣ ଘଟିଥିଲା । ପ୍ରତିବର୍ଷ ସରକାରୀ ସ୍ତରରେ ଆପାତତଃ ମହୋତ୍ସବ ହେବା ଲାଗି ଅନୁମତି ମିଳୁଥିବା ବେଳେ ଚଳିତବର୍ଷ ମିଳି ପାରି ନ ଥିଲା । ଏଥିନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝି ସ୍ପଷ୍ଟ ବାରି ହୋଇ ପଡୁଥିଲା । ପଡିଆରେ ମହୋତ୍ସବ ଲାଗି ପ୍ରସ୍ତୁତୀ ଶେଷ ହେବାକୁ ଯାଉଥିବା ବେଳେ ମହୋତ୍ସବ ହୋଇ ପାରି ନ ଥିଲା । ଏ ସବୁ ଘଟଣାକୁ ନେଇ କେତେକଙ୍କ କୁଶପୁତ୍ତଳିକା ଦାହ ହେବା ସହିତ ମାମଲା ଉପରକୁ କଥା ଯାଇଥିଲା । ଏହି ପଡିଆଟି ଶିକ୍ଷାବିଭାଗର ଅଧିନରେ ଥିବାରୁ ବିଭିନ୍ନ ପଦସ୍ତ କର୍ମକର୍ତ୍ତାଙ୍କ ଠାରେ ଆରୋପ, ପ୍ରତ୍ୟାରୋପ ହୋଇଥିବା ବେଳେ ଅଶୋକ କୁମାର ଦାସ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରବର୍ତ୍ତୀ ସମୟରେ ୫ଟି ସଚିବ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ଡିଇଓଙ୍କୁ ତଦନ୍ତ ରିପୋର୍ଟ ମଗାଯାଇଥିବା ପ୍ରକାଶ । ତେଣୁ ବାଲେଶ୍ୱର ଡିଇଓ ପ୍ରମୋଦ କୁମାର ଶଡଙ୍ଗୀଙ୍କ ନିର୍ଦ୍ଦେଶରେ ସ୍ପୋର୍ଟ ଅଫିସର ଅଶୋକ କୁମାର ନାୟକ ଆସି ଏଥି ସହିତ ସଂଲଗ୍ନ ବିଭିନ୍ନ ବ୍ୟକ୍ତିଙ୍କ ମତାମତ ସଂଗ୍ରହ କରିଥିଲେ । ଏହି ଘଟଣା ଜଣାଯିବା ପରେ ସମଗ୍ର ଜଳେଶ୍ୱର ଅଂଚଳରେ ଏକ ହଇଚଇ ସୃଷ୍ଟି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା