ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ୨୦୦୩ ବ୍ୟାଚର ବନ୍ଧୁମିଳନ : ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୨୦୦୩ ବ୍ୟାଚ୍‌ର ଶତାଧିକ ଛାତ୍ରଛାତ୍ରୀମାନଙ୍କ ଏକ ‘ବନ୍ଧୁ ମିଳନ-ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଗୋପୀନାଥ ଗାର୍ଡେନ, ଢେଙ୍କାନାଳରେ ନିରାଡ଼ମ୍ବରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୨୦୦୩ ବ୍ୟାଚର ପୁରାତନ ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା, କର୍ମକ୍ଷେତ୍ରର ବିବରଣୀ ସହ ସ୍ୱପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ ଉପଭୋଗ୍ୟ ହୋଇପାରିଥିଲା ।ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ପ୍ରାକ୍ତନ ଛାତ୍ରୀ ତଥା ବର୍ତ୍ତମାନର ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଅନୁରାଧା ଦାସ କାର୍ଯ୍ୟକ୍ରମ ସଂଯୋଜନା ଓ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଛାତ୍ରଛାତ୍ରୀ ଓ ଶିକ୍ଷିକା, ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷିକା, ଶିକ୍ଷକମାନଙ୍କୁ ସମସ୍ତଙ୍କର ଫୋଟୋ ଥିବା ସ୍ମୃତିଫଳକ ଓ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ସ୍ୱର୍ଗତଃ ପଣ୍ଡିତ ଡା.ରୁଦ୍ରନାରାୟଣ ମିଶ୍ରଙ୍କ ଦ୍ୱାରା ପରିକଳ୍ପିତ ତଥା ପ୍ରଚଳିତ ବିଦ୍ୟାଳୟର ଅତ୍ୟନ୍ତ ଆକର୍ଷଣୀୟ ବ୍ୟାଚ ପ୍ରଦାନ କରାଯାଇଥିଲା । ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଅନେକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ମଧ୍ୟରେ ସର୍ବଶ୍ରୀ ଶିବ ପ୍ରସାଦ ଶତପଥୀ, ତ୍ରିଲୋଚନ କର, ମାୟାଧର ନାୟକ, ସାରଙ୍ଗଧର ପଣ୍ଡା, ସଚ୍ଚିଦାନନ୍ଦ ତ୍ରିପାଠୀ, ବିରଞ୍ଚି ନାରାୟଣ ମିଶ୍ର, ସନାତନ ମିଶ୍ର, ଶ୍ରୀକାନ୍ତ ବରାଳ, ରତ୍ନାକର ସାହୁ, ସର୍ବ ଶ୍ରୀମତୀ ବିଦ୍ୟୁତପ୍ରଭା ନନ୍ଦ, ନିରୁପମା ମହାନ୍ତି, ଅମିତା କୁମାରୀ ରଥ, ଗୀତା ମିଶ୍ର, ଜ୍ୟୋତି ପ୍ରସାଦ ପରିଡ଼ା, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନ କ୍ୟାମ୍ପେନ ଟିମର ଦଳମୁଖ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ ‘ମୋ ସ୍କୁଲ ଅଭିଯାନ’ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଅର୍ଥ ପ୍ରଦାନ କଲେ ଓଡ଼ିଶା ସରକାର ଏହାର ଦୁଇଗୁଣ ଅର୍ଥରାଶି ପ୍ରଦାନ କରୁଛନ୍ତି ତେଣୁ ମୋଟ ଏହି ତିନିଗୁଣ ଅର୍ଥରାଶି ସୁବିନିଯୋଗ କରି ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରାଯାଇ ପାରିବ । ଏହା ବ୍ୟତୀତ ସମସ୍ତେ ନିଜର ପ୍ରିୟ ବିଦ୍ୟାଳୟକୁ ବିଭିନ୍ନ ଆବଶ୍ୟକ ଦ୍ରବ୍ୟ ଓ ସେବା ପ୍ରଦାନ କରିପାରିବେ ବୋଲି ମଧ୍ୟ ଜଣାଇଥିଲେ । ପ୍ରାକ୍ତନ ଛାତ୍ରୀଛାତ୍ର ବୃନ୍ଦ ଗୁରୁ ପୂଜା ସହ ଗୁରୁବନ୍ଦନା ଗାନ କରି ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ମୃତିଫଳକ, ବ୍ୟାଚ ଓ ମାନପତ୍ର ପ୍ରଦାନ କରିବା ସହ ଗୁରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଗହଣରେ ପୁରୁଣା ସ୍ମୃତି ସାଉଁଟିବା ସଙ୍ଗେ ସଙ୍ଗେ ସମସ୍ତେ ଭଲ ମଣିଷ ହେବା ସହିତ ମଣିଷ ତିଆରି କାରଖାନା ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ମନ ପ୍ରାଣ ଢ଼ାଳି ଦେବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ । ସ୍କୁଲ ପାଠ ପଢା ସରିବା ପରେ ନିଜ ନିଜ କର୍ମକ୍ଷେତ୍ରରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । କିନ୍ତୁ, ଏହି ବନ୍ଧୁମିଳନ ଅବସରରେ ନିଜର ଅତିପ୍ରିୟ ସାଥୀମାନଙ୍କୁ ଓ ପୂଜନୀୟ ଗୁରୁମା, ଗୁରୁଜୀମାନଙ୍କୁ ପାଖରେ ପାଇ କେକ କାଟି ପରସ୍ପରକୁ ଖୁଆଇ ଅତ୍ୟନ୍ତ ଆନନ୍ଦରେ ଆତ୍ମବିଭୋର ହୋଇ ଯାଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ଛାତ୍ରୀ, ଛାତ୍ରମାନେ ଆସନ୍ତା ବର୍ଷକୁ ଏହିପରି ଭାବରେ ପୁଣି ମହାସମାରୋହରେ ପାଳନ କରିବେ ଓ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ସୂତ୍ରଧର ସାଜିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପସ୍ଥିତ ଓ ଅନୁପସ୍ଥିତ ଶତାଧିକ ଛାତ୍ରଛାତ୍ରୀ କାୟମନୋବାକ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ପରିଶେଷରେ ପ୍ରାକ୍ତନ ଛାତ୍ର ଅମ୍ଳାନ ଅଭିଜିତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।