ଶିକ୍ଷୟିତ୍ରୀଙ୍କ ଶହେ ଶହେରେ ଖେଳ…

ସୋରଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପାଟପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ ଶାନ୍ତିଲତା ସେଠୀ । ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ହତେଇ ନେଇଛନ୍ତି ପଦବୀ । ସେ ବ୍ରାହ୍ମଣ ଜାତିରେ ଜନ୍ମ ହୋଇଥିବା ବେଳେ ଚାକିରି ହାତେଇଛନ୍ତି ଧୋବା ଜାତିରେ । ଏଥି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଲା ପରେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦେଇଥିଲେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦେଇଥିଲେ । ପରିଶେଷରେ ବ୍ଲକ ଶିକ୍ଷା ଅଧିକାରୀ ତହସିଲଦାରଙ୍କୁ ସାର୍ଟିଫିକେଟ ଠିକ୍ ନା ଭୁଲ୍ ଅଛି ଜାଣିବା ପାଇଁ ଚିଠି ଲେଖିଥିଲେ । ଏହାର ଉତ୍ତରରେ ସୋରଡ଼ା ତହସିଲଦାର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶା ଜାତିଗତ ସାର୍ଟିଫିକେଟ ରୁଲ ୧୯୮୦ ଅନୁଯାୟୀ ଜାତି ଜନ୍ମ ଅନୁସାରେ ବାପାଙ୍କ ଯେଉଁ ଜାତି ସେହି ଜାତି ହିଁ ପିଲାମାନଙ୍କର ହେବ । ତେଣୁ ମାଡାମଙ୍କ ଜାତି ଜେନେରାଲ (ବ୍ରାହ୍ମଣ) ବୋଲି ସୋରଡ଼ା ତହସିଲଦାର ପତ୍ର ସଂଖ୍ୟା ୨୪୦୯/୦୮.୦୭.୨୦୨୧ରେ ଉଲ୍ଲେଖ କରିଥିଲେ । ଇତି ମଧ୍ୟରେ ୧ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା କିନ୍ତୁ ତା ୨୭/୮/୨୦୨୧ ରେ ଚିଠି ନଂ ୧୧୯୩ରେ ତାଙ୍କୁ ବହିଷ୍କୃତ କରାଯାଇଛି ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ଖେଳ ଖେଳିବା ଲୋକ ତ ନିଲମ୍ବିତ ହେଲେ, କିନ୍ତୁ ଏହି ଖେଳ କୁ ପ୍ରୋତ୍ସାହନ ଦେଇଥିବା ତାହସିଦାରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ