ରାୟଗଡ଼ା ସହରରେ ଦାଦାବଟି ଗ୍ୟାଙ୍ଗ୍‌ : ଡକାୟତ ଦଳର ୪ ସଦସ୍ୟ ଗିରଫ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହରରେ ଦାଦାବଟି ଆଦାୟ କରୁଥିବା ଡକାୟତ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ରାୟଗଡ଼ା ଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ପ୍ରେସ ବିବୃତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ରାୟଗଡ଼ାର ସହକାରୀ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣୀଙ୍କୁ ଅନ୍ୟମାନଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବା କହି ଡରାଇ ଧମକାଇ ୩ ଥର ଦାଦାବଟି ଆଦାୟ ନାମରେ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ବେଳେ ଜଣେ ଟ୍ରକ ଡାଇଭ୍ରର ଦୟାଦନ ପସ୍ପୁରେଡ୍ଡିଙ୍କୁ ମରଣାତ୍ମକ ଆକ୍ରମଣ କରି ତାଙ୍କ ଠାରୁ ୧୭ଶହ ଟଙ୍କା ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ସହରର ରାଣୀଗୁଡା ଫାର୍ମ ଅଂଚଳର ତ୍ରିନାଥ ମାଝି(୨୯), ଗୈାତମ ବିଡିକା (୨୭), ଅଜୟ କୁମାର ମହାପାତ୍ର (୨୮) ଓ ଶିକୁ ଦାସ(୨୪) ବୋଲି ଜିଲ୍ଳା ଏସ.ପି.ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,ଗତ ୨୩ତାରିଖ ରାତ୍ର ସାଢେ ୧୦ଟା ସମୟରେ ରାଣିଗୁଡା ଫାର୍ମ ଅଂଚଳର ୧୨ତମ ଲାଇନରେ ରହୁଥିବା ଟ୍ରକ ଡ୍ରାଇଭର ଦୟାଦନ ପପ୍ସୁରେଡ୍ଡି ନିଜ ଟ୍ରକ ଧରି ରିଙ୍ଗରୋଡ ଦେଇ ଘରକୁ ଫେରୁଥିବା ବେଳେ ବଂଶୀକ୍ରିଷ୍ଟା ଫଙ୍କସନ୍ ହଲ ଅତିକ୍ରମ କରୁଥିବା ବେଳେ ହଠାତ ଏକ ବୁଲା କୁକୁର ତାଙ୍କ ଟ୍ରକ ତଳେ ଚାପି ହୋଇ ମରିଯାଇଥିଲା । ଟ୍ରକ ଡ୍ରାଇଭର ପପ୍ସୁରେଡ୍ଡି ଟ୍ରକ ଅଟକାଇ ତଳକୁ ଓହ୍ଳେଇ ଦେଖିବାକୁ ଯିବା ସମୟରେ ଉକ୍ତ ଛକରେ ଥିବା ତ୍ରିନାଥ,ଅଜୟ,ଶିକୁ ଓ ଗୈାତମ ବିଡିକାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ କୁକୁରକୁ ମାରିଦେଲୁ କହି ଜୋର ଜବରଦସ୍ତ ଟ୍ରକ ଡ୍ର୍ରାଇଭରକୁ ଟଙ୍କା ମାଗିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ୫ଜଣ ଟ୍ରକ ଡ୍ରାଇଭର ପସ୍ପୁରେଡ୍ଡିକୁ ମାଡମାରି ତାଙ୍କ ପକେଟରେ ଥିବା ୧୭୦୦ଟଙ୍କା ଲୁଟି ନେଇ ଚାଲିଯାଇଥିଲେ । ପରେ ଘଟଣା ସଂପର୍କରେ ଖବର ପାଇ ଗୁରୁତର ଅବସ୍ଥାରେ ଟ୍ରକ ଡ୍ରାଇଭରକୁ ତାଙ୍କ ପରିବାର ଲୋକେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ରାୟଗଡ଼ା ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଉକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେହିପରି ସହକାରୀ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ(ଏଡିଡିଏଚ) ଜଗନ୍ନାଥ ବିନ୍ଧାଣୀଙ୍କୁ ରାୟଗଡ଼ା ସହରରେ ତୁମକୁ ସୁରକ୍ଷା ଦେବୁ କହି ଦାଦାବଟି ଆଦାୟ ନାମରେ ଏହି ଡକାୟତ ଗ୍ୟାଙ୍ଗର ତ୍ରିନାଥ ମାଝି ଓ ଅଜୟ ମହାପାତ୍ରଙ୍କ ସମେତ ଏଥିରେ ସଂପୃକ୍ତ ଥିବା ଅନ୍ୟମାନେ ଗତ ସେପ୍ଟେମ୍ବର ମାସରେ ୫୦ହଜାର,ଅକ୍ଟୋବର ମାସରେ ୨୦ହଜାର ଟଙ୍କା ଏବଂ ଚଳିତ ନଭେମ୍ବର ମାସ ୨୪ ତାରିଖ ରାତ୍ରରେ ଶ୍ରୀ ବିନ୍ଧାଣୀଙ୍କ ଘରୁ ନଗଦ ୨୦ହଜାର ଟଙ୍କା ନେବା ସହ ତାଙ୍କ ଏଟିଏମରୁ ୪୦ହଜାର ଟଙ୍କା ଉଠାଣ କରି ମୋଟ ୧ଲକ୍ଷ ୩୦ ହଜାର ଟଙ୍କା ୩ ଥର ଲୁଟି ନେଇଥିଲେ । ତେବେ ତୃତୀୟ ଥର ଦାଦାବଟି ଆଦାୟ ବେଳେ ଏକ କଲମ ଦ୍ୱାରା ଏଡିଡିଏଚଙ୍କ ଛାତିରେ ଆଘାତ କରି ଚାପୁଡା,ମୁଥ ମାଡମାରି ୨୦ହଜାର ଓ ୪୦ହଜାର ମୋଟ ୬୦ ହଜାର ଟଙ୍କା ଲୁଟି ନେଇ ନିଜ ନିଜ ଭିତରେ ବାଂଟି ନେଇଥିଲେ । ଏ ନେଇ ଶ୍ରୀ ବିନ୍ଧାଣୀ ଜିଲ୍ଳା ଏସ.ପି. ଡଃ.ଶର୍ବଣା ବିବେକ ଏମ.ଙ୍କୁ ସାକ୍ଷାତ କରି ନିଜ ଉପରେ ଘଟିଥିବା ଘଟଣା ସଂପର୍କରେ ପ୍ରକାଶ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ଥାନାରେ ଏତଲା ଦାୟର ପରେ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ ପାଇଁ ଏସ.ପି.ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ତ୍ରିନାଥ ମାଝି ଓ ଅଜୟ ମହାପାତ୍ର ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧୦ହଜାର ଟଙ୍କା ସହ କଲମ ଜବତ କରାଯାଇଥିବା ଜଣାପଡିଛି । ଟ୍ରକ ଡ୍ରାଇଭରଙ୍କ ଅଭିଯୋଗ ପ୍ରକାରେ ରାୟଗଡ଼ା ଥାନାର କେସ ନମ୍ବର ୩୭୨/୨୦ରେ ମାମଲା ରୁଜୁ କରାଯାଇଥିବା ବେଳେ ଏଡିଡିଏଚ ଶ୍ରୀ ବିନ୍ଧାଣୀଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର ୩୭୩/୩୭୪/୩୭୫/୨୦ରେ ୩ଟି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି । ଅପରପକ୍ଷେ ରାୟଗଡ଼ା ସହରରେ ବୃଦ୍ଧି ପାଉଥିବା ଏହି ପରି ଦାଦାବଟି ଆଦାୟ ଘଟଣାରେ ଶୀକାର ହୋଇଥିବା ବ୍ୟକ୍ତି ବିଶେଷମାନେ ପୋଲିସଙ୍କୁ ଅବଗତ କରାଇଲେ ଅପରାଧୀମାନଙ୍କୁ ଗରିଫ କରାଗଲେ ଅନ୍ୟମାନେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ପୋଲିସ ଅନୁରୋଧ କରୁଥିବା ବେଳେ ଯଥାଶୀଘ୍ର ଦାଦାବଟି ଆଦାୟ କରୁଥିବା ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ