ଲଗାଣ ବର୍ଷା ଯୋଗୁଁ ପୋଚିଲା ଧାନ : କ୍ଷତି ପୂରଣ ଦାବିରେ ଧାରଣା ଦେଲେ ଚାଷୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଗ୍ରାମପଞ୍ଚାୟତର ବଡ଼ରାମପଲ୍ଲୀ ଗ୍ରାମର ବହୁ ଚାଷୀ ଗତକାଲି ଧାରଣା ଦେଇଛନ୍ତି । ଏଥିରେ ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁ ଧାନ ଫସଲ ସବୁ ପୋଚି ଯାଇଛି । ଆଉ ମାତ୍ର ଆଠ ଦିନ ଯାଇଥିଲେ ଧାନ ଅମଳ କରି ଘରକୁ ନେଇଥାନ୍ତୁ । କିନ୍ତୁ ଫସଲ ଉଜୁଡି ଗଲା । ସୁନାର ଫସଲ ଧାନ କେତେ ପରିମାଣରେ କଟା ଯାଇ ଖଳାରେ ସାଇତି ରଖାଯାଇଥିଲା । ଆଉ କେତେ ପରିମାଣରେ ଧାନ କଟା ହୋଇନଥିଲା । ଏବେ ସବୁତକ ଧାନ ନଷ୍ଟ ହୋଇଯାଇଛି ତେଣୁ ଏହାର ସ୍ଥାୟୀ ପ୍ରତିକାର ସହ ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ । ଏହାସହ ବିହନ, ସାର, ସହ ନିଜର ବହୁମୂଲ୍ୟ ଶ୍ରମ କରିଥିଲେ ମଧ୍ୟ କଷ୍ଟ ପଡିବାର ମୂଲ୍ୟ ପାଉନ ଥିବା ହେତୁ ଚାଷୀକୁଳ ଘୋର ଉଦବେଗ ପ୍ରକାଶ କରିଛନ୍ତି । ବଡ଼ରାମପଲ୍ଲୀ ଗ୍ରାମବାସୀ ତଥା ବୃଦ୍ଧିଜୀବୀ ସମୂହ ବିନୟ ପୂର୍ବକ ଜିଲ୍ଲାପାଳଙ୍କୁ ପ୍ରାର୍ଥନା କରିଛନ୍ତି ଯେ, ଏହି ଗ୍ରାମରେ ଥିବା ଚାଷଜମିର ମଧ୍ୟଭାଗରେ ଖରଖରୀ ନାଳ ପ୍ରବାହିତ ହେଉଛି । ଏହି ନାଳ ଉପରେ ବେଗୁନିଆପଡା, କୋଦଳା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ଗଞ୍ଜାମ ଆଦି ଛଅଟି ବ୍ଳକ୍ ନିର୍ଭରଶୀଳ । କିନ୍ତୁ ଲଗାଣ ବର୍ଷା ହେତୁ ପ୍ରତିବର୍ଷ ବନ୍ୟାଜଳ ସହ ଏହି ନଦୀଜଳ ମିଶି ବନ୍ୟାପ୍ଲାବିତ ହୋଇ ଏହି ସମସ୍ତ ଅଞ୍ଚଳର ଚାଷଜମି କ୍ଷତିଗ୍ରସ୍ତ ହୋଇଥାଏ । ଏବେ ବି ୭ଫୁଟରୁ ଉର୍ଦ୍ଧ୍ବ ବଢ଼ିଜଳ ଭରି ରହି ବଡ଼ରାମପଲ୍ଲୀ ଗ୍ରାମର ଚାଷ ଜମି ବିଶେଷ ପ୍ରବାହିତ ହେଉଅଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଏଭଳି ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଦୂର କରିବା ନିମିତ୍ତ ଏହି ଖରଖରୀ ନଦୀ ଜଳ ପ୍ରବାହିତ ନାଳ ସହ ଯୋଡି ରହିଥିବା ସଂକୀର୍ଣ୍ଣ ବ୍ରିଜ ଭାଙ୍ଗି ନୂତନ ବଡ଼ଧରଣର ୨ଶହ ଫୁଟର ବ୍ରିଜ ନିର୍ମାଣ ନିମନ୍ତେ ଦାବୀ କରାଯାଇଛି ଏବଂ ଏହି ସ୍ଥାୟୀ ସମାଧାନ ନିମନ୍ତେ ନୂତନ ବ୍ରିଜ ନିର୍ମାଣ ପଦକ୍ଷେପ ନେବାକୁ ବଡ଼ରାମପଲ୍ଲୀ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା