ରାୟଗଡାର ଆଣ୍ଟିବଡି ଟେଷ୍ଟ ବେଳେ ଏଏନ୍‍ଏମ୍‍ ରକ୍ତ ନମୁନା ସଂଗ୍ରହ କରି ନ ପାରିବାରୁ ଅସନ୍ତୋଷ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହରରେ ଆଣ୍ଟିବଡି ଟେଷ୍ଟ ବା ଶିରୋ ସର୍ଭେ ବେଳେ ଏଏନ୍‍ଏମ୍‍ କର୍ମୀ ରକ୍ତ ନମୁନା ସଂଗ୍ରହ କରି ନ ପାରିବାରୁ ଅସନ୍ତୋଷ ଦେଖାଦେଇଛି । କୋଭିଡ ମୁକାବିଲା ସକାଶେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । କରୋନାର ବର୍ତମାନ ସ୍ଥିତି ଓ ଗ୍ରାମୀଣ ଲୋକଙ୍କ ରୋଗ ପ୍ରତିଷେଧକ କ୍ଷମତା ଜାଣିବାକୁ ଆରମ୍ଭ ହୋଇଛି ଶିରୋ ସର୍ଭେ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଅନୁଧ୍ୟାନ ପାଇଁ ରାୟଗଡ଼ାରେ ପଂହଚିଛନ୍ତ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ, ଆଇ.ସି.ଏମ.ଆର ଅନୁବନ୍ଧିତ ଆରଏସଆରସିର ଟିମ । ଆଇ.ସି.ଏମ୍‍.ଆର ନିର୍ଦ୍ଦେଶରେ ରାଜ୍ୟରେ ଆର୍‍ଏମ୍‍ଆରସି ଦ୍ୱାରା ପରିଚାଳିତ ଜାତୀୟ ସିରୋ ସର୍ଭେ କାର୍ଯ୍ୟକ୍ରମରେ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି କରୋନା ପ୍ରତିରୋଧ ସଂପର୍କରେ ସର୍ଭେ ଚାଲିଛି । ହେଲେ ଏଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ଜନୈକା ଏଏନଏମ୍‍ କର୍ମୀ ଲୋକଙ୍କ ରକ୍ତନମୁନା ସଂଗ୍ରହ କରିବାରେ ବିଫଳ ହେବା ନେଇ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ନମୁନା ଦେବାକୁ ଆସିଥିବା ଲୋକେ ଫେରି ଯିବାରୁ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏହି କେନ୍ଦ୍ରରେ ଆଣ୍ଟିବଡି ଟେଷ୍ଟିପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଡକାଯାଇଥିଲା । ଲୋକେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ନମୁନା ଦେବାକୁ ଆସିଥିଲେ । କିନ୍ତୁ ସର୍ବପ୍ରଥମେ ଜଣେ ବୃଦ୍ଧା ମହିଳାଙ୍କ ରକ୍ତ ନମୁନା ନିଆ ଯାଇଥିଲା ଥିଲା । ରକ୍ତ ସଂଗ୍ରହ କରିବାକୁ ନିୟୋଜିତ ଏଏନ୍‍ଏମ୍‍ କରୋନା ରୋଧକ ପିପିଇ କିଟ, ଗ୍ଲୋଭସ୍‍ ସମେତ ସମସ୍ତ ସରଂଜାମ ପିନ୍ଧିଲେ । ତେବେ ସଂପୃକ୍ତ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରି ପାରିଲେ ନାହିଁ । ବାରମ୍ବାର ମହିଳାଙ୍କ ହାତରେ ସଂପୃକ୍ତ ଏଏନ୍‍ଏମ୍‍ ଜଣକ ସିରିଞ୍ଜ ଫୋଡି ଚାଲିଥିଲେ । ହେଲେ ଥରୁଟିଏ ସିରିଂଜରେ ଠିକ୍‍ ଭାବେ ରକ୍ତ ନେଇ ପାରିନଥିଲେ । ଶେଷରେ ବୃଦ୍ଧା ମହିଳା ଜଣକ ଲହୁଲହୁହାଣ ହେବା ପରେ ତାଙ୍କ ସମ୍ପର୍କୀୟ ବିରକ୍ତି ଭାବ ପ୍ରକାଶ କରି ବୃଦ୍ଧା ମହିଳାଙ୍କୁ ଉକ୍ତ କେନ୍ଦ୍ରରୁ ଟାଣିଟାଣି ନେଇ ଯାଇଥିଲେ । ବୃଦ୍ଧା ମହିଳାଙ୍କ ଏଭଳି ଅବସ୍ଥା ଦେଖି ନମୁନା ଦେବାକୁ ଆସିଥିବା ସବୁ ଲୋକ ଭୟରେ ଚାଲିଯାଇଥିଲେ । ଫଳରେ ଦୀର୍ଘ ସମୟ ପାଇଁ ଉକ୍ତ କେନ୍ଦ୍ରରେ ନମୁନା ସଂଗ୍ରହ ବନ୍ଦ ରହିଥିଲା । ଅନ୍ୟପକ୍ଷେ ବିନା କୌଣସି ତାଲିମ ଦେଇ ଏଏନଏମ ଓ ଅଙ୍ଗନବାଡି କର୍ମୀଙ୍କୁ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏମାନେ ସଠିକ ରୂପେ କାମ ଜାଣୁନଥିବାରୁ ଜଣେ ବ୍ୟକ୍ତିଙ୍କ ହାତରେ ଏକାଧିକ ସ୍ଥାନରେ ସିରିଂଜ ଫୋଡି ରକ୍ତ ସଂଗ୍ରହ କରୁଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଯନ୍ତ୍ରଣା ଭୋଗିବା ସହ ଆସନ୍ତା ଦୁଇ ତିନି ଦିନ ଯାଏ ସେହି ସ୍ଥାନ ଫୁଲି ଉଠୁଛି । ସେଥିପାଇଁ କେହି ଲୋକ ନମୁନା ଦେବାକୁ ମଙ୍ଗୁ ନଥିବା ମାଲେଶ୍ୱର ପଟ୍ଟନାୟକ ଓ ଗୌରୀ ପଟନାୟକ ସ୍ଥାନୀୟ ସହରବାସିନ୍ଦା ସୂଚନା ଦେଇଛନ୍ତି । ତେବେ ଏଏନ୍‍ଏମ୍‍ଙ୍କ ଦ୍ୱାରା ରକ୍ତ ସଂଗ୍ରହ ନହୋଇପାରିବା ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେବା ସହ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ବନ୍ଦ ହେବା ସଂପର୍କରେ ପଚାରିବାରୁ ସେଠାରେ କ୍ୟାମ୍ପ ପରିଚାଳନା କରୁଥିବା ଆରଏମ୍‍ଆର୍‍ସି ଇନ୍‍ଚାର୍ଯ କିମ୍ବା ସଂପୃକ୍ତ ନର୍ସ କିଛି କହିବାକୁ ମନା କରିଦେଇଥିବା ବେଳେ ରାୟଗଡ଼ା ସିଡିଏମ୍‍ଓ ମଧ୍ୟ ଅବ୍ୟବସ୍ଥା ସଂପର୍କରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ