ଲକ୍ଷ୍ୟ ଓ କର୍ତ୍ତବ୍ୟ…

ଲକ୍ଷ୍ୟ ଶବ୍ଦର ସଂଜ୍ଞା ହେଉଛି, ଏକ ଦୃଢ ସଂକଳ୍ପ ଓ ଅଭିଳାଷିତ ଆକାଂକ୍ଷାକୁ ହାସଲ କରିବା ପାଇଁ ନିର୍ଦ୍ଧାରିତ ସୀମା ବା ଅପର ପକ୍ଷରେ ନିହିତ ଉଦ୍ଦେଶ୍ୟର ପରମ ଗନ୍ତବ୍ୟ ସ୍ଥଳ ।ନିଜଳ ଦୃଢ ମନୋବଳ, ଜିଜ୍ଞାସା ଓ ଇଚ୍ଛା ଶକ୍ତି ବଳରେ ତାହା ହାସଲ କରାଯାଇଥାଏ । ଆଶାର ସେହି ଚରମ ସୋପାନରେ ପହଞ୍ଚିବାକୁ ହେଲେ, ସେହି ପଥରେ ଆସୁଥିବା ସବୁ ବାଧାବିଘ୍ନକୁ, ଦୃଢ ମନା ବ୍ୟକ୍ତି ସମସ୍ତ ଘାତ ପ୍ରତିଘାତକୁ ସାମ୍ନା କରି ଆଗକୁ ବଢି ତାହାକୁ ହାସଲ କରେ । ଯାହାର ପରିସର ସୀମିତ । କିନ୍ତୁ କର୍ତ୍ତବ୍ୟର ପରିସର ବ୍ୟାପ୍ତ । ସେ କୌଣସି ସୀମିତ ଉଦ୍ଦେଶ୍ୟରେ ଆବଦ୍ଧ ନରହି ଅନେକ କ୍ଷେତ୍ରରେ ସଂସ୍କାରିତ ଧାରାରେ ଆଗେଇ ଚାଲେ । ଯାହାକି ବ୍ୟକ୍ତି ବିଶେଷର ସୁଚିନ୍ତିତ ବୁଦ୍ଧି ଓ ବିବେକ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ହୋଇଥାଏ । ଲକ୍ଷ୍ୟ ହାସଲର ଉଦ୍ଦେଶ୍ୟ ଉଭୟ ସକାରାତ୍ମକ ଓ ନକରାତ୍ମକ ଆଧାର ଉପରେ ପର୍ଯ୍ୟବେଶିତ ହେଉଥିବା ସ୍ଥଳେ, କର୍ତ୍ତବ୍ୟର ଧାରା କେବଳ ସକାରାତ୍ମକ ମନୋଭାବ ଉପରେ ପର୍ଯ୍ୟବେଶିତ ଓ ବ୍ୟକ୍ତି, ଅନୁଷ୍ଠାନ ଓ ସମାଜର ହିତ ସାଧନରେ ସମର୍ପିତ । ଉଦ୍ଦେଶ୍ୟ ଯଦି ମହତ, ତେବେ ବାଞ୍ଛିତ ବ୍ୟକ୍ତିର ପରିଶ୍ରମ ବୃଥା ଯାଏନା । ତାହାର ଚେଷ୍ଟା, ପରିଶ୍ରମ, ଉଦ୍ଦେଶ୍ୟ ତାହାକୁ ଜୀବନର ଚଲାପଥରେ ଯେତେ ସମସ୍ୟା ଆସିଲେ ବି ସେ ପଛଘୁଞ୍ଚା ନଦେଇ ଲକ୍ଷ୍ୟର ଚରମ ସୀମାରେ ଉପନୀତ ହୋଇ ସାର୍ଥକତା ପୂର୍ବକ ତୃପ୍ତି ଓ ଶାନ୍ତି ଅନୁଭବ କରେ । ତାହାର ନିଷ୍ଠା, ଉଚ୍ଚ ଚିନ୍ତାଧାରା, ସାହାସ, ଦୃଢତା ତା’କୁ ସେ ପର୍ଯ୍ୟନ୍ତ ଚାଲିବାକୁ ବାଟ କଢାଇ ନିଏ ।” ନିମ୍ନାଭିମୁଖୀ ଜଳ”ଧାରା ପରି ଆଗକୁ ବଢିବାର ଦୃଢ ସଂକଳ୍ପ, ମନ ମଧ୍ୟରେ ପ୍ରଖର ହୋଇ ଉଠେ । ତା’ପ୍ରବାହିତ ପଥରେ ଆସୁଥିବା ପ୍ରତିବନ୍ଧକକୁ ଆଡେଇ ଯାଇ କିମ୍ବା ପ୍ରତିକୂଳ ପରିସ୍ଥିତିରେ ବିନମ୍ରତା ସହିତ “ଧିର ପାଣି ପଥର କାଟେ”ନୀତିକୁ ଆପଣାଇ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମର୍ଥ ହୋଇଥାଏ । କେତେକ ବ୍ୟକ୍ତି ନିଜର ଅହଂକାରୀ ମନ ନେଇ, ଯେ କୌଣସି ଉପାୟରେ ଓ ଯେ କୌଣସି ରାସ୍ତାରେ ଯାଇ ନିଜର ଉଦ୍ଦେଶ୍ୟକୁ ଅତି ସହଜରେ ହାସଲ କରିବା ପାଇଁ ସମର୍ଥ ହୋଇଥାନ୍ତି । ଅତି ସହଜରେ, ବିନା ପରିଶ୍ରମରେ ସଫଳତାର ଶୀର୍ଷରେ ପହଞ୍ଚିକୁ ଚାହୁଁଥିବା ବ୍ୟକ୍ତି କୌଣସି ହୀନ ଓ ନୀତିଭ୍ରଷ୍ଟ କାର୍ଯ୍ୟକୁ ଆପଣାଇ ନିଏ । ତାକୁ ନିଜ ସ୍ୱାର୍ଥ ବ୍ୟତୀତ ନ୍ୟାୟ ଅନ୍ୟାୟ, ଠିକ୍ ଭୁଲ୍, ଉଚିତ ଅନୁଚିତର ଫରକ ଦେଖାଯାଏ ନାହିଁ । କିନ୍ତୁ ମହତ ଉଦ୍ଦେଶ୍ୟରେ ଅନୁପ୍ରାଣିତ ବ୍ୟକ୍ତି ଦୃଢତାର ସହିତ ତା’ଧର୍ଯ୍ୟର ପରୀକ୍ଷା ଦେଇ ଅନେକ ବାଧାବିଘ୍ନ ଓ ଘାତ ପ୍ରତିଘାତ ମଧ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସମର୍ଥ ହୋଇଥାଏ । ସଂସ୍କୃତରେ ଗୋଟିଏ ନୀତିବାଣୀ ହେଉଛି-‘ସ୍ନେହସି ବହୁ ବିଘ୍ନନି”। ଅର୍ଥାତ୍ ହିତ କାର୍ଯ୍ୟରେ ବହୁ ବାଧାବିଘ୍ନ ଆସେ । ତାହାକୁ ଧର୍ଯ୍ୟର ସହିତ ସାମ୍ନା କରି ଜୟ ଲାଭ କରିବା ହେଉଛି, ବିଜ୍ଞତାର ପରିଚୟ । ନିଆଁରେ ପୋଡି ହେଲେ ହିଁ ସୁନାର ଔଜ୍ବଲ୍ୟତା ଓ ଶୁଦ୍ଧତା ବୃଦ୍ଧିପାଏ । ସେହିବଳି ମହତ ଓ ଗୁଣୀ ଜନ ସମୟ ସାପେକ୍ଷ ଓ କଣ୍ଟକିତ ପଥରେ ପାଦ ଦେଇ ନିଜର ଚରିତ୍ର ଓ ମହନୀୟତା ପ୍ରତିପାଦନରେ ଖୁସି ପାଇଥାନ୍ତି । ଯେଉଁ ଉଦ୍ଦେଶ୍ୟ ଓ ମହତ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ, ଯାହାକୁ ହାସଲ କରିବା ଏତେ ସହଜ ହୋଇ ନଥାଏ । କିନ୍ତୁ ପ୍ରତିକ୍ଷା ଓ କଷ୍ଟରେ ଆହରଣ କରିବାର ଫଳ ବହୁତ ମଧୁର ଓ ଚିତାକର୍ଷକ ହୋଇଥାଏ । ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମହତ ନହେଲେ, ତାହାର କୁପରିଣାମ ସମାଜ ଓ ବ୍ୟକ୍ତି ପାଇଁ ଭୟଙ୍କର ଓ ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ । ସ୍ୱାର୍ଥନ୍ୱେଷୀ ଓ ବ୍ୟକ୍ତି କେନ୍ଦ୍ରିକ ବ୍ୟକ୍ତି ନିଜର ଶ୍ରେଷ୍ଟତ୍ଵ ପାଇଁ ଅନ୍ୟର ଭଲମନ୍ଦ ପ୍ରତି ଧ୍ୟାନ ନ ଦେଇ ଯେ କୌଣସି ମାଧ୍ୟମରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆତ୍ମସନ୍ତୋଷ ଲାଭ କରିଥାଏ । କିନ୍ତୁ ଯଦି ସେ ନିଜର ମାନସିକତା ଓ ବିବେକ ନିକଟରେ ଉତ୍ତରଦାୟୀ ରହେ, ତେବେ ସେ ନିଜ ମନ ଓ ଆତ୍ମାକୁ ବୁଝାଇ ପାରିଥାଏ କି ? ତେଣୁ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜ ମନର ସ୍ଥିରତା, ଆତ୍ମାର ପବିତ୍ରତା, ଭାବନାରେ ଶୁଦ୍ଧତା ଆଣିବା ନିହାତି ଅପରିହାର୍ଯ୍ୟ । ଗୋପବନ୍ଧୁ ଦାସଙ୍କ ଏକ କାଳଜୟୀ ଅମର ବାଣୀ ହେଉଛି-“ଅପବିତ୍ର ହୃଦୟ ନେଇ, କେହି ଭଗବାନଙ୍କର ସ୍ୱର୍ଣ୍ଣ ସିଂହାସନର ନିକଟବର୍ତ୍ତୀ ହୋଇ ପାରେନାହିଁ” । ପ୍ରକତରେ ଦେଖିବାକୁ ଗଲେ, ଗୀତାରେ ଭଗବାନଙ୍କ ନିସୃତ ବାଣୀ ହେଉଛି-“କର୍ମ ହିଁ ଭଗବାନ” । ଏ ଦୁନିଆଁରେ ଉତ୍ତମ କର୍ମ କରୁଥିବା ବ୍ୟକ୍ତି ହିଁ ସମାଜରେ ମହାପୁରୁଷ ଓ ଭଗବାନଙ୍କର ଦୂତ ଭାବରେ ଅମର ହୋଇ ରହିଥାନ୍ତି । ତାଙ୍କର କର୍ମରେ ଅନୁପ୍ରାଣିତ ବ୍ୟକ୍ତି ତାହାଙ୍କୁ ପାଥେୟ କରି ଅନେକ ସୁଗୁଣର ଅଧିକାରୀ ହୋଇ ନିଜକୁ ମଧ୍ୟ ସମାଜରେ ପରିଚିତ କରିପାରିଥାଏ । ସମାଜରେ ଦୁର୍ନୀତିଗ୍ରସ୍ତ ଓ ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତି ଘୃଣିତର ଆଖ୍ୟା ମିଳିଥାଏ । ତେଣୁ ଏହି ପରିଚୟ ଘୃଣା ପାଇଁ ଦୂର ଓ ସମ୍ମାନ ପାଇଁ ନିକଟ ହୋଇଥାଏ । ଜୀବନ ଏମିତି ଏକ ରଙ୍ଗମଞ୍ଚ, ଯେଉଁଠାରେ ଅଭିନୀତ ମଣିଷର ପ୍ରତ୍ୟେକଟି କାର୍ଯ୍ୟ ଗୋଟିଏ ଗୋଟିଏ ଦୃଶ୍ୟପଟ୍ଟ । ଏମିତି ସେ ଅଭିନୟ କରୁ କରୁ ଜୀବନର ଚଲାପଥରେ ନିଜ ଅଜାଣତରେ କେଉଁଠି ସେ ଭୁଲ୍ କରିବସେ । କିନ୍ତୁ ପରବର୍ତ୍ତୀ ସମୟରେ ଯିଏ, ନିଜର ଭୁଲକୁ ଜାଣିବା ପରେ ନିଜର ସେ ଭୁଲ୍ କୁ ବୁଝି ପାରି ସୁଧାରି ନିଏ, ସେହି ହିଁ ପ୍ରକୃତ ମଣିଷ ବା କେହି ଯଦି ଅନୁତପ୍ତ ହୋଇ ନିଜକୁ ବଦଳାଇ ପାରିଥାଏ ତେବେ ତାହାହିଁ ତା’ର ଶ୍ରେଷ୍ଠ ପ୍ରାୟଶ୍ଚିତ । ତା’ବିସ୍ତୃତ ଚଲାପଥରେ କଣ୍ଟାକୁ ଆଡେଇ ଫୁଟୁଥିବା ଫୁଲକୁ ଆପଣାଇ ନେଉଥିବା ବ୍ୟକ୍ତି ହିଁ ଉତ୍ତମ ପଦବାବ୍ୟ ଲାଭ କରେ । ଜୀବନର ଆକାଶରେ ଅନେକ ସମୟରେ ଝଡ ସୃଷ୍ଟିହୁଏ । କିନ୍ତୁ ସେହି ମୂହୁର୍ତ୍ତରେ ଧାର୍ଯ୍ୟ ଓ ସାହାସର ସହିତ ଝଡର ଅନୁକୂଳରେ ମୁଣ୍ଡ ନୁଆଁଇ ଝଡକୁ ସାମ୍ନା କରୁଥିବା ବ୍ୟକ୍ତି, ଯେତେ ବଡ ଶକ୍ତିଶାଳୀ ଓ ଭୟଙ୍କର ଝଡରୁ ନିଜକୁ ମୁକୁଳାଇ ପାରିଥାଏ ଓ ଝଡ ହାର ମାନି ତା’ର ଦିଗ ବଦଳାଇ ଚାଲି ଯାଇଥାଏ । ସେହି ମର୍ମରେ ଗୋଟିଏ ଉପାଦେୟ କବିତା ହେଉଛି-

“ସୁନ୍ଦର ଯେତିକି, ଅନ୍ଧାର ସେତିକି
ଏହି ଯେ, ଗହନ ବନ
ତେଣୁ ତୁ, ନିଜର ସଂକଳ୍ପେ ଅଟଳ
ଅଚଳ ରହରେ ମନ
ଆଗକୁ ପଡିଛି, ପଥ ବହୁଦୂର
ଆହୁରି କେତେ ଯେ, ବାକି
ଚାଲିବି ଚାଲିବି ନପଡିବି ଥକି
ମୁଦିବା ଆଗରୁ ଆଖି” ।।

ଏ ଦୁନିଆଁଟା ହେଉଛି, କ୍ଷଣସ୍ଥାୟୀ ।ଏହାର ପ୍ରତ୍ୟେକ ଉପାଦାନ କ୍ଷଣ ଭଙ୍ଗୁର । ଏଠାରେ କୌଣସି ଟି ଜିନିଷ ଦୀର୍ଘ ସ୍ଥାୟୀ ନୁହେଁ । କେବଳ ସଂସାରରେ ଯଶ ଓ ସୁକର୍ମ ଚିରସ୍ଥାୟୀ ଅଟେ । ଯାହା ସବୁବେଳେ ଅମର । ମଣିଷ ହେଉଛି “ମରଣଶୀଳ”। ସେ ପୃଥିବୀରେ ନିଶ୍ଚିତ ମୃତ୍ୟୁ ନେଇ ଜନ୍ମ ହୋଇଛି । ତେଣୁ ଏ ଦୁନିଆଁରେ ବାସ୍ତବ ସତ୍ୟ ହେଉଛି; ମୃତ୍ୟୁ ଓ ଅମର ହେଉଛି, ସୁକର୍ମ । ତାହା ପ୍ରତ୍ୟେକ ମଣିଷର ଆତ୍ମାରେ ଜୀବିତ ରହିଥାଏ । ଗୋପବନ୍ଧୁଙ୍କର ସେହି ଅମର ବାଣୀ ହେଉଛି-

“ମଣିଷ ଜୀବନ ନୁହଁଇ କେବଳ
ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଜୀଏଁ ନର, କର୍ମ ଏକ ତା’ର
ଜୀବନର ମାନଦଣ୍ଡ “।

କର୍ମର ମାନଦଣ୍ଡକୁ ନେଇ ଜୀବନର ପୂର୍ଣ୍ଣତା ଆସିଥାଏ । ଯଦି ମଣିଷ ନିଜର ଉତ୍ତମ ଆଚରଣ ଓ ସ୍ୱଭାବ ବଳରେ ମଣିଷର ହୃଦୟକୁ ଜୟ ପାରିଲା, ତେବେ ସେ ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛି ବୋଲି ଜାଣି ପାରିବ । ମହତ ଓ ସ୍ଥିତପ୍ରଜ୍ଞ ଲୋକମାନେ ନିଜର ଗନ୍ତବ୍ୟ ପଥରେ ଥକି ନଯାଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲନ୍ତି । କାରଣ ସେ ତା’ପ୍ରତି ଆସୁଥିବା ଆକ୍ଷେପ ଓ ସମାଲୋଚନାକୁ ଭ୍ରୁକ୍ଷେପ ନକରି ନିନ୍ଦା ଓ ଅପମାନରେ ବିଚଳିତ ନ ହୋଇ କିମ୍ବା ପ୍ରଶଂସା ଓ ସଫଳତାରେ ଭାବ ବିହ୍ଵଳ ଓ ଆତ୍ମହରା ନ ହୋଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲନ୍ତି । କେବଳ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସେ ସତ୍ କର୍ମ ଓ ମହତ ଉଦ୍ଦେଶ୍ୟକୁ ପାଥେୟ କରି ସେ ଆଗକୁ ପାଦ ବଢାଇ ଥାଏ । ତେଣୁ ସେ କର୍ତ୍ତବ୍ୟ ପଥରେ ପ୍ରତି ମୂହୁର୍ତ୍ତରେ ସେ ନିଜକୁ ସଜାଡିବାକୁ ଚେଷ୍ଟା କରିଥାଏ । ଯେପରି ଏ ପ୍ରାଣୀ ଜଗତର ଜୀବନ ରକ୍ଷାକାରୀ ବୃକ୍ଷ ଫୁଲ, ଫଳ, ଛାୟା ପ୍ରଦାନ କରି ଫୁଲ ଫଳ ମଣ୍ଡିତ ହୋଇ ନମ୍ରତାର ସହିତ ନତ ମସ୍ତକ ହୋଇ ଆଘାତ ସହିଥାଏ । ସେହିଭଳି ମହତ ଜନ ମନରେ ଉତ୍ତମ ଗୁଣ ଓ ଚରିତ୍ର ଭାରି ହୋଇ ସେମାନଙ୍କ ନମ୍ର ଓ ଉଦାରତାରେ ପରିଚୟ ପ୍ରଦାନ କରିଥାଏ । ଯାହାର ଫଳ ସ୍ୱରୂପ ସେ ଜଣେ ମହା ପୁରୁଷ ରୂପରେ ପରିଗଣିତ ହୋଇ ଜଣେ ଉଦାରତା ବାଦୀ, ଭଦ୍ର, ନମ୍ର, ତ୍ୟାଗୀ, ସହନଶୀଳ, ପରୋପକାରୀ, ସ୍ଥିତ ପ୍ରଜ୍ଞ, ଚରିତ୍ର ବାନ, ସ୍ଵେଚ୍ଛାସେବୀ, କଷ୍ଟ ସହିଷ୍ଣୁ, ଧୀମତା, ଜ୍ଞାନୀ, ବିଜ୍ଞ ଏହି ଭଳି ବିଭିନ୍ନ ସ୍ୱର୍ଗୀୟ ଗୁଣର ଅଧିକାରୀ ହେବା ସହିତ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ରଖି ସମାଜକୁ ଦିଗ୍ ଦର୍ଶନ ଦେଇ ନିଜର କର୍ମ ପଥରେ ଆଗକୁ ଆଗେଇ ଚାଲେ । ସେଥିପାଇଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ପରଶ୍ରୀ କାତରତା ଠାରୁ ଦୂରେଇ ରହି, ମହତ ଉଦ୍ଦେଶ୍ୟ ନେଇ ନଜିର କର୍ତ୍ତବ୍ୟ ସମ୍ପାଦନ କରିବା ପୂର୍ବକ ନିଜର ମୂଲ୍ୟବୋଧକୁ ସମସ୍ତଙ୍କ ସାମ୍ନାରେ ପ୍ରତିପାଦନ କରିପାରିଲେ, ତାହା ହେଲେ ଜଣେ ଶୃଙ୍ଖଳିତ, ସଂଯମୀ, ଉଚ୍ଚାକାଂକ୍ଷୀ, ଉଦାର ପୁରୁଷ ଭାବରେ ମହାପୁରୁଷ ପଦବାବ୍ୟ ହୋଇ କାଳଜୟୀ ଅମରାତ୍ମା ଭାବରେ ଦୁନିଆଁରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବ ।

ବନଲତା ଜାଲି,
କୃଷ୍ଣ ପ୍ରସାଦ, ପୁରୀ