ରାୟଗଡ଼ା ସୀମାନ୍ତରେ ମାତିଛନ୍ତି ବାଲି ମାଫିଆ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଓ ପଡୋଶୀ ଆନ୍ଧ୍ର ସୀମାନ୍ତରେ ସକ୍ରିୟ ହୋଇ ପଡିଛନ୍ତି ବାଲି ମାଫିଆ । ନଗାବଳୀପଠାରୁ ବେଆଇନ ଭାବେ ମେଶିନ ଜରିଆରେ ହେଉଛି ବାଲି ଉତ୍ତୋଳନ । ରାତି ଅଧିଆ ନଦୀ ଭିତରୁ ଚାଲିଛି ବେଲଗାମ ବାଲି ଚାଲାଣ । ନଦୀ ତୁଠରୁ ଉଠୁଛୁ ସବୁଦିନ ଶତାଧିକ ଟ୍ରିପ ବାଲି । ପରେ ଡମ୍ପିଂୟାର୍ଡରେ ଜମାହେଲା ପରେ ରାତାରାତି ଭାରି ଯାନ ଯୋଗେ ପଡୋଶୀ ଆନ୍ଧ୍ରକୁ ଚାଲିଛି ଚାଲାଣ । ତେବେ ଏ ନେଇ ରାଜସ୍ୱ ବିଭାଗ ନିକଟରେ ସବୁ ସୂଚନା ଥାଇ ମଧ୍ୟ ଜାଣିଶୁଣି ଅଖି ବୁଜି ଦେଇଥିବା ଅଭିଯୋଗ ହେଉଛି । ସେପଟେ ଭାରିଯାନ ଦ୍ୱାରା ରାଜ୍ୟ ବାହରକୁ ବାଲି ଚାଲାଣ ହେଉ ଥିବାବେଳେ ପରିବହନ ବିଭାଗର ବିନା ଅନୁମତିରେ ଆନ୍ଧ୍ର ରାଜ୍ୟ ପରମିଟ୍‍ ଥିବା ଗାଡିରେ ବୁହା ହେଉଛି ବାଲି । ଏଭଳି ବେଲଗାମ ଭାବେ ଦୀର୍ଘଦିନରୁ ନାଗାବଳୀ ନଦୀରୁ ବାଲି ଉଠାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି । ଖୋଦ୍‍ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର କେଇ କିଲୋମିଟର ଦୂରତାରେ ଅବସ୍ଥିତ ପ୍ରତାପ ପୁର ଛକ ନିକଟ ବାଲିଘାଟ ଓ ଗୁରୁରାଜଗୁଡା ଠାରେ ନାଗାବଳୀ ନଦୀତୁଠରେ ଆନ୍ଧ୍ର ବାଲି ଠିକାଦରଙ୍କ ଚାଲିଛି ଏପରି ମାଫିଆରାଜ । ବିନା କୌଣସି ଅନୁମତିରେ ନଦୀପଠାରୁ ମେସିନ ମାଧ୍ୟମରେ ପ୍ରତ୍ୟେକ ଦିନ ସନ୍ଧ୍ୟାହେଲେ ବାଲି ଉତ୍ତୋଳନ ହୋଇ ପରେ ଟ୍ରାକ୍ଟର ଜରିଆରେ ଆଣି ପାର୍ଶ୍ୱସ୍ତ ଉପକୂଳ ଅଞ୍ଚଳର ଏକ ପରିତ୍ୟକ୍ତ ସ୍ଥନରେ ବାଲି ଆଣି ଜମା ରଖୁଥିବା ଦେଖିବାକୁ ମିଳୁଛି । ପରବର୍ତ୍ତି ପର୍ଯ୍ୟାୟରେ ସେଠାରୁ ଭାରିଯାନ ଯୋଗେ ସମ୍ପୃକ୍ତ ଠିକାଦାର ମେସିନ ଦ୍ୱାରା ବୋଝେଇ କରି ଏହି ବାଲିକୁ ପଡୋଶୀ ଆନ୍ଧ୍ର ରାଜ୍ୟକୁ ଚାଲାଣ କରୁଥିବା ସୂଚନା ମିଳିଛି । ପଡୋଶୀ ରାଜ୍ୟରେ ବାଲି ଅଭାବ ଓ ଲୋକଙ୍କ ଚାହିଦା ଅଧିକ ରହିଥିବାରୁ ଠିକାଦାର ଉକ୍ତ ବାଲିକୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଆନ୍ଧ୍ରକୁ ବାଲି ବୋଝେଇ କରି ନେଉଥିବା ଭାରି ଯାନ ରାଜସ୍ୱ ବିଭାଗର ଅନୁମୋଦିତ ୱାଇ ଫର୍ମ ଓ ପରିବହନ ବିଭାଗର କୌଣସି ଅନୁମତିରେ ନନେଇ ରାତି ଅଧିଆ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଉଦାସିନର ବିଷୟ ପ୍ରତିବର୍ଷ ନଗାବଳୀ ନଦୀରେ ବନ୍ୟା ପରିସ୍ଥିତି ଉପୁଯିଥିବା ସହ କିଛି ଗାଁ ନାଗବଳୀରେ ଲୀନ ହେବାକୁ ବସିଲାଣି ଏଭଳି ସ୍ଥିଳେ ନଦୀ ତୁଠରୁ ଶାହସ୍ର ଟ୍ରିପ ବାଲି ଉଠାଣ ଯୋଗୁଁ ନଗାବଳୀ କୂଳ ଲଙ୍ଘିବା ଆଶଙ୍କା ସ୍ଥାନୀୟ ବାସୀନ୍ଦାଙ୍କୁ ଆତଙ୍କିତ କରୁଛି । ଠିକାଦରଙ୍କ ମନ ମୁତାବକ ନଦୀରୁ ବାଲି ଉଠାଣ ଯୋଗୁଁ ପ୍ରତିବର୍ଷ ନଦୀ ତାର ଗତିପଥ ପରିବର୍ତ୍ତନ କରୁଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ନାଗାବଳୀରେ ବନ୍ୟା ପରିସ୍ଥିତି ଦେଖାଦେଲେ ଉପକୂଳ ବାସୀଙ୍କ ପାଇଁ ଏହା ଭୟାବହ ପରିସ୍ଥିତି ସୃଷ୍ଟି କରିବ ନେଇ ସମ୍ଭାବନା ଦେଖାଦେଇଛି । ସୂଚନାଯୋଗ୍ୟ, ସ୍ଥାନୀୟ ଠିକାଦାର ଲିଜ୍‍ ମାଧ୍ୟମରେ ବାଲି ଉତ୍ତୋଳନ ସକାଶେ ଅନୁମତି ହାସଲ କରି ପରବର୍ତ୍ତି ସମୟରେ ସେ ଆନ୍ଧ୍ର ବାଲି ମାଫିଆଙ୍କୁ ମାସିକ ସୂତ୍ରରେ ବାଲି ଉଠାଣ ନିମନ୍ତେ ଅନୁମତି ପ୍ରଦାନ କରୁଥିବା ଜଣାପଡିଛି । ଏଭଳିସ୍ଥିତିରେ ସମ୍ପୃକ୍ତ ଠିକାଦାର ମେଶିନ ମାଧ୍ୟମରେ ମନଇଚ୍ଚା ବାଲି ଉତ୍ତୋଳନ କରୁଥିବାବେଳେ ସରକାରଙ୍କ କୋଟିକୋଟି ଟଙ୍କା ରାଜସ୍ୱକୁ ପ୍ରତିଦିନ ଫାଙ୍କି ଚାଲିଥିବା ଅଭିଯୋଗ ହେଉଛି । ରାଜସ୍ୱ ବିଭାଗ ଦ୍ୱାରା ଠିକଦାରଙ୍କୁ ପ୍ରଦାନ କରାଯାଇଥବା ଲିଜ ଅବଧି ମଧ୍ୟରେ ପ୍ରତାପୁର ବାଲିଘାଟରୁ ୭୮୦୦କ୍ୟୁବିକ ମିଟର ଓ ଗୁରୁରାଜଗୁଡାରୁ ୭୫୦୦କ୍ୱୁବିକ ମିଟର ବାଲି ଉତ୍ତୋଳନ କରିବାକୁ ବିଭାଗ ଅନୁମତି ଦେଇଥିବାବେଳେ ଠିକାଦର ଜଣକ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ମନମୁତାବକ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଏ ନେଇ ଅଭିଯୋଗ ହେଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ନିଦାବିର୍ଷ୍ଣୁ ସାଜିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏ ସମ୍ପର୍କରେ ତହସିଲଦାର ଉମାଶଙ୍କର ବେହେରାଙ୍କୁ ପ୍ରତିକ୍ରିୟା ପଚାରିବାରୁ ସେ କହିଛନ୍ତି, ଠିକାଦର ଲିଜ ମୁତାବକ ବାଲି ଉତ୍ତୋଳନ କରୁଛନ୍ତି । ମେସିନ ମାଧ୍ୟମରେ ନଦୀ ଭିତରୁ ବାଲି ଉଠାଣ କରାଯାଉ ନାହିଁ । ଏଭଳି ଅଭିଯୋଗ ଆସିଲେ ସଙ୍ଗେସଙ୍ଗେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିସହ ବିନା ୱାଇ୍‍ ଫର୍ମ ଥାଇ କୌଣସି ଗାଡି ବାଲି ଚାଲାଣ କରୁଥିଲେ ଆତର୍କିତ ଚଢାଉ କରି ସମ୍ପୃକ୍ତ ଗାଡି ମାଲକଙ୍କଠାରୁ ଜୋରିମନା ଆଦାୟ କରାଯାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଅନ୍ୟପଟେ ଏ ସଂକ୍ରାନ୍ତରେ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏ ନେଇ ବିଭାଗର ଦୃଷ୍ଟିଗୋଚର ରହିଛି । ଏଭଳି ବିନା ପରମିଟରେ ବେଆଇନ ବାଲି ପରିବହନ କରୁଥିବା ଗାଡି ଗୁଡିକ ଉପରେ ବିଭିନ୍ନ ସମୟରେ ସୀମାନ୍ତ କେରେଡାଠାରେ ଚଢାଉ କରାଯାଉଛି । ଜାତୀୟ ପରମିଟ ଥିବା ଗାଡି ଗୁଡିକୁ ଛାଡିବା ସହ ବେଆଇନ ଚାଲାଣକାରୀ ଗାଡି ଗୁଡିକଠାରୁ ମୋଟା ଅଙ୍କର ଟଙ୍କା ଜୋରିମନା ଆଦାୟ କରାଯାଉଥିବା ଶ୍ରୀ ଦଳାଇ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ