ଲୋକକଳା ଓ କଳାକାର ତିଷ୍ଠିବା ପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକ…

ପଦ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତି ବିଭାଗ ଓ ବରଗଡ ଜିଲ୍ଲା କଳା ସଂସ୍କୃତି ସଂଘର ମିଳିତ ଭାବେ ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଢୋଲବନ୍ଧ ଗାଁରେ ଆୟୋଜିତ ହୋଇଥିବା ପ୍ରଥମ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସାଂସ୍କୃତିକ ମଞ୍ଚରେ ଶୁକଦେବ ବରିହାଙ୍କ ପାଲାନାଚ, ଓଡ଼ିଆ ନାଚ, ଘେଁସ ଦୁଲାବିଭା ସାଂସ୍କୃତିକ ପରିଷଦର ଦୁଲାବିହା ନାଚ, ଭରନି କଳା ପରିଷଦର ଶୁକଦେବ ଓ ଲିଙ୍ଗରାଜ ଲୋକ ଗୀତ, ଘୁମୁନିପାଲିର ପାଲା, ଅମ୍ପକା ସାଂସ୍କୃତିକ ପରିଷଦ କୁଲତାପାଲିର ଲୋକ ନୃତ୍ୟ, ତୁମୁରିପାଣିର କଲଙ୍ଗି ନୃତ୍ୟ, ବୈତୀଲିର ଚକ୍ର ପାଣି ସେଠଙ୍କ ସଂଚାର ନୃତ୍ୟ, ବ୍ରଜେଶ୍ୱରୀ ନୃତ୍ୟ କଳା ସଂସଦ କୁମ୍ଭାରୀର ଶଦ୍ଦ ନୃତ୍ୟ, ମହୁଲପାଲିର ଦିଲିପ ସାହୁଙ୍କ ଘୁଡକା ନୃତ୍ୟ, ବିଷ୍ଣୁ ବାରିକଙ୍କ ମହିଳା ସଂଚାର, ଭଗବାନ ସେଠଙ୍କ ଦଳ କରମସାନୀ ନୃତ୍ୟ ସମେତ ସୁନା ବରିହା ଓ ମଲିଫୁଲ ଲୁହାରଙ୍କ କଣ୍ଠର ଡାଲଖାଇ ଲୋକ ଗୀତ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା । ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସାଧନ ସଦସ୍ୟ ଅବନୀ କାନ୍ତ ମିଶ୍ର ଯୋଗଦେଇ ଲୋକକଳାକୁ କିପରି ଆହୁରି ଉଦଜ୍ଜିବିତ ଲୋକାଭିମୁଖୀ କରାଯାଇପାରିବ ସେ ଦିଗରେ କାର୍ଯ୍ୟକରିବାକୁ ଉଦ୍ୟକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ସଂଯୋଜନା କରିଥିଲେ । ଲୋକ କଳାକାରକୁ ବିଭିନ୍ନ ସମୟରେ ବାରମ୍ବାର ପରିବେଷଣ କରି ଜନଜାଗରଣ ସୃଷ୍ଟି କଲେ ଲୋକ ସଂସ୍କୃତି ଓ ଲୋକ କଳାକାର ତିଷ୍ଠି ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଲୋକବାଦ୍ୟ କାରିଗର ଓ କଳାକାର ରତ୍ନକାର ଦୀପ, କରମସାନୀ କଳାକାର ଯୁଧିଷ୍ଠିର ସାହୁ, ଲୋକ ଅଭିନେତା ଭୁବନ ଭୋଇ, ଲୋକଗୀତ ଡାଲଖାଈ କଣ୍ଠଶିଳ୍ପୀ ମଲିଫୁଲ ସୁହାର ଓ ବ୍ରହ୍ମବୀଣା ବାଦ୍ୟକାର ଆନନ୍ଦ ବାଗଙ୍କୁ ଲୋକ କଳାର ବିକାଶ କ୍ଷେତ୍ରରେ ସେମାନଙ୍କ ବିଶେଷ ଅବଦାନ ଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ – ନିରୋଜ କୁମାର ପାଣୀ