ଶତାୟୁ, ବି.ବି.ହାଇସ୍କୁଲ, ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ ସୁଭାଷ କୁମାର ନନ୍ଦଙ୍କ ଅବସର ଗ୍ରହଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ କୋଭିଡ-୧୯ ନିୟମ ଅନୁପାଳନରେ ଶତାୟୁ, ବି.ବି.ହାଇସ୍କୁଲ, ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ, ଚିଫ୍ ଅଫିସର, ସମର ଶକ୍ଷାର୍ଥୀ ସ୍ଥଳ ବାହିନୀ, ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଟ୍ ( ଯୁଗ୍ମ ଦାୟିତ୍ଵ) କ୍ରୀଡା, ଜୁନିୟର ରେଡକ୍ରସ୍, ବିଦ୍ୟାଳୟ ଉଦ୍ୟାନ ବିଭାଗ ଦାୟିତ୍ୱରେ ଥିବା ସୁଭାଷ କୁମାର ନନ୍ଦ, ବିଏ.ବିଏଡ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ସ୍ଵୀୟ ଅଭିଭାଷଣରେ ସୁଭାଷ ସାରଙ୍କ ବହୁବିଧ ସୁଗୁଣାବଳୀ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ହେଉ ଓ ସେ ବିଦ୍ୟାଳୟକୁ ଆସି ପୂର୍ବପରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଦୃଢ ଆଶା ପୋଷଣ କରିଥିଲେ । ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ, ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେ ସ୍ଵୀୟ ଅଭିଭାଷଣରେ ବିଦାୟୀ ଶିକ୍ଷକଙ୍କ ସଫଳ ଶିକ୍ଷା ଜୀବନର ଅବିସ୍ମରଣୀୟ ସ୍ମୃତିରାଜିକୁ ରୋମନ୍ଥନ କରିବା ସଙ୍ଗେ ସଂଗେ ତାଙ୍କର ସମୟାନୁବର୍ତ୍ତିତା, ନିଷ୍ଠାପରତା, କର୍ତ୍ତବ୍ୟପରାୟଣତା, ଶିଷ୍ୟବତ୍ସଳତା, ସହନଶୀଳତା ଓ ସର୍ବଜନପ୍ରିୟତା ଭଳି ଜଣେ ସଫଳ ଶିକ୍ଷକର ସମସ୍ତ ସୁଗୁଣାବଳୀର ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମତପ୍ରକାଶ କରିଥିଲେ । ସରକାରୀ ଚାକିରୀରୁ ଅବସର ଗ୍ରହଣକୁ ଏକ ନିଷ୍ଠୁର ବାସ୍ତବତା ଭାବରେ ଗ୍ରହଣ କରି ଅବଶିଷ୍ଟ ଜୀବନର ଚଲାପଥକୁ କୁସୁମିତ କରି ସଫଳ ଶିକ୍ଷା ପ୍ରସାରରେ ବ୍ରତୀ ହୋଇ ସମାଜର ବହୁମୂଲ୍ୟ ସେବାରେ ନିଜକୁ ସମର୍ପିତ କରିବାକୁ ସେ ସୁପରାମର୍ଶ ପ୍ରଦାନ ଜରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର,ସ୍ଵର୍ଣମୟୀ ଶତପଥୀ, ଇତିଶ କୁମାର ବରାଳ,ଅନୁପମା ପଣ୍ଡା,ନୂତନ ଭାବରେ ଯୋଗଦାନ କରିଥିବା ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥି ଓ କଲ୍ୟାଣି ବଡ଼ଜେନାଙ୍କ ସ୍ୱରଚିତ ହୃଦୟସ୍ପର୍ଶୀ, ମନଛୁଆଁ ସୁମଧୁର ସଙ୍ଗୀତ ଗାନ, ସମସ୍ତେ ସୁଭାଷ ସାରଙ୍କ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟରେ ତାଙ୍କ ସହିତ ସୁମଧୁର ସମ୍ପର୍କର ସ୍ମୃତିଚାରଣ କରି ସେ ସୁଶିକ୍ଷକ ହେବାର ସମସ୍ତ ଗୁଣାବଳୀର ଅନନ୍ୟ ସମାହାର ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କର ଦୀର୍ଘ ନିରାମୟ ସଫଳ ଜୀବନ କାମନା କରିଥିଲେ । ଅବସର ଗ୍ରହଣ କରୁଥିବା ବିଦାୟୀ ବରିଷ୍ଠ ସହକାରୀ ଶିକ୍ଷକ ସୁଭାଷ କୁମାର ନନ୍ଦ ସ୍ଵୀୟ ବିଦାୟକାଳୀନ ବକ୍ତବ୍ୟରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଏ ଶତାୟୁ, ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ । ବିଦ୍ୟାଳୟର ତାଙ୍କର ଅତିପ୍ରିୟ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ଅବସର ଗ୍ରହଣ କରୁଥିବା ବିଦାୟୀ ଶିକ୍ଷକ ସୁଭାଷ କୁମାର ନନ୍ଦଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସ୍ଵୀୟ ସଭାପତିଙ୍କ ବକ୍ତବ୍ୟ ପ୍ରଦାନ ଅବସରରେ ବିଦାୟୀ ଅବସର ପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷକ ସୁଭାଷ କୁମାର ନନ୍ଦ ସର୍ବୋତ୍ତମ ଶିକ୍ଷକ ଭାବରେ ଯେଉଁ ପ୍ରଦର୍ଶନ କରି ଯାଇଛନ୍ତି ତାହା ଅଭୂତପୂର୍ବ ଓ ଏହାକୁ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିବାକୁ ଦୃଢ଼ ଆଶା ପୋଷଣ କରିଥିଲେ । ଦିବସର ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାର୍ଥନା ସଭାରେ ଛାତ୍ରୀ ଛାତ୍ରମାନେ ବିଦାୟୀ ଶିକ୍ଷକ ସୁଭାଷ ସାରଙ୍କ ସୁଗୁଣାବଳୀ ସମ୍ପର୍କରେ ସ୍ମୃତିଚାରଣ କରି ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଓ ସାର ବିଦ୍ୟାଳୟକୁ ଯଥା ପୂର୍ବ ଆସି ସମସ୍ତଙ୍କୁ ଏହିଭଳି ମାର୍ଗଦର୍ଶନ କରିବାକୁ ବିନମ୍ର ଅନୁରୋଧ କରିଥିଲେ । ପରିଶେଷରେ ବିଦ୍ୟାଳୟ ଛୁଟି ପରେ ସମସ୍ତ ଉପସ୍ଥିତ ଛାତ୍ରୀ, ଛାତ୍ର ସୁଭାଷ ସାରଙ୍କୁ ପ୍ରଣାମ କରି, ତାଙ୍କଠାରୁ ନିଜ ଖାତାରେ ଦସ୍ତଖତ ସଂଗ୍ରହ କରି, ସାରଙ୍କ ଦ୍ଵାରା କେକ୍ କାଟି ଓ ତାହାକୁ ନିଜ ମଧ୍ୟରେ ବାଣ୍ଟି ଚେଷ୍ଟା କରି ମଧ୍ୟ ଅବସରର ଦୁଃଖକୁ ଭୁଲି ନପାରି ଅଶ୍ରୁପୂର୍ଣ୍ଣ ନୟନରେ ଗୁରୁଆଶୀର୍ବାଦ ଗ୍ରହଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ରାଉତ, ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ସୁଚିତ୍ରା ସାହୁ, କିରଣମୟୀ ମହାଳିକ, ସୁଶ୍ରୀ କଲ୍ୟାଣୀ ବଡ଼ଜେନା, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, କ୍ଷୀରାବଧିତନୟା ମହାପାତ୍ର, କଳ୍ପନା ବାରିକ, କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ଭୋକେସନାଲ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମେଟିଭ ଟ୍ରେନର ସୁଜିତ ବାରା, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି କାର୍ଯ୍ୟକ୍ରମ ସଂଯୋଜକ, ସହକାରୀ ଶିକ୍ଷକ, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।