ରୋଗୀ ମୃତ୍ୟୁ ମାମଲାରେ ସିଲ ଥିବା ମା’ କ୍ଲିନିକ୍‌କୁ ଯାଞ୍ଚ କଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବଡବଜାର ଠାରେ ଥିବା ମା କ୍ଲିନିକ୍‌ରେ ଜଣେ ପ୍ରସୂତୀର ମୃତ୍ୟୁ ଘଟଣାରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଗତ ମେ ମାସରେ ସିଲ କରାଯାଇଥିଲା । ଆଜି ମଂଗଳାବାର ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିପିଏଚ୍‌ଓ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଏକ ପ୍ରତିନିଧି ଦଳ ଏଠାକୁ ଆସି ବିଭିନ୍ନ ଦିଗରୁ ଯାଞ୍ଚ କରି ଫେରି ଯାଇଛନ୍ତି । ଅତିରିକ୍ତ ତହସିଲଦାର ହେମନ୍ତ ନାୟକଙ୍କ ଉପସ୍ଥିତିରେ ଜଳେଶ୍ୱର ପୋଲିସ୍ ଏହାର ସିଲ କାଟିବା ପରେ ଅଧିକାରୀମାନେ କ୍ଲିନିକ୍‌ର ଭିତରେ ଥିବା ସରଞ୍ଜାମ, ଆସବାପତ୍ର, କାଗଜପତ୍ର ଓ ଭିତ୍ତିଭୂମୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ସମସ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାର ଡା. ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ପୁଣିଥରେ ଏହାକୁ ସିଲ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା