ସାନଖେମୁଣ୍ଡି ବିଜେଡିର ଜୋନ କମିଟି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସାନଖେମୁଣ୍ଡି ବିଜେଡିର ଏକ ଜୋନ ସ୍ତରୀୟ ସାଂଗଠନିକ ବୈଠକ ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ମହିଳା ବିଜେଡି ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ପୋଲସରା ବିଧାୟକ ଶ୍ରୀକାନ୍ତ ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ରାଜ୍ୟ ବିଜେଡିର ସୁବାସ ମହାରଣା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ସାନଖେମୁଣ୍ଡି ବିଜେଡି ସଂଗଠନର କାର୍ଯ୍ୟକର୍ତ୍ତା ଓ ଦଳୀୟ ଜନ ପ୍ରତିନିଧି ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡ଼ିର ସଫଳତାକୁ ନେଇ ଆଲୋଚନା କରିଥିଲେ । ଦଳୀୟ ଅନୁଶାସନରେ ରହି ଶୃଙ୍ଖଳାର ସହିତ ଦଳର ହିତ ପାଇଁ ହୀନମନ୍ୟତା ଭୁଲି ସମନ୍ଵୟତା ରକ୍ଷା ସହିତ ତୃଣମୂଳ ସ୍ତରରେ ପ୍ରଣୟନ କରାଯାଉଥିବା ନବୀନ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ପାଥେୟ କରି ସାଧାରଣରେ ବିଜେଡି ପ୍ରତି ଥିବା ଆକୃଷ୍ଟତାକୁ ଦୋହରାଇବାକୁ ଉପସ୍ଥିତ ଦଳୀୟ ପର୍ଯ୍ୟବେକ୍ଷକ କର୍ମୀ ଓ କର୍ମକର୍ତ୍ତାଙ୍କୁ ଅନୁପ୍ରାଣିତ କରିଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗିନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବ୍ଲକ୍ ବିଜେଡି ସଭାପତି ଧୋବା ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ଅମିନ ପ୍ରଧାନ, ବରିଷ୍ଟ ବ୍ଲକ୍ ବିଜେଡି ବ୍ୟକ୍ତିତ୍ଵ ସୁବାସ ମହାପାତ୍ର ପ୍ରମୁଖ ନିଜ ନିଜ ଅଭିଭାଷଣରେ ବ୍ଲକ୍ ବିଜେଡି ସଙ୍ଗଠନର ଦୂରାବସ୍ଥା, ଦଳୀୟ କର୍ମୀ ଓ ସଂଗଠକଙ୍କ ଦୂରାବସ୍ଥାକୁ ନେଇ ମାନସ ମନ୍ଥନ କରିଥିବା ବେଳେ ପର୍ଯ୍ୟବେକ୍ଷକ ତଥା ଦାୟିତ୍ଵରେ ଥିବା ଦଳୀୟ ବିଧାୟକ ଏବଂ ରାଜ୍ୟ ନେତୃବୃନ୍ଦ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଅନୁପ୍ରାଣିତ କରିଥିଲେ । ଏହି ଅବସରରେ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର, ଛଣମେରି ଏବଂ କଂସାମାରୀ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଜୟରାମ ଦୋରା, ଡେଙ୍ଗାଉସ୍ତା ମଠ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ ଏବଂ ଟୁକୁନା ରଥଙ୍କ ନେତୃତ୍ୱରେ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ, ନୀଳମାଧବ ରାଉତ, ସହଦେବ ପ୍ରଧାନ ସଞ୍ଜୟ ରାଉତ ପ୍ରମୁଖଙ୍କ ସହିତ ବ୍ଲକ୍ ସ୍ତରୀୟ ବିଜେଡି କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା