ସ୍ୱାସ୍ଥ୍ୟ ବିଭାଗୀୟ ଜିଲ୍ଲା ସମନ୍ଵୟ କମିଟି ବୈଠକ, ଗୋଦରଗୋଡ ମୁକ୍ତ ଜିଲ୍ଲା ସକାଶେ ସମସ୍ତ ପଦକ୍ଷେପ ନିଆଯିବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ସକାଶେ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଜୁମ୍ ଆପ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷପରି ଚଳିତଥର ମଧ୍ୟ ଘରକୁ ଘର ବୁଲି ବଟିକା ଖାଇବାକୁ ଦିଆଯିବ । କେବଳ ଗର୍ଭବତୀ ମହିଳା କିମ୍ବା କୌଣସି ରୋଗରେ ପିଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ବାଦ୍ ଦିଆଯାଇ ଏହି ଔଷଧ ବଣ୍ଟନ ହେବ ଏବଂ ଔଷଧ ଖାଇବା ଦିଗରେ ସୁନିଶ୍ଚିତ କରାଯିବ । ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଜିଲ୍ଲାରେ କେହି ଗୋଦରଗୋଡ ରହିବେ ନାହିଁ । ସେଥିଯୋଗୁଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଆସନ୍ତା ଫେବୃୟାରୀ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ କୃମି ନାଶକ ଦିବସ ପାଳନ ହୋଇ ବଟିକା ବିତରଣ କରାଯିବ । ଶୂନ ଠାରୁ ୨ବର୍ଷ ଶିଶୁଙ୍କୁ ଏହି ବଟିକା ପ୍ରଦାନ କରାଯିବ ନାହିଁ । ବିଗତ ବର୍ଷ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ୮୭ ପ୍ରତିଶତ ପୂରଣ ହୋଇପାରିଥିଲା । ଚଳିତ ଥର ଯେପରି ଶତପ୍ରତିଶତ ପୂରଣ ହେବ ସେଥିନିମନ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ପରେପରେ ଜିଲ୍ଲାରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ସକାଶେ ସମୀକ୍ଷା ହୋଇଥିଲା । ଜିଲ୍ଲାରେ ୧୮ ବର୍ଷ ପର୍ଯ୍ୟନ୍ତ ୨୭୨୨୯୦୬ଜଣଙ୍କୁ ଟିକା ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୨୪୬୭୮୫୮ଜଣଙ୍କୁ ପ୍ରଥମ ଟିକା ଏବଂ ୨୨୧୨୬୭୯ ଜଣଙ୍କୁ ଦ୍ବିତୀୟ ଟିକା ପ୍ରଦାନ କରାଯାଇଛି । ସେହିଭଳି ୧୫ ବର୍ଷ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ସମୁଦାୟ ୨୧୪୯୨୪ଜଣଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୧୫୩୫୨୧ ଜଣଙ୍କୁ ଟିକାକରଣ ଶେଷ ହୋଇଥିବା ସମୀକ୍ଷାରୁ ଜଣାପଡିଛି । ଟିକାକରଣ ପ୍ରକ୍ରିୟାକୁ ମନ୍ଥରଗତିରେ ନରଖି ସ୍ୱଳ୍ପ ସମୟ ମଧ୍ୟରେ ଯେପରି ସମସ୍ତ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଜଣେବି ଅଠରବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟିକାକରଣରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ବ୍ଲକ୍ ଗୁଡିକରେ କିଭଳି ଟିକାକରଣ ପ୍ରକ୍ରିୟା ଚାଲିଛି ସେସମ୍ପର୍କରେ ଲିଖିତ ଆକାରରେ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସମସ୍ତ ଉପଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ସମସ୍ତ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା