ଲକଡାଉନ ଅବସ୍ଥାରେ ମଇ ଦିବସ ପାଳନ ପାଇଁ ଆହ୍ୱାନ କଲେ ଏଆଇଟିୟୁସି ଜିଲ୍ଳା ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା) କରୋନା ଭୁତାଣୁ ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ କେନ୍ଦ୍ର ସରକାର ଲକଡାଉନ ଜାରୀ କରିବା ହେତୁ ସୃଷ୍ଟି ହୋଇଥିବା ଗୁରୁତର ଅବସ୍ଥା ବିଶେଷ କରି ଦିନମଜୁରିଆ ଖଟିଖିଆ ପ୍ରବାସୀ ଶ୍ରମିକ, ଠିକା ଶ୍ରମିକ, ଅସ୍ଥାୟୀ ଶ୍ରମିକ, ନିର୍ମାଣ ଶ୍ରମିକ ସମେତ ଲକ୍ଷ ଲକ୍ଷ ଗରିବ ଶ୍ରମିକ ସେମାନଙ୍କର ଚୁଲି ମଧ୍ୟ ଜଳୁ ନ ଥିବା ଭଳି ବିଷମ ପରିସ୍ଥିତିରେ ଥିବା ବେଳେ ଆସିଛି ଶ୍ରମିକ ଶ୍ରେଣୀର ଆନ୍ତର୍ଜାତିକ ଶ୍ରମିକ ସଂହତି ଦିବସ ତଥା ମଇ ଦିବସ । ଲକଡାଉନର ନିୟମକୁ ମାନି ସମସ୍ତ ନାଗରିକ ଆଜି ଘରେ ରହିବାକୁ ପ୍ରତିବଦ୍ଧ ହୋଇଛନ୍ତି । କିନ୍ତୁ ନିଜର ଜୀବନକୁ ବିପନ୍ନ କରି ସ୍ୱାସ୍ଥ୍ୟ ସେବା, ବିତ୍ତିୟ ସେବା, ବିଦ୍ୟୁତ ସେବା, ଜରୁରୀ ପରିବହନ, ଜଳ ଯୋଗାଣ ଏବଂ ପରିମଳ ସେବା ପ୍ରଭୃତି କ୍ଷେତ୍ରରେ ନିୟୋଜିତ ସକଳ ସମ୍ପଦର ସ୍ରଷ୍ଠା ଶ୍ରମିକ ତଥା ଶ୍ରମଜୀବୀ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଜି ସମସ୍ତେ ଉପଲବ୍ଧ କରୁଛନ୍ତି । କେନ୍ଦ୍ର ସରକାର ତାହାର ଶ୍ରମିକ ମାରଣ ନୀତିକୁ ଚଳାଇ ରଖି ଆଜିର କଠିନ ସମୟରେ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀ ମାନଙ୍କର ୪% ବର୍ଦ୍ଧିତ ମାହାଙ୍ଗା ଭତ୍ତା ୧୮ ମାସ ପାଇଁ ବନ୍ଦ କରିବା, ଶ୍ରମିକର ୮ ଘଣ୍ଟା ଶ୍ରମ ଦିବସ ନିୟମକୁ ବଦଳାଇ ୧୨ ଘଣ୍ଟା କରିବା, କୋଇଲା, ବ୍ୟାଙ୍କ, ଏୟାର ଇଣ୍ଡିଆ, ପ୍ରତିରକ୍ଷା ଶିଳ୍ପ ଏବଂ ବୀମା କ୍ଷେତ୍ର ସମେତ ସମସ୍ତ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଶିଳ୍ପରେ ୧୦୦% ବିଦେଶୀ ପୁଞ୍ଜିକୁ ଅନୁମତି ଦେବା ପ୍ରଭୃତି ଜନବିରୋଧୀ କାର୍ଯ୍ୟକୁ ଚଳାଇ ରଖିଛନ୍ତି । ଏହା ଶ୍ରମିକ ଶ୍ରେଣୀ ପାଇଁ ଗ୍ରହଣୀୟ ନୁହେଁ ବୋଲି ଶ୍ରମିକ ସଙ୍ଗଠନ ଜିଲ୍ଲା ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ ଅଭିଯୋଗ କରିଛନ୍ତି । ୮ ଘଣ୍ଟା ଶ୍ରମ ଦିବସର ଅଧିକାର ପାଇଁ ଲଢେଇ ଆଜିର ନୁହେଁ । ଏହି ଦାବି ହାସଲ କରିବା ପାଇଁ ଶ୍ରମିକ ଶ୍ରେଣୀ ଅନେକ ଲଢେଇ କରିଛି, ଅନେକ ଶହୀଦ ହୋଇଛନ୍ତି ଏବଂ ଶ୍ରମିକ ତାହାର ନାର୍ଯ୍ୟ ଦାବି ସଂଗ୍ରାମ ବଳରେ ହାସଲ କରିଛି ସମଗ୍ର ବିଶ୍ୱରେ । ଯେକୌଣସି ପରିସ୍ଥିତିରେ ମଧ୍ୟ ଶ୍ରମିକ ଶ୍ରେଣୀ ତାହାର ଅଧିକାରକୁ ଛଡେଇ ନେଉଥିବା ନୀତି ନିୟମକୁ ମୁଣ୍ଡପୋତି ସହ୍ୟ କରିନେବ ନାହିଁ । କରୋନା ଭୁତାଣୁର ବିପଜ୍ଜନକ ମହାମାରୀକୁ ମୁକାବିଲା କରିବା ସମୟରେ ଆଜି ଶ୍ରମିକମାନେ ‘ମଇ ଦିବସ’ ପାଳନ କରିବା ପାଇଁ ଶାରୀରିକ ଦୂରତା ବଜାୟ ରଖି ନିଜ ଘର, ଦୋକାନ, କାର୍ଯ୍ୟାଳୟ ଉପରେ ଲାଲ ପତାକା ଉତ୍ତୋଳନ କରି ଶ୍ରମିକ ଶ୍ରେଣୀର ଏହି ସଂଗ୍ରାମରେ ନିଜର ଯୋଗଦାନକୁ ସୁନିଶ୍ଚିତ କରିବେ । ଏହି ଦିନ ସମସ୍ତେ ୮ ଘଣ୍ଟା ଶ୍ରମ ଦିବସ ନିୟମ ବଳବତ୍ତର ରହିବା ପାଇଁ ସଂଗ୍ରାମ ଚଳାଇ ରଖିବାକୁ ଶପଥ ନେବାକୁ ଏଆଇଟିୟୁସି ଆହ୍ୱାନ ଜଣାଇଛି । ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଳା ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ ଏକ ପ୍ରେସ ବିବୃତ୍ତିରେ ଏହି ଆହ୍ୱାନ ଦେବାସହ  ସମସ୍ତ ଶ୍ରମିକ କର୍ମଚାରୀ ଓ ଶ୍ରମଜୀବୀ ଜନତାଙ୍କୁ ମଇ ଦିବସର ବୈପ୍ଲବିକ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା