ସୁରାଟରେ ହତ୍ୟାକାଣ୍ଡ : ପୋଲସରା ଥାନାରୁ ଗିରଫ…

ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ଗ୍ରାମର ଜଣେ ଯୁବକଙ୍କୁ ଗୁଜୁରାଟ ଥାନା ପୋଲିସ ପୋଲସରା ଥାନାରେ ପହଞ୍ଚି ଗିରଫ କରିଛନ୍ତି । ଏକ ନାଟକୀୟ ଢଙ୍ଗରେ ପୋଲସରା ଥାନାରେ ସଂପୃକ୍ତ ଯୁବକ ଅଟକ ରହିବା ପରେ ସୁରାଟରେ ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣା ପଡିଥିଲା । ସଂପୃକ୍ତ ଯୁବକ ଜଣକ ପାଣ୍ଡିରିପଡ଼ା ଗ୍ରାମର ରମେଶ ସେଠୀଙ୍କ ପୁଅ ସୁମନ୍ତ ସେଠୀ (୨୬) । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସୂଚନା ପ୍ରକାରେ ଗତ ଦୁଇଦିନ ପୂର୍ବରୁ ସୁମନ୍ତ ସେଠୀ ନିଜ ଘରେ ବୈଦୁତିକ ଆସବାବ ପତ୍ରକୁ ପୋଡ଼ିଦେଇଥିଲା । ଅଧିକ କିଛି ଅଘଟଣ ଘଟିବା ପୁର୍ବରୁ ପରିବାର ଲୋକେ ପାଣ୍ଡିରିପଡ଼ା ସ୍ଥିତ ପୋଲିସ ସହାୟତା କେନ୍ଦ୍ରକୁ ଖବର ଦେଇଥିଲେ । ପୋଲସରା ଥାନା ପୋଲିସ ପହଞ୍ଚି ସୁମନ୍ତକୁ ଆଣି ପୋଲସରା ଥାନାରେ ଅଟକ ରଖି ଜେରା କଲାବେଳେ ଗୁଜୁରାଟର ସୁରାଟ ଗ୍ରାମୀଣ କୁସୁମ୍ବା ପୋଲିସ ଥାନା ଅଞ୍ଚଳରେ ଗତବର୍ଷ ଘଟିଥିବା ଏକ ହତ୍ୟାକାଣ୍ଡର ଭିଡିଓରେ ସୁମନ୍ତ ଥିବା ଜଣାପଡିଥିଲା । ଏନେଇ ହତ୍ୟା ଘଟଣା ସମ୍ପର୍କରେ ପୋଲିସ ପଚାରିବାରୁ ସେ ସଂପୃକ୍ତ ଥିବା ସ୍ବୀକାର କରିଥିଲା । ଏହାପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଞ୍ଜାମ ଏସପିଙ୍କୁ ସମ୍ପୃକ୍ତ ଭିଡିଓ ଓ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଏସପି ଏହି ଘଟଣାକୁ ନେଇ ସୁରଥ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ସୁରଥ ଗ୍ରାମୀଣ କୁସୁମ୍ବା ପୋଲିସ ଥାନା ଅଞ୍ଚଳରେ ୧୫-୦୯-୨୧ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା । ଏନେଇ କୁସୁମ୍ବା ଥାନାରେ ୧୧୦୨/୨୧ ନମ୍ବରରେ ଏକ କେଶ୍ ରୁଜ୍ଜୁ ହୋଇଥଲା । ଗଞ୍ଜାମ ପୋଲିସର ସୂଚନା କ୍ରମେ କୁସୁମ୍ବା ଥାନା ଏସ୍ଆଇ ଏ.ଏଚ୍. ପଟେଲଙ୍କ ନେତୃତ୍ବରେ ଏକ ପୋଲିସ୍ ଟିମ୍ ପୋଲସରା ଥାନାରେ ପହଞ୍ଚି ଥିଲେ । ହତ୍ୟା ଘଟଣାର ତଥ୍ୟ ଓ ପ୍ରମାଣ ଆଧାରରେ ସୁମନ୍ତଙ୍କୁ ଗିରଫ କରି ନେଇଥିଲେ । ଉକ୍ତ ହତ୍ୟା ଘଟଣାରେ ସୁମନ୍ତଙ୍କ ନାମ ସୁନିଲ୍ ସେଠୀ ଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା