ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜଳେଶ୍ଵର ତହସିଲଦାରଙ୍କୁ ଓଷ୍ଟା ତରଫରୁ ଦାବୀପତ୍ର ପ୍ରଦାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଜଳେଶ୍ଵର ତରଫରୁ ଗତ ତା-୧୭/୫ରେ ଜଳେଶ୍ଵର ତହସିଲଦାରଙ୍କୁ ବିଭିନ୍ନ ଦାବୀ ସମ୍ବଳିତ ଏକ ନିବେଦନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଛି l ଏଥିରେ ଦାବୀଗୁଡ଼ିକ ହେଉଛି, ସମଗ୍ର ଭାରତବର୍ଷରେ ଯେତେବେଳେ କରୋନାର ଦ୍ବିତୀୟ ଲହରର ଆତଙ୍କ ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ଏହି ମାରାତ୍ମକ ଭୂତାଣୁକୁ ପରାହତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସରକାରଙ୍କ ଆହ୍ବାନକୁ ସ୍ବୀକାର କରି ସମସ୍ତ ରାଜ୍ୟ କର୍ମଚାରୀ ଏବଂ ସାମ୍ବାଦିକଙ୍କ ପରି ଶିକ୍ଷକମାନେ ସମ୍ମୁଖ ଯୁଦ୍ଧାରେ ଅବତୀର୍ଣ୍ଣ । ଏଇଥିପାଇଁ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ, ପ୍ରାଣୀ ଚିକିତ୍ସକ, ବନ ବିଭାଗ, ବ୍ୟାଙ୍କ ଓ ବିମା କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ସରକାର ସହୃଦୟତା ପ୍ରଦର୍ଶନ କରି କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ଆମ୍ଭ ସଂଘ ଆନ୍ତରିକତାର ସହିତ ସମର୍ଥନ କରିଛି । କିନ୍ତୁ ସମଭାବରେ ଦୁଃଖ ପ୍ରକାଶ ଯେ, ଆଜି ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ କୋଭିଡ ଯୋଦ୍ଧା ବୋଲି ଘୋଷଣା ହେଲା ନାହିଁ । ଅଥଚ ଏଭଳି କଠିନ ସମୟରେ ଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶ ଯଥା ଘର ଘର ବୁଲି ପିଲାଙ୍କୁ ପୁସ୍ତକ ଓ ଚାଉଳ ବଣ୍ଟନ କରିବା, ପିଲାଙ୍କୁ ଭର୍ତ୍ତିନେବା, ଔଷଧ ବଣ୍ଟନ କରିବା କାର୍ଯ୍ୟ ସହିତ ରେରଓ୍ବେ ଷ୍ଟେସନ ଓ ସୀମାନ୍ତରେ ରହି ଫେରନ୍ତା ପ୍ରବାସୀଙ୍କ ପଞ୍ଜୀକରଣ କରିବା, ସଙ୍ଗରୋଧ ଏବଂ ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ରରେ ରହି କାମ କରି ଆଜି ଓଡ଼ିଶାକୁ ରକ୍ଷା କରିବାର ଶିକ୍ଷକ ମାନଙ୍କର ପ୍ରମୁଖ ଭୂମିକା । ଯଦ୍ବାରା ଶିକ୍ଷକମାନେ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ ଦୁଃଖର ସହିତ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଛନ୍ତି ଯେ ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ କୋଭିଡ ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରି ସାରିଲେଣି । ପୁନଶ୍ଚ ଏମାନଙ୍କ ଭିତରେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନଙ୍କର ପେନସନ ବ୍ୟବସ୍ଥା ନାହିଁ । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସେହି ସବୁ ଶିକ୍ଷକ ପରିବାର ଆଜି ଦାଣ୍ଡର ଭିକାରୀ ପାଲଟି ଯାଇଛି l ଏପରି ସ୍ଥଳେ ଶିକ୍ଷକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଗ୍ରହଣ ନ କରିବା, ସେମାନଙ୍କୁ ହତୋତ୍ସାହିତ କରିଛି । ଏଣୁ ସଂଘ ଅନୁରୋଧ କରିଛି କି, ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ବୋଲି ଘୋଷଣା କରାଯିବା ସହିତ ସେମାନଙ୍କୁ ବିମା ଅନ୍ତର୍ଭୁକ୍ତ କରିବା ଏବଂ କରୋନା ଆକ୍ରାନ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ, ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଦାବୀପତ୍ରକୁ ଜଳେଶ୍ଵର ସଂଘର ସମ୍ପାଦକ ଡ. ଅଜିତ କୁମାର ମହାନ୍ତି, ସଭାପତି ସୁକୁମାର ମିଶ୍ର, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ, କୁଞ୍ଜବିହାରୀ ପ୍ରଧାନ, କେଶବ ଚନ୍ଦ୍ର ପରିଡ଼ା, ଅନନ୍ତ କୁମାର ସେନାପତି, ଗୟାରାମ ସାହୁ, ସରୋଜ ସେନାପତି, ସମୀର କୁମାର ନନ୍ଦୀ, ସ୍ୱର୍ଣଳତା ସେଠି, ଗୌର ପ୍ରସାଦ ସେନାପତି, ମୀନାରାଣୀ ପଣ୍ଡା ଓ କାର୍ତ୍ତିକ ଚନ୍ଦ୍ର ବାରିକ ପ୍ରମୁଖ ଶତାଧିକ ଶିକ୍ଷକ ଜଳେଶ୍ଵର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି l