ସ୍ଥାୟୀ ନିଯୁକ୍ତି ଦାବୀରେ ଟିସିପିଏଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାୟୀ ନିଯୁକ୍ତି ଦାବି ନେଇ ଗତ ଅଗଷ୍ଟ ୧୦ ତାରିଖ ଠାରୁ ଟାଟା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସୋମବାର ଦିନ ଆନ୍ଦୋଳନକୁ ତୀବ୍ର କରାଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଯୁବକ/ଯୁବତୀମାନଙ୍କ ସହ ଚମାଖଣ୍ଡି, କାଳୀପଲ୍ଲୀ, ବାସନାପୁଟି, ଜଗନ୍ନାଥପୁର, ଲକ୍ଷ୍ମୀପୁର, ବଡପୁଟି, ଭାଗିନିପେଣ୍ଠ ଓ ଆଗ୍ରାହରମ ଗାଁ କମିଟିର କର୍ମକର୍ତ୍ତାମାନେ ସାମିଲ ହୋଇ ଟିସିପିଏଲର ମୁଖ୍ୟ ଫାଟକ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦିନତମାମ ଧାରଣ ଦେଇଥିଲେ । ଟାଟା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ପରିସରରେ ସ୍ଥାୟୀ ନିଯୁକ୍ତି ସମେତ ୭ ଦଫା ଦାବି ନେଇ ତାଲିମପ୍ରାପ୍ତ ଶିକ୍ଷିତ ଯୁବକ/ଯୁବତୀମାନେ ଏହି ଆନ୍ଦୋଳନକୁ ୨୫ରୁ ଉର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନଥିବାରୁ ଆଗାମୀ ଦିନରେ ଶିକ୍ଷିତ ତାଲିମପ୍ରାପ୍ତ ଯୁବକଯୁବତୀ ହକ୍ ପାଇଁ ସପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ସୋମନାଥ ସାହୁ, ସିଏଚ୍‌. ବିକ୍ରମ ରେଡ୍ଡି, ଏନ୍‌. ଚାନ୍ଦ୍ରେୟା ରେଡ୍ଡି, ପି.ଦିକ୍ଷା ରେଡ୍ଡି, ସିଏଚ୍‌.ବଳରାମ ରେଡ୍ଡିଙ୍କ ସମେତ ବହୁ ଶିକ୍ଷିତ ଯୁବକଯୁବତୀ ସାମିଲ ଥିବାବେଳେ ଏହାକୁ ସମର୍ଥନ ଜଣାଇ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପି.ଚନ୍ଦ୍ରମଣି ପାତ୍ର, ସିଏଚ୍‌.ରଘୁନାଥ ରେଡ୍ଡିଙ୍କ ସମେତ ବହୁ ନେତା ସାମିଲ ହୋଇ ଟାଟା ବିରୋଧରେ ଗର୍ଜି ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷିତ ଯୁବକ/ଯୁବତୀଙ୍କ ସମସ୍ୟା ନେଇ ଆସନ୍ତା ୧୫ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା