ସରପଞ୍ଚମାନଙ୍କ ସହିତ ଜିଲ୍ଲାପାଳଙ୍କ ବିଚାର ବିମର୍ଷ:ବାହାର ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଲକଡାଉନ ସମାପ୍ତ ପରେ ବାହାର ରାଜ୍ୟ ଫେରନ୍ତାଙ୍କୁ କିପରି ପରିଚାଳନା କରାଯିବ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ବିଚାର ବିମର୍ଷ କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ଏହାକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ବାହାରେ ଗଞ୍ଜାମର ଯେଉଁ ଲୋକମାନେ ଥିବେ ଏବଂ ମଇ ୩ ତାରିଖ ପରେ ପ୍ରତ୍ୟାବର୍ତ୍ତନ କରିବେ ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ । ଯେଉଁମାନେ ଫେରିବାକୁ ଇଚ୍ଛୁକ ସେମାନେ ସମ୍ପୃକ୍ତ ସରପଞ୍ଚଙ୍କ ପାଖରେ ଆଗୁଆ ନାମ ପଞ୍ଜିକରଣ କରିବେ । ଯେଉଁମାନେ ପଞ୍ଜିକରଣ ନ କରି ଜିଲ୍ଲାକୁ ଫେରିବାକୁ ଚାହିଁବେ ସେମାନଙ୍କୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ । ଫେରନ୍ତା ବ୍ୟକ୍ତି ସିଧା ପଞ୍ଜିକରଣ କରିଥିବା ପଞ୍ଚାୟତର ନିରୁପିତ କ୍ଵାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚିବେ । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଅସୁବିଧା ଥିଲେ ନମୁନା ଅଧିକ ପରୀକ୍ଷା ପାଇଁ ପଠାଯିବ । ସେଠାରେ ତାଙ୍କୁ ୧୪ ଦିନ କ୍ଵାରେଣ୍ଟାଇନରେ ରଖାଯିବ । ସକାଳେ, ମଧ୍ୟାହ୍ନରେ ଓ ସନ୍ଧ୍ୟାରେ କ୍ଵାରେଣ୍ଟାଇନ ବ୍ୟକ୍ତିଙ୍କ ଉପସ୍ଥାନ ସୁନିଶ୍ଚିତ କରାଯିବ । ସେମାନେ ପରିବାରର ଲୋକମଙ୍କୁ ସହିତ ମିଶି ପାରିବେ ନାହିଁ । ଯେଉଁମାନେ କ୍ଵାରେଣ୍ଟାଇନ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ସରପଞ୍ଚ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ କରିପାରିବେ । ପ୍ରତ୍ୟେକ କ୍ଵାରେଣ୍ଟାଇନ ବ୍ୟକ୍ତିଙ୍କୁ ମାଗଣା ଖାଇବା ପିଇବା ବ୍ୟବସ୍ଥା କରାଯିବ ଏବଂ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । କ୍ଵାରେଣ୍ଟାଇନ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ପ୍ରଦାନ କରି ନିଜ ଘରକୁ ପଠାଇ ଦିଆଯିବ । କ୍ଵାରେଣ୍ଟାଇନରେ ରହିବା ପାଇଁ କୌଣସି ବୟସ ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ପଞ୍ଚାୟତ ଅଧିନସ୍ଥ ଶିକ୍ଷାନୁଷ୍ଠାନ, ରାଜୀବଗାନ୍ଧୀ ସେବାକେନ୍ଦ୍ର, କଲ୍ୟାଣ ମଣ୍ଡପ, ଘରୋଇ ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ କ୍ଵାରେଣ୍ଟାଇନ କେନ୍ଦ୍ର ଭାବରେ ଅଧି ଗ୍ରହଣ କରାଯିବ । ଏହା ରହିବା ପାଇଁ ଯଥେଷ୍ଟ ନ ହେଲେ ଟେଣ୍ଟ ପକାଇ ସାମୟିକ ରହଣୀସ୍ଥଳୀ ବ୍ୟବସ୍ଥା କରାଯିବ । ସେଠାରେ ପରିସ୍କାର ପରିଚ୍ଛନ୍ନତା, ସାନିଟାଇଜେସନ, ବିଦ୍ୟୁତ, ପାନୀୟଜଳ, ଶୌଚାଳୟ ସୁନିଶ୍ଚିତ କରାଯିବ । ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ ରହିବ । ସ୍ୱତନ୍ତ୍ର ରୋଷେଇଆ ବ୍ୟବସ୍ଥା ହେବ । ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାର ପ୍ରତ୍ୟେକ କ୍ଵାରେଣ୍ଟାଇନ କେନ୍ଦ୍ରକୁ ଦୈନିକ ଠାରେ ଲେଖାଏଁ ପରିଦର୍ଶନ କରିବେ । ପଞ୍ଚାୟତରେ ଆଇନ ଶୃଙ୍ଖଳା ତହସିଲଦାର ଅନୁଧ୍ୟାନ କରିବେ । ସରପଞ୍ଚମାନେ ୩୦ ବର୍ଷରୁ କମ ଦଶ ଜଣ ମହିଳା ଏବଂ ଦଶ ଜଣ ପୁରୁଷଙ୍କୁ ଚିହ୍ନଟ କରି ତାଙ୍କୁ କରୋନା ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ତାଲିମ ଦେବେ । ମୁଖ ଆବୃତ କରି ନ ଥିଲେ, ବାହାରେ ଛେପ ପକାଇଲେ, ପୋଖରୀରେ ଗାଧୋଇଲେ, ସାମାଜିକ ଦୂରତ୍ୱ ବଜାୟ ନ ରଖିଲେ, ମାସ୍କ ନାହିଁ ତା ସଉଦା ନାହିଁ ନ ଲେଖିଲେ, ପାନ ଗୁଟଖା ବିକିଲେ, ପଞ୍ଚାୟତ କଥା ଅବମାନନା କଲେ ସରପଞ୍ଚ ତାଙ୍କୁ ଜୋରିମାନା କରିବା ସହିତ ତାଙ୍କ ନାମରେ ଏତଲା ଦାୟର କାରପାରିବେ । କୌଣସି ବ୍ୟକ୍ତିର ଥଣ୍ଡା କାଶ ପରି ଲକ୍ଷଣ ଦେଖା ଦେଲେ ସରପଞ୍ଚ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇବା ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ନରେଗା କାମ ଚାଲୁଥିବାରୁ ସେଠାରେ ଶ୍ରମିକ ମାନଙ୍କ ସୁବିଧା ସରପଞ୍ଚ ଦେଖା ରଖା କରିବେ । ମହାମାରୀ ଏବଂ ବିପର୍ଯ୍ୟୟ ପରିଚାଳନା ନିୟମ ମୁତାବକ ସରପଞ୍ଚ ମାନଙ୍କୁ କେତେକାଂଶର ଜିଲ୍ଲାପାଳଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାରୁ ସେମାନେ ଏହାର ସଦ ବ୍ୟବହାର କରିବେ ଏବଂ ଅସଦ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଗଞ୍ଜାମ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା