ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଚାନ୍ଦା ଆଦାୟ : ୬ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩୦ ତାରିଖ ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ଓ ପୁରୁଣା ଓଟି ରୋଡ ତନଖିଫାଟକ ନିକଟରେ ବ୍ୟାପକ ଚାନ୍ଦା କରି ଆସୁଥିବା ଅଭିଯୋଗରେ ପୁଲିସ୍ ଚଢାଉ କରିଥିଲା । ଏ ସମ୍ପର୍କରେ ବହୁ ଅଭିଯୋଗ ବାଲେଶ୍ୱର ପୋଲିସ୍ ଅଧିକ୍ଷକଙ୍କ ଦ୍ସ୍‌ଗତ ହେବାପରେ ଏକ ସ୍ୱତନ୍ତ୍ର ସ୍କାର୍ଡ ଓ ଜଳେଶ୍ୱର ଥାନା ମିଳିତ ଭାବେ ଚଢାଉ କରିଥିଲେ । ଏଥିରେ ଜଳେଶ୍ୱର ଥାନାର ଗୋବରଘଟା ଗାଁର ହରିଶ୍ଚନ୍ଦ୍ର ଦାସ ଓ ରୁପକ ବେହେରା ଓରଫ କଟି, ବଜାରଶୋଳ ଗାଁର ଶାନ୍ତନୁ ବେହେରା, ଚନ୍ଦନା ଗାଁର ଜହନ ସିଂ ତଥା ସୁଖଦୁଖିଆ ଗାଁର ସୁରେନ୍ଦ୍ର ଓଝା ଓରଫ ବାବୁଲି, ଦାନ୍ତୁନ ଥାନାର ସୁଜିଆ ଗାଁର ବିଜୟ ନନ୍ଦିକୁ ଗିରଫ କରାଯାଇଛି । ଗତ କିଛିବର୍ଷଧରି ଓଟି ରୋଡର ପୁରୁଣା ତନଖି ଫାଟକ ଓ ୬୦ନଂ ଜାତୀୟ ରାଜପଥର ଟୋଲ ପ୍ଲାଜା ନିକଟରୁ ବ୍ୟାପକ ଚାନ୍ଦା ଆଦାୟ ହୋଇ ଆସୁଛି । ଏପରିକି ନିଜକୁ ନକଲି ଏମ୍‌ଭିଆଇ, ଆର୍‌ଟିଓ, ପୋଲିସ୍ ଅଧିକାରୀ କିମ୍ବା ବାଣିଜ୍ୟକର ଅଧିକାରୀ ପରିଚୟ ଦେଇ ଆନ୍ତରାଜ୍ୟ ଟ୍ରକ୍ ଓ ବସ୍ ଠାରୁ ଟଙ୍କା ଲୁଟୁଥିବାର ଅଭିଯୋଗ ହୋଇ ଆସୁଥିଲା । ଅତୀତରେ ପ୍ରଶାସନୀକ ଚଢାଉ ଫଳରେ ଏହା ସାମୟିକ ବନ୍ଦ ଥିବାବେଳେ ଏବେ ପୁଣି ମୁଣ୍ଡ ଟେକିଛି । ଜଣେ ଅଭିଯୁକ୍ତ ଗ୍ରାମରକ୍ଷୀଙ୍କ ନିର୍ଦ୍ଦେଶରେ ଏପରି ଚାନ୍ଦା ଆଦାୟ ହୋଇ ଆସୁଥିବାର ବହୁ ନଜିର ରହିଛି । ଗ୍ରାମରକ୍ଷୀଙ୍କ ନାମରେ ଭିଜିଲାନ୍ସ କେସ୍ ଥିବାବେଳେ ନେପଥ୍ୟରେ ରହି ଏପରି ଚାନ୍ଦା ଆଦାୟକାରୀଙ୍କୁ ପ୍ରତ୍ସୋହିତ କରିବା ସହିତ ସେମାନଙ୍କ ଠାରୁ ମୋଟା ଅଂକରେ ଅର୍ଥ ନେଉଥିବା ଜଣାଯାଇଛି । ସେହିପରି ୬୦ନଂ ଜାତୀୟ ରାଜପଥରେ କଣ୍ଟେନର ଓ ଟ୍ରକ୍‌ରେ ବ୍ୟାପକ ଗୋ-ଚାଲାଣ ହୋଇ ଆସୁଥିବା ବେଳେ ଏଥିନେଇ ସ୍ଥାନୀୟ ପୋଲିସ୍‌କୁ ବଶ କରି ସ୍ଥାନୀୟ ଏକ ର‌୍ୟାକେଟ (ମାଫିଆ) ମାଲେମାଲ ହୋଇ ଆସୁଛି । ସେଠାରେ କେତେକ ମାଫିଆ ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ଓ ସ୍ଥାନୀୟ ନେତାଙ୍କୁ ମୋଟା ଅଂକରେ ଅର୍ଥ ଦେଇ ଚାନ୍ଦା ଉଠାଯାଉଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ଚଢାଉ କରାଯାଉଥିବା ବେଳେ ମୁଖ୍ୟ ମାଫିଆମାନେ ଖୁଲମଖୁଲା ଚାନ୍ଦା ଆଦାୟ କରୁଥିବା ସ୍ଥାନୀୟ ଅଧିବାସୀମାନେ ନାମଗୁପ୍ତ ରଖି କହିଛନ୍ତି । ଏପରିକି ବହୁସମୟରେ ପୁଲିସ୍ ଚଢାଉ ପୂର୍ବରୁ ମାଫିଆମାନଙ୍କୁ ସୂଚନା ମିଳି ଯାଉଥିବାରୁ ପୋଲିସ୍‌କୁ ଖାଲି ହାତରେ ଫେରିବାକୁ ପଡିଥାଏ । ପୋଲିସ୍ ଅଧିକ୍ଷ୍ୟକ ଚାନ୍ଦା ଆଦାୟକୁ ସଂପୁର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିବାସୀ ଓ ଡ୍ରାଇଭର ମାନେ ଦାବି କରିଛନ୍ତି ।

ରିପୋର୍ଟ :  ଭୂପତି ପରିଡା