ଲାଗିଯାଉ ତୋତେ ମୋ ଆୟୁଷ…

କେଉଁ ଉପାଦାନେ ଗଢ଼ା ତୋ ହୃଦୟ
ଯେତେ ଚେଷ୍ଟା କଲେ ପାରୁନି ବୁଝି
ନେବୁ ଯଦି ଆମେ କୋଟିଏ ଜନମ
କେବେ ପାରିବୁନି ତୋ ଋଣ ସୁଝି  l
ଦେହଟାକୁ ସିନା ରୋଗ କାବୁ କରେ
ମନ ପାଖେ ଯାଏ ଲାଜରେ ନଇଁ
ସଦା ଉତ୍ସର୍ଗୀତ ଜୀବନ ତ ତୋର
ଦୁନିଆରେ ତୋର ତୁଳନା ନାହିଁ  l
ଖାଇବା ପିଇବା ଶୋଇବା ଚାହିଁବା
କେମିତି ସାଧିଛୁ ତୁ ଏକା ଜାଣୁ
ନିଜ ସୁଖ ସ୍ୱାର୍ଥ ସବୁ ବଳି ଦେଇ
ସେବାରେ ଭକ୍ତିରେ ସଭିଙ୍କୁ କିଣୁ  l
ବିଶ୍ରାମ ବିହୀନ ଜୀବନଯାପନ
ସବୁବେଳେ ଖାଲି ଆମରି ଚିନ୍ତା
ଅମୃତଝରା ବଚନ ତୋହର
ନ ଶୁଣିଲେ ଲାଗେ ଜଗତ ପିତା  l
ସବୁଠୁ ସୁନ୍ଦର ତୋ ମୁଖକମଳ
ଦେଖିଦେଲେ ମନ ହୁଏ ଆନନ୍ଦ
ଏମିତି ସରଳ କେମିତି ହେଲୁ ତୁ
ନ ଜାଣୁ କପଟ ନ ଜାଣୁ ଛନ୍ଦ  l
ତୋର ଆଲିଙ୍ଗନ ତୋ ମଧୁ ଚୁମ୍ବନ
ଭରିଦିଏ ପ୍ରାଣେ କେତେ ଯେ ଶାନ୍ତି
ତୋ ପଦଯୁଗଳ ପୂତ ପବିତ୍ର
ସେଇଠାରେ ଅଛି ଆମରି ମୁକ୍ତି  l
ଆମ ଦେହମନ ଆମ ସୁଖଶାନ୍ତି
ସବୁ ତୋ ଠାରେ ପଡିଛି ବନ୍ଧା
ତୋହରି ରକତେ ଗଢ଼ା ଏ ଶରୀର
ତୋ ହୃଦ ସାଥେ ହୋଇଛି ଛନ୍ଦା  l
ତୁ ସୁଖ ଖଣି ତୁ ମଥାମଣି
ତୁ ଥିଲେ ଛାଇ ମାଡ଼େନା ବାଧା
ତୋତେ ଛାଡିଦେଲେ କି ଅଛି ଆମର
ତୋ ବିନା ଆମ ଜୀବନ ଅଧା  l
ସର୍ବଂସହା ତୁ ସବୁ ବରି ନେଇ
ସର୍ବଦା ବରଷୁ ସୁଖ ପୀୟୂଷ
ଆମ ପାଖେ ପାଖେ ସଦା ରହି ଥାଆ
ଲାଗିଯାଉ ତୋତେ ମୋ ଆୟୁଷ  l
…………………………………………..
ଜୟନ୍ତୀ ବେହେରା
ବସ୍ତା, ବାଲେଶ୍ୱର
ମୋ:-୯୩୩୭୨୯୯୩୭୨
୯୭୭୮୭୫୮୪୬୮