ସୁରତରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ । ଆଲୋଚନାରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଗୁଜୁରାଟରୁ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟରୁ ଦୁଇ ଦୁଇ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି କରାଯିବ । ମୁଖ୍ୟତଃ ସେମାନଙ୍କୁ ବସ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଅନ୍ୟ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ଓଡିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ଯାହାଦ୍ୱାରା କି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ଵାରେଣ୍ଟାଇନରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇ ପାରିବେ । ଗୁଜୁରାଟରୁ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସର ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ