ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ନେଇ ଏନ ଜି ଟିର ୨ୟଥର ପରିଦର୍ଶନ ଓ ସମୀକ୍ଷା…

ଜଳେଶ୍ୱର(ସମୃଦ୍ଧ ଓଡିଶା)ଦୀର୍ଘବର୍ଷ ଧରି ସୁବର୍ଣ୍ଣରେଖାର ଉଭୟ ପାଶ୍ୱର୍ରେ ବେଧଡକ ଓ ବେଆଇନ୍ ବାଲି ଉତ୍ତୋଳନ ଓ ଚାଲାଣ ହୋଇ ଆସୁଥିବା ବେଳେ ଏଣିକି ଏନ୍ଜିଟିର ଛାଟ ଦ୍ୱାରା ଏବେ ସମଗ୍ର ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ୨ୟ ଥର ପାଇଁ ଏନ୍ଜିଟିର ନିର୍ଦ୍ଦେଶକ୍ରମେ ଏକ ୬ଜଣିଆ ଟିମ୍ ଦୀର୍ଘ ସମୟ ଧରି ଓଡିଶା ଓ ପଶ୍ଚିମବଂଗର ବିଭିନ୍ନ ସ୍ଥାନ ବୁଲି ଏ ସବୁ ସଂପର୍କରେ ସମୀକ୍ଷା କରିଥିଲେ । ଆଜି ପୂର୍ବାହ୍ନରେ କୋଲକତାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ନିର୍ଦ୍ଦେଶକ ଡ. ଆର୍.ସି ସାକ୍େସନା, ଦିଲ୍ଲୀର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ (ଡି) ଡ. ରୀତା ଶାହା, ପଶ୍ଚିମବଂଗର ପଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ. ପି.କେ ବୋରାଇ, ଧାନବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ ଅଫ ମାଇନ୍ସର ଅତିରିକ୍ତ ପ୍ରଫେସର ବିଶ୍ୱଜିତ୍ ପାଳ, ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ କାଉନ୍ସିଲ ଫର୍ ଫରେଷ୍ଟ ରିସାର୍ଚ ଏଣ୍ଡ ଏଡୁକେସନ୍ର ମୁଖ୍ୟ ଡ. ରତ୍ନାକରନ୍, ଭୂବନେଶ୍ୱରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ମୁଖ୍ୟ ଯନ୍ତ୍ରୀ ନିହାର ରଂଜନ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନ ବୁଲିଦେଖିଥିଲେ । ବାଲେଶ୍ୱର ଜିଲା ଅତିରିକ୍ତ ଜିଲାପାଳ ମାନସ ରଂଜନ ପାଢୀ, ଜଳେଶ୍ବର ତହସିଲଦାର ଅଭିମନ୍ୟୁ ପଣ୍ଡା, ଏସ୍ଡିପିଓ ରାମଚନ୍ଦ୍ର ଗୌଡୁ, ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ପ୍ରମୁଖ ସେମାନଙ୍କ ସହିତ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ସେମାନେ ସୀମାନ୍ତବର୍ତ୍ତୀ ମାକିଡିଆ, କୁହଁରପୁର, ବେହେରାସାହି, ତୋଟାପଡା, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର, ମକ୍ରାମପୁର, ଗୋବରଘଟ୍ଟା, ମହମ୍ମନଗରପାଟଣାର କ,ଖ,ଗ,ଘ, ସେଖସରାଇର କ, ଖ ଇତ୍ୟାଦି ବାଲି ସୈରାତ ବୁଲି ଦେଖିବା ସଂଗେ ସଂଗେ ପରିବେଶ ସଂପର୍କୀତ ଆଇନ୍ ଉଲଙ୍ଘନ ହେଉଛିକି ନାହିଁ ତାହା ଯାଞ୍ଚ କରିଥିଲେ । ସେମାନେ ପଶ୍ଚିମବଂଗର ଦାନ୍ତୁନ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ବାଲି ସୈରାତ ଗୁଡିକର ବିଭିନ୍ନ ଅଂଚଳ ବୁଲିଦେଖିବା ସହିତ ବି.ଏଲ ଆର୍.ଓ ଅଧିକାରୀ ଉପସ୍ଥିତ ରହି ସମୀକ୍ଷା କାର୍ଯ୍ୟକୁ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ୯୦ ଦଶକରୁ ଉପରୋକ୍ତ ଅଂଚଳରୁ ବେଆଇନ୍ ଓ ବେଧଡକଭାବେ ସ୍ୱମ୍ପ ପମ୍ପ ଦ୍ୱାରା ବାଲି ଉତ୍ତୋଳନ କରାଯାଇ ପଶ୍ଚିମବଂଗର ବିଭିନ୍ନ ସ୍ଥାନକୁ ଚଢା ଦରରେ ବିକ୍ରି କରି ମୁନାଫା ଉଠାଉଛନ୍ତି । ନଦୀକୂଳ ଗ୍ରାମଗୁଡିକରେ ବ୍ୟାପକ ଅତଡା ଖସିବା, ଭୁ କମ୍ପନ, ଭୁ ସ୍ଖଳନ ଓ ନଦୀର ଗତିପଥ ପରିବର୍ତ୍ତନ ହୋଇ ଆସୁଥିବାରୁ ନଦୀକୂଳ ଗ୍ରାମବାସୀମାନେ ତାଙ୍କର ଧନଜୀବନ ଓ ଜିବୀକା ହରାଇ ଆସୁଛନ୍ତି । ମାତ୍ର ଏଥିରୁ ପ୍ରତିଦିନ ଓଡିଶା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇ ଆସୁଥିବା ବେଳେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ମାନଙ୍କର କାର୍ଯାନୁଷ୍ଠାନ ହେଉନଥିଲା । ନଦୀକୂଳ ଗ୍ରାମବାସୀମାନଙ୍କର ଅଭିଯୋଗ କ୍ରମେ ଏବଂ ପରିସ୍ଥିତିକୁ ଲକ୍ଷ୍ୟକରି ସମାଜସେବୀ ସୁଦର୍ଶନ ଦାସ ଏନ୍ଜିଟିରେ ଆଶ୍ରୟ ନେଇଥିଲେ । ଫଳରେ ଗତ ସେପ୍ଟେମ୍ବର ୪ ତାରିଖରେ ଏନ୍ଜିଟି କେନ୍ଦ୍ରୀୟ ଟିମ୍ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ସମୀକ୍ଷା, ତଦନ୍ତ କରିବା ସହିତ ଏହି କାର୍ଯ୍ୟରେ ନିୟୋଜିତ ଯନ୍ତ୍ରାଂଶକୁ ଜବତ୍ କରିବାକୁ ଐତିହାସିକ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଗତ ଡିସେମ୍ବର ୨୦ତାରିଖରେ ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ପଦସ୍ଥ ଟିମ୍ ଏହି ସବୁ ଅଂଚଳ ପରିଦର୍ଶନ କରି ଏନ୍ଜିଟିକୁ ରିପୋର୍ଟ ଦେବାପରେ ଆଜି ୨ୟ ପର୍ଯ୍ୟାୟରେ ୬ଜଣିଆ ଟିମ୍ ପରିଦର୍ଶନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା