ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ…

ଭୁବନେଶ୍ୱର/ପୁରୀ (ସମୃଦ୍ଧ ଓଡିଶା) ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି କହିଛନ୍ତି ଯେ ଆଜି ହେଉଛି ପୁରୀ ଜିଲ୍ଲା ପାଇଁ ଏକ ଐତିହାସିକ ଦିବସ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା । ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି ଏମବିବିଏସ ଆସନ ରହିଛି । ଏହାଦ୍ୱାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ ଏମବିବିଏସ ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୁରୀର ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡାମନ୍ତ୍ରୀ ତୃଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।