ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୪୧ ଦିନରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୪୧ ଦିନରେ ଆଜି ପହଁଚିଛି । ଏହି ଅବସରରେ କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କିନ୍ତୁ ସେମାନଙ୍କ ପେଟର ଭୋକ କଥା ବୁଝିବେ କେବେ ବୋଲି ପ୍ରଶ୍ନ କରିଛନ୍ତି ଚୁକ୍ତିଭିତ୍ତିକ ମହାସଂଘ । ଏହାସହ କୋଭିଡ୍ ଯୋଦ୍ଧା ମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ନୀରବ ପ୍ରାର୍ଥନା ସହ ଶପଥ ପାଠ ପାଇଁ ଧନ୍ୟବାଦ, ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ପ୍ରଶଂସା ଜଣାଇଲେ ସତ କିନ୍ତୁ କରୋନା ଯୋଦ୍ଧା ଆଜି ବି ଉପଯୁକ୍ତ ପ୍ରାପ୍ୟର ପାତ୍ର ହୋଇପାରିଲେ ନାହିଁ । ଦୀର୍ଘ ୫ ମାସ ଧରି ହଜାର ହଜାର ଚୁକ୍ତିଭିତ୍ତିକ କରୋନା ଯୋଦ୍ଧା ମାନେ ଦିନରାତି ଅହରହ ପରିଶ୍ରମ କରି ନିଜ ଜୀବନକୁ ଓଡିଶାବାସୀଙ୍କ ନିକଟରେ ଉତ୍ସର୍ଗ କରି ଦେଇଛନ୍ତି । ଓଡ଼ିଶାର କରୋନା ଯୋଦ୍ଧା ମାନେ ଦେଶ ତଥା ବିଶ୍ୱ ସ୍ତରରେ ଅଶେଷ ସମ୍ମାନର ପାତ୍ର ହେଲେ ମଧ୍ୟ ରାଜ୍ୟ ସ୍ତରରେ ନିଜ ହକ୍ ପାଇବାରୁ ଆଜି ବି ବଞ୍ଚିତ । ଯଦି କରୋନାର ତାଣ୍ଡବ ସମୟରେ ଅନେକ ବାଧା, ପ୍ରତିବନ୍ଧକ ସତ୍ତ୍ୱେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟରତ ହୋଇ ପାରୁଛନ୍ତି, ତେବେ ଏହି ସମୟରେ କର୍ମଚାରୀମାନେ ନିଜ ପ୍ରାପ୍ୟରୁ ବଞ୍ଚିତ ହେବା ନିହାତି ଦୁଃଖର ବିଷୟ । ଉଚିତ୍ ନିୟମ ପ୍ରକ୍ରିୟାରେ ଷ୍ଟାଫ ସିଲେକ୍ସନ କମିଶନ ତଥା ସିଲେକ୍ସନ ବୋର୍ଡ ଭଳି ଆନୁଷ୍ଠାନିକ ଚୟନ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ଅନେକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଇଥାନ୍ତି । ତଥାପି ରାଜ୍ୟ ସରକାରଙ୍କ ଯୁବ କର୍ମଚାରୀଙ୍କ ପ୍ରତି ଏଭଳି ପାତରଅନ୍ତର ଭାବନା ପ୍ରକୃତରେ ଅଶୋଭନୀୟ ବୋଲି ଅଭିଯୋଗ କରାଯାଇଛି ।ଏହାସହ ତଥାପି ସରକାର କାହିଁକି ଏଭଳି କଳୁଷିତ ପ୍ରଥାର ଅନ୍ତ ନ କରି ସପ୍ତମ ବେତନ ଲାଗୁ କରୁନାହାନ୍ତି, ତାହାର କାରଣ ଆଜି ବି ଗୋପନୀୟ । ଚୁକ୍ତିଭିତ୍ତିକ କରୋନା ଯୋଦ୍ଧା ପାଉଥିବା ୮୦୦୦-୧୦୦୦୦ ଟଙ୍କା ବେତନ ତ ନିଜକୁ ନିଅଣ୍ଟ ସେ ପରିବାର କଥା କଣ ବୁଝିବ । କଣ କେବଳ ଦୁଇ ପଦ ପ୍ରଶଂସାରେ କରୋନା ଯୋଦ୍ଧା ତଥା ସେମାନଙ୍କ ପରିବାର ଲୋକଙ୍କ ଭୋକ ମେଣ୍ଟିଯିବ ? ଯଦି ସରକାର ସେମାନଙ୍କ ପେଟ କଥା ବୁଝିବେ ନାହିଁ ତେବେ ଆଉ ବୁଝିବ କିଏ ? ଏହି ଚୁକ୍ତିଭିତ୍ତିକ ଉଛେଦ ଦାବିରେ ଯୁବ କର୍ମଚାରୀମାନେ ଦୀର୍ଘ ୪୧ ଦିନ ଧରି ଡିଜିଟାଲ ଆନ୍ଦୋଳନ ତଥା ଇ ଅଭିଯୋଗ ଜରିଆରେ ନିଜ ହକ୍ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ନାଲି ଆଖି ନ ଦେଖାଇ ଯଥାଶୀଘ୍ର ଏ କୁତ୍ସିତ ପ୍ରଥାର ଉଚ୍ଛେଦ ନ କରିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଓ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ଚେତାବନୀ ଦେଇଥିବା ଏକ ପ୍ରେସ ବ୍ରିବୃତିରେ କହିଛନ୍ତି ବୋଲି ସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ