ସଂକଟରେ ସୁବର୍ଣ୍ଣରେଖା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱର ଜୀବନରେଖା ଭାବେ ପରିଚିତ ସ୍ୱର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ନଦୀ ଆଜି ବାଲି ମାଫିଆଙ୍କ କବ୍‌ଜାରେ । ଝାଡଖଣ୍ଡର ରାଞ୍ଚି ମାଳଭୂମୀରୁ ବାହାରି ପଶ୍ଚିମବଙ୍ଗ ପାରି ହୋଇ ଓଡିଶାର ବାଲେଶ୍ୱର ଜିଲାର ତାଳସାରୀ ନିକଟ ବଙ୍ଗୋପସାଗରେ ଏହା ମିଶିଛି । ଏହା ବାଲେଶ୍ୱର ଜିଲାର ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକ ଅଂଚଳରେ ୭୯ କିମି ପ୍ରବାହିତ ହୋଇଛି । ପ୍ରବାହିତ ହେଉଥିବା ଅଂଚଳର ପାଶ୍ୱର୍ରେ ଉର୍ବର ମାଟି ଯୋଗୁଁ ବର୍ଷଯାକ ଶସ୍ୟଶ୍ୟାମଳା ହୋଇଥାଏ । ସମଗ୍ର ଉତ୍ତର ବାଲେଶ୍ୱର ଓ ପଶ୍ଚିମବଂଗର ପଶ୍ଚିମମେଦିନୀପୁର ଜିଲାକୁ ଏହି ସବୁ ଅଂଚଳରୁ ପରିବା ଯୋଗାଣ ହୋଇଥାଏ । ନଦୀକୂଳିଆ ଗ୍ରାମବାସୀମାନେ ନଦୀରୁ ମଧ୍ୟ ମାଛ ମାରି ଜିବିକା ଉପାର୍ଜନ କରିଥାନ୍ତି । ସୁବର୍ଣ୍ଣରେଖା ନଦୀର ବାଲିର ଚାହିଦା ବହୁ ଅଧିକ । ବିଭିନ୍ନ ନିର୍ମାଣ ଲାଗି ଓଡିଶା ଓ ପଶ୍ଚିମବଂଗକୁ ପ୍ରତ୍ୟେହ ହଜାର ହଜାର ଡମ୍ପର ବାଲି ଚାଲାଣ ହୋଇଥାଏ । ଏଥିପାଇଁ ସରକାର ଅଳ୍ପ କିଛି ରାଜସ୍ୱ ପାଉଥିବା ବେଳେ ମାଫିଆମାନେ କୋଟି କୋଟି ଟଙ୍କା ଲୋଟି ନେଇଥାନ୍ତି । ସୁବର୍ଣ୍ଣରେଖା ନଦୀର ଓଡିଶା ଓ ପଶ୍ଚିମବଂଗ ସୀମାରେ ୧୦ କିମି ପ୍ରବାହିତ ହୋଇଥିବାରୁ ଏହି ଅଂଚଳ ଏବେ ଉଭୟ ରାଜ୍ୟପାଇଁ ସୀମାବିବାଦ ସୃଷ୍ଟି ହୋଇଛି । ପଶ୍ଚିମବଂଗର ବାଲିମାଫିଆ ମାନେ ଓଡିଶା ଅଂଚଳରୁ ଯୋରଜବରଦସ୍ତ ବାଲି ମେସିନ୍ ସାହାଯ୍ୟରେ ଉତ୍ତୋଳନ କରି ମାଲେମାଲ ହେଉଛନ୍ତି । ଏପରିକି ଜଳେଶ୍ୱର ବ୍ଲକରେ ବେଆଇନ୍ ଓ ଚୋରାରେ ପ୍ରାୟ ୨୨ଟିରୁ ଅଧିକ ବାଲି ସୈରାତରୁ ବାଲି ଉତ୍ତୋଳନ ହେଉଥିବା ଜଣାଯାଇଛି । ପରିବେଶ ଆଇନ୍ ଓ ମାଇନିଂ ପ୍ଲାନ୍‌କୁ ଉଲଙ୍ଘନ କରି ଦିନ ରାତି ବାଲି ପରିବହନ ହେବା ଫଳରେ ନଦୀର ପତ୍ତନ ଧିରେ ଧିରେ କମି କମି ଯାଉଛି ଓ ନଦୀ ଅଧିକ ଗଭୀର ହୋଇ ଯାଉଛି । ଏପରିକି ଜଳ ସଂପଦ ବିଭାଗର ବିନା ଅନୁମତିରେ ନଦୀ ଶଯ୍ୟାରେ ଅସ୍ଥାୟୀ ବନ୍ଧ ଓ ପୋଲ ନିର୍ମାଣ ଫଳରେ ନଦୀର ଗତିପଥ ବଦଳିବା ଆଶଙ୍କା ସୃଷ୍ଟି ହୋଇଛି । କୂଳ ଖାଇବା ସହିତ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଖରାଦିନେ ନଦୀ ପାଣିକୁ ଚାଷ ଲାଗି ବ୍ୟବହାର କରି କରାଯାଉଥିବା ବେଳେ ନଦୀକୂଳିଆ ଗ୍ରାମବାସୀ ମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ଏହି ପାଣିକୁ ବ୍ୟବହାର କରିଥାନ୍ତି । ଚଳିତବର୍ଷ ପ୍ରାୟ ୭ମାସ ବର୍ଷା ନ ହେବା ଫଳରେ ନଦୀର ଶର୍ଯ୍ୟ ଶୁଷ୍କ ହୋଇ ଯାଇଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି । ଭୂତଳ ଜଳସ୍ତର ୧୦୦ଫୁଟ ପର୍ଯ୍ୟନ୍ତ ତଳକୁ ଖସିଯିବାରୁ ନଦୀ ଅବବାହିକାରେ ଥିବା ଗ୍ରାମମାନଙ୍କରେ ଜଳ ସଂକଟ ସୃଷ୍ଟି ହୋଇଛି । ଅଗଭୀର ନଳକୂପରୁ ଚାଷ ଓ ପିଇବା ପାଇଁ ପାଣି ମିଳୁ ନାହିଁ । ଚାଷୀମାନେ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ଏହାର ପ୍ରତିକାର ଲାଗି ମହମ୍ମଦନଗର ପାଟଣା ପଂଚାୟତର ସରପଂଚ ଦମୟନ୍ତୀ ମହାନ୍ତି, ସମାଜସେବୀ ରାଧାଶ୍ୟାମ ସାହୁ, ଉତ୍ତମ ଦାସ, ଅରୁଣ ସେନାପତି, ହରିପଦ ମାନ୍ନା, ଖକନ ଜେନା, କୁନା ଟୁଡୁ, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଜଳେଶ୍ୱର ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅତିଶୀଘ୍ର ଏହାର ପ୍ରତିକାର ନ ହେଲେ ସ୍ୱର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଜଳେଶ୍ୱର ବାସୀଙ୍କ ଦୁଃଖର କାରଣ ହେବ ବୋଲି କୁହାଯାଉଛି ।