ସଚେତନତା, ସତର୍କତା ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କିଛି ଦିନ ତଳେ କୋଭିଡ ସଂକ୍ରମଣ ସଂଖ୍ୟା ୧ କିମ୍ବା ୨ ମଧ୍ୟରେ ସୀମିତ ରହୁଥିଲା । ଗତକାଲିର ରିପୋର୍ଟ ଅନୁସାରେ ସଂକ୍ରମଣ ବୃଦ୍ଧି ପାଇ ୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରୁ ଜଣାପଡୁଛି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାର ଏବଂ କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରିଥିବା ନୀତି ନିୟମର ଅନୁପାଳନ କରୁନାହାନ୍ତି । ଏହି ହେତୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଲକ୍ଷ କରାଯାଇଛି । ଏହି ସଂକ୍ରମଣରୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବିଡ଼ିଓ କନଫେରେନ୍ସିରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ, ଜିଲ୍ଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲ୍ଲାର ପ୍ରବାସୀ ମାନଙ୍କୁ ଅନୁରୋଧ କରି ଜଣାନ୍ତୁ ସେମାନେ ଯେଉଁଠାରେ ଅଛନ୍ତି ସେହି ଠାରେ ହିଁ ରୁହନ୍ତୁ । ଦଣ୍ଡନାଚ, ଯାନିଯାତ୍ରା କି ମା ତାରା ତାରିଣୀ ଯାତ୍ରା ସକାଶେ ଜିଲ୍ଲାକୁ ଆସନ୍ତୁ ନାହିଁ । ସେମାନେ ଜିଲ୍ଲାକୁ ଆସିବା ଫଳରେ ନିଜ ପରିବାର ସମେତ ଜିଲ୍ଲାବାସୀଙ୍କୁ ମଧ୍ୟ ବିପଦରେ ପକାଇବାର ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଯେଉଁମାନେ ଆସୁଛନ୍ତି ସେମାନେ ନିଜ ସାଥିରେ କୋଭିଡ ଟେଷ୍ଟର ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଛି । ଏମାନେ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପୁର୍ନବାର ଯାଞ୍ଚ କରାଯିବ ଏବଂ ସଂକ୍ରମିତ ହୋଇଥିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ସଂକ୍ରମିତ ବୃଦ୍ଧି ହେଉଥିବା ହେତୁ ସତର୍କତା ପାଳନ କଲେ ଜିଲ୍ଲାର ପରିସ୍ଥିତି ପୂର୍ବ ପରି ଭୟାଭୟ ହେବ । ଏଣୁ ସମସ୍ତ ସତର୍କତାର ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମା ତାରା ତାରିଣୀ ଯାତ୍ରା ସମୟରେ ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ଚକିଆ ଯାନ କିମ୍ବା ଚାରି ଚକିଆ ଯାନକୁ ବାରଣ କରାଯାଇଛି । ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ହଳ ବସ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଭକ୍ତମାନଙ୍କୁ ନେବା ଆଣିବା କରାଯିବ । କେଶପୁର ଛକ, ରାୟପୁର ଛକ, ତାରାତାରିଣୀ ଛକ ଏବଂ ସିଂହ ଦ୍ୱାରା ଠାରେ ଅସ୍ଥାୟୀ ଚେକ ଗେଟ ନିର୍ମାଣ କରାଯାଇ କଟାକଟି ଚେକିଂ କରାଯିବ । ମା’ଙ୍କ ଯାତ୍ରା ସମୟରେ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ପ୍ରଶାସନ ପକ୍ଷରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଛି । ଆଛୁଲି ଠାରୁ ପୁରୁଷୋତ୍ତମପୁର ଯିବା ନିମନ୍ତେ ହୁମ୍ମା ଓ କୋଦଳା ରାସ୍ତା ବ୍ୟବହାର କରିପାରିବେ । କାଳୀ ମନ୍ଦିର ଠାରୁ ଭୁତ ସରସିଂ ଯିବା ପାଇଁ ବୁଢାଆମ୍ବ ଓ କବିସୂର୍ଯ୍ୟନଗର ରାସ୍ତା ବ୍ୟବହାର କରିପାରିବେ । ଭାଟକୁମରଡ଼ା ଠାରୁ ତାରାତାରିଣୀ ଛକ, ପାଣ୍ଡିଆ ଛକ ଠାରୁ କେଶପୁର ଛକ, ଜାମୁନୀ ରାସ୍ତା, ଷୋଳଘର ଠାରୁ ରାୟପୁର ଛକ ରୁଟ ଦେଇ ଯାତ୍ରୀମାନେ ଯାତାୟାତ କରିପାରିବେ । ପୋଲିସ ବିଭାଗ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସମସ୍ତ ଯାନବାହାନ ଗୁଡିକୁ କଡାକଡି ଯାଞ୍ଚ କରାଯିବ । ହେଲମେଟ ନ ପିନ୍ଧିଥିବା ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ବିହୀନ ଗାଡି ଚାଳକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶଗଡ଼ ଗାଡ଼ିରେ ଯାତାୟାତ କରିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମନ୍ଦିର ପରିସରରେ ଭୋଜିଭାତ ଓ ଖାଦ୍ୟ ସାମଗ୍ରୀ ବିତରଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମା’ଙ୍କ ଦର୍ଶନ ନିମନ୍ତେ ସୁସ୍ଥ ଥିବା ବିଶେଷ ଆସି ଦର୍ଶନ କରିପାରିବେ । ବୟସ୍କ ବ୍ୟକ୍ତି, ଥଣ୍ଡା, କାଶ ସମସ୍ୟାରେ ଜଡିତ ଥିବା ବ୍ୟକ୍ତି ଓ ଛୋଟ ପିଲା, ଗର୍ଭବତୀ ମହିଳାଙ୍କୁ ଯାତ୍ରାକୁ ଆସିବା ନିମନ୍ତେ ବାରଣ କରାଯାଇଛି । ଯେଉଁମାନେ ଦୁଇଟି କୋଭିଡ ଟୀକା ଗ୍ରହଣ କରିଛନ୍ତି କେବଳ ସେହିମାନେ ହିଁ ଆସିବା ଉଚିତ । ମୁଣ୍ଡନକୁ ବାରଣ କରାଯାଇଛି । ମା ତାରାତାରିଣୀ ଏବଂ ମା ବୁଢ଼ୀ ଠାକୁରାଣୀ ଯାତ୍ରାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରସାରଣ କରାଯିବ । ଯଦ୍ୱାରା ଭକ୍ତଗଣ ନିଜ ଘରେ ରହି ମାଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିନ୍ଧେଶ୍ୱର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱା. କୀର୍ତ୍ତି ୱାସନ, ବୁଢା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମା ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।