ସ୍ପ୍ରେଡ ହାପିନେସ ମଧୁଛନ୍ଦା ଗ୍ରୁପ ପକ୍ଷରୁ ଅନଲାଇନ ସାହିତ୍ୟ ଆସର…

ଭଞ୍ଜନଗର (ସମୃଦ୍ଧ ଓଡିଶା) ମହାରାଷ୍ଟ୍ରରେ ବାସ କରୁଥିବା କିଛି ସଚେତନ ଓଡିଆଙ୍କ ଦ୍ବାରା ୨୦୧୫ ମସିହାରୁ ଗଠିତ ହୋଇଥିବା ଏକ ରେଜିଷ୍ଟ୍ରେଡ ଅନୁଷ୍ଠାନ ହେଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ । ଓଡିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଶିକ୍ଷାର ପ୍ରଚାର ପ୍ରସାର ତଥା ସମାଜ ସେବା ପରି ମହତ କାର୍ଯ୍ୟ କରିବା ଏହାର ମୂଳ ଲକ୍ଷ୍ୟ । ଏହି ଅନୁଷ୍ଠାନଟି କରୋନା କଟକଣା ସମୟରେ ପ୍ରବାସୀ ଓଡିଆଙ୍କୁ ଘରବାହୁଡା ପାଇଁ ଟ୍ରେନର ବ୍ୟବସ୍ଥା କରିବା ସହ ଲୋକଙ୍କୁ କରୋନା ସଚେତନ କରିବା, ମାସ୍କ, ସାନିଟାଇଜର, ହେଲଥ କିଟ ଆଦି ବଣ୍ଟନ, ବନ୍ୟା, ବାତ୍ୟା ପ୍ରପୀଡିତଙ୍କୁ ସହାୟତା କରିବା, ଉତ୍ତମ ସ୍ବାସ୍ଥ୍ୟର ଯତ୍ନ, କୋଭିଡ ସଚେତନତା ନିମିତ୍ତ ନାନା ୱେବିନାରର ଆୟୋଜନ ଭଳି ବହୁତ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ ମାନ ହାତକୁ ନେଇସାରିଛି । ସଂପ୍ରତି ଏହି “ସ୍ପ୍ରେଡ ହାପିନେସ ଫାଉଣ୍ଡେସନ, ମହାରାଷ୍ଟ୍ର, ପୁନେ” ନିଜର ମଧୁଛନ୍ଦା ନାମକ ହ୍ବାଟସଆପ ଗ୍ରୁପରେ ଲଗାତାର ମାସିକ ଅନଲାଇନ ସାହିତ୍ୟ ଆସର ଜାରି ରଖି ଓଡିଆ ଭାଷାରେ କିପରି ଅଧିକରୁ ଅଧିକ ଗଳ୍ପ, କବିତା, ପ୍ରବନ୍ଧ, ଏକାଙ୍କିକା, ନାଟକ, ଉପନ୍ୟାସ ଆଦି ଲେଖାଯିବ ଓ ସାରସ୍ବତ ସ୍ରଷ୍ଟାଗଣଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ସେଥିପାଇଁ ଏହି କୋଭିଡ କଟକଣା ସମୟରେ ଏହି ନିଆରା କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଓଡିଆ ଭାଷାରେ କିପରି ନୂତନ କବି, ଲେଖକ ସୃଷ୍ଟି ହେବେ ଓ ବିଶ୍ବ ଦରବାରରେ ନିଜ ସାରସ୍ବତ କୃତୀଗୁଡିକର ପ୍ରଚାର ପ୍ରସାର କରି ଓଡିଆ ଭାଷାର ଶ୍ରୀବୃଦ୍ଧି କରିବେ ସେଥିପାଇଁ ଉତ୍ସାହିତ କରିବା ନିମିତ୍ତ ବିଭନ୍ନ ଅନଲାଇନ ପ୍ରତିଯୋଗିତା କରି ଡିଜିଟାଲ ପ୍ରଶଂସା ପତ୍ର ପ୍ରଦାନ କରି ଲେଖକ ଓ କବିଗଣଙ୍କ ଉତ୍ସାହ ବଢାଇବା ସହ ନିଜର ୱେବସାଇଟ ଓ ବ୍ଳଗରେ ଲେଖା ସବୁକୁ ପ୍ରକାଶ କରି ଦେଶ ବିଦେଶର ଓଡିଆ ପାଠକଙ୍କ ନିକଟରେ ପହଞ୍ଚାଇବାର ଏକ ନିଆରା ପ୍ରୟାସ ଜାରି ରଖିଛି । ଓଡିଶାରେ ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମ ସବୁକୁ ବ୍ୟାପକ କରିବା ସହ ଫଳପ୍ରଦ କରିବା ନିମିତ୍ତ ଲେଖକ ତଥା ଗ୍ରୁପ ସଦସ୍ୟ ଶ୍ରୀ ତ୍ରିନାଥ ବେହେରାଙ୍କୁ ଓଡିଶା କୋଡିନେଟର ରୂପେ ଏଇ ନିକଟରେ ଦାୟିତ୍ବ ପ୍ରଦାନ କରିବା କଥା ସଭାପତି ସୌମ୍ୟରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ସମାଜ ସେବା ମନୋଭାବ ରଖୁଥିବା ଓ ନିଜ ମାତୃଭୂମିର କଳା, ସଂସ୍କୃତି,ସାହିତ୍ୟ, ଶିକ୍ଷା ଆଦିର ପ୍ରଚାର ପ୍ରସାର ନମିତ୍ତ ଆଗ୍ରହି ବ୍ୟକ୍ତି ବିଶେଷଙ୍କ ଏକ ଅନୁଷ୍ଠାନ ହୋଇଥିବାରୁ ଯଦି କେହି ଏହି ଅନୁଷ୍ଠାନରେ ଯୋଗ ଦେଇ ମାଟି ମା’ର ସେବା କରିବାକୁ ଆଗ୍ରହି ସେମାନେ ଯୋଗାଯୋଗ କରିବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ଆଗକୁ ଗାଁ ଗାଁ’ରୁ କଳାକାର ମାନଙ୍କୁ ଖୋଜି ସେମାନଙ୍କୁ ନିଜ କୃତୀତ୍ବ ପାଇଁ ସମ୍ମାନିତ କରିବା ସହ କଳାକୃତୀ ଗୁଡିକର ପ୍ରଚାର ପ୍ରସାର କରିବା, ଗରିବ ଶ୍ରେଣୀର ପିଲାଙ୍କ ଶିକ୍ଷା ଲାଭରେ ସହାୟତା ତଥା ଲେଖକ ଓ କବିଗଣଙ୍କ ଲେଖା ସବୁକୁ ନେଇ ସାହିତ୍ୟ ପତ୍ରିକା ପ୍ରକାଶନ ଆଦି କାର୍ଯ୍ୟକ୍ରମମାନ କରିବାର ଯୋଜନା ଅଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।