ଲକଡାଉନ ପରେ ବାହାର ଫେରନ୍ତାଙ୍କ ପାଇଁ କ୍ଵାରେଣ୍ଟାଇନ କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଲକଡାଉନ ପରେ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ଯେଉଁମାନେ ଫେରିବେ ସେମାନଙ୍କ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଓ କରୋନା ଲଢେଇ ପାଇଁ ପ୍ରଦତ୍ତ ନିର୍ଦ୍ଦେଶାବଳୀକୁ ଭିତ୍ତି କରି ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ ରଖିବା ପାଇଁ ସର୍ବାଧିକ ପ୍ରୟାସ କରାଯିବ । ଫେରାନ୍ତଙ୍କର ଜିଲ୍ଲା ସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ତୁରତ୍ନ ସାରିବାକୁ କୁହାଯାଇଛି । ଏଥିପାଇଁ ଅନଲାଇନ ସହିତ ଆବଶ୍ୟକୀୟ ଫର୍ମ ଯୋଗାଇ ଦେବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ଅପ୍ରେଲ ୨୪ ତାରିଖରୁ ଆରମ୍ଭ ହେବ ବୋଲି ସରକାର କହିଛନ୍ତି । ଜିଲ୍ଲା ସ୍ତରୀୟ ପଞ୍ଜିକୃତ ମାନଙ୍କ ତଥ୍ୟ ରାଜ୍ୟ ତାଲିକାରେ ତୁରନ୍ତ ସଂଯୋଗ କରାଯିବ । ଯେଉଁମାନେ ଫେରିବେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହିତ ସମ୍ପୃକ୍ତ କ୍ଵାରେଣ୍ଟାଇନ କେନ୍ଦ୍ରକୁ ନିଆଯିବ । ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଦିଲ୍ଲୀ ପ୍ରଭୃତି ସ୍ଥାନରୁ ଗଞ୍ଜାମକୁ ଅଧିକ ଲୋକ ଆସିବେ । ଏହା ସବୁ କରୋନାର ହଟସ୍ପଟ ହୋଇଥିବାରୁ ଫେରନ୍ତାଙ୍କ ପାଇଁ ଦାୟିତ୍ୱ ବଢ଼ିଯିବ । ବାହାର ଫେରନ୍ତା କୌଣସି ସ୍ଥାନୀୟ ଲୋକ ସହିତ କଥାବାର୍ତ୍ତା ହେବେ ନାହିଁ କିମ୍ବା ମିଶିବେ ନାହିଁ । କ୍ଵାରେଣ୍ଟାଇନ କେନ୍ଦ୍ର ପରିସୀମା ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନୀହିଁ । ଆବଶ୍ୟକ ସ୍ଥଳେ କ୍ଵାରେଣ୍ଟାଇନ କେନ୍ଦ୍ର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି କରାଯିବ ।ଔଷଧ ଦୋକାନୀ ମଧ୍ୟ କୌଣସି ବିନା ମାସ୍କ ବ୍ୟକ୍ତିଙ୍କୁ ଔଷଧ ଦେବେ ନାହିଁ । ପେଟ୍ରୋଲ ପମ୍ପ ଗୁଡିକରେ ମାସ୍କ ପିନ୍ଧି ନ ଥିଲେ ତେଲ ମିଳିବ ନାହିଁ । ଯେଉଁ ସବୁ ଦୋକାନରେ ଗହଳି ହେଉଛି ସମ୍ପୃକ୍ତ ଦୋକାନୀ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ମାନେ ନିଶ୍ଚିତ ରୂପେ ମାସ୍କ ପିନ୍ଧି କାର୍ଯ୍ୟ କରିବେ । ଜିଲ୍ଲା ବାହାରକୁ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ଯିବାକୁ ଥିଲେ ଉପଜିଲ୍ଲାପାଳ ଅନୁମତି ପତ୍ର ପ୍ରଦାନ କରିବେ । ରାଜ୍ୟ ବାହାରକୁ ଯିବାର ଥିଲେ ଜିଲ୍ଲାପାଳଙ୍କ ଅନୁମତି ପତ୍ର ଅପରିହାର୍ଯ୍ୟ । ବୈଠକରେ ବ୍ରହ୍ମପୁର ଉପ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବିଜେଶ କୁମାର ରାଏ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ବ୍ରହ୍ମପୁର ମହା ନଗରନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା