ରାୟଗଡ଼ା ଜିଲ୍ଲା ପରିଷଦ ବୈଠକରେ ଅନୁଷ୍ଠିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାର ୭୨ତମ ଜିଲ୍ଲା ପରିଷଦ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟସଭା ସାଂସଦ ଏନ ଭାଷ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପେଦେଷ୍ଟା ସୁଧିର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗୋ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ । ବୈଠକ ଆରମ୍ଭରେ ଜିଲ୍ଲାର ମୌଳିକ ସମସ୍ୟା ସଂମ୍ପର୍କରେ ଆଲୋଚନା କରାଯିବା ସହିତ ରାଜ୍ୟ ସରକାର ଏଥିନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ପୁଆଲା ସଭାରେ ଆଲୋଚନା କରିଥିବାବେଳେ କୋରାପୁଟ ଲୋକସଭା ସାଂସଦ ପାଣ୍ଠିରୁ ସଠିକ ରୂପେ ଟଙ୍କା ଖର୍ଚ୍ଚ ନହେଉଥିବା ଓ ଏଥିନେଇ ଜିଲ୍ଲାପ୍ରଶାସନ ଦୃଷ୍ଟି ନଦେବା କହି ସଭାରେ କ୍ଷୋଭ ପ୍ରକାଶ କରିଥିଲେ ସାଂସଦ ସପ୍ତଗିରି ଉଲ୍ଲାକା । ସାଂସଦ ପାଣ୍ଠି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବିନିଯୋଗ ନହୋଇଥିବା କହି ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ସେ । ପୂର୍ବତନ ସାଂସଦ ନିଜ ପାଣ୍ଠି ଖର୍ଚ୍ଚ ନକରି ପାରିିଥିବାରୁ ତାଙ୍କର ୧୧କୋଟି ଟଙ୍କା ସରକାରଙ୍କ ନିକଟକୁ ଫେରିଯାଇଥିବା ଶ୍ରୀ ଉଲ୍ଲାକା ସୂଚନା ଦେଇଛନ୍ତି । ସେହିପରି ରେଳମନ୍ତ୍ରାଣୟ ପକ୍ଷରୁ ଜିଲ୍ଲାରେ ଡିଆରଏମ କାର୍ଯ୍ୟାଳୟ ଘୋଷଣା ପରେ ଏହା ଆଜିସୁଦ୍ଧା କାର୍ଯ୍ୟକ୍ଷମ ନହୋଇ ଶୀତଳ ଭଣ୍ଡାରରେ ପଡିରହିଥିବା । ଏବଂ ରେଳ ଯୋଗାଯୋଗକୁ ଜିଲ୍ଲାରେ ସୁଗମ କରିବା ପ୍ରସ୍ତାବିତ ଗୁଣୁପୁର ଥେରୁବାଲି ଲାଇନ କାର୍ଯ୍ୟ ତ୍ୱାରାନ୍ୱିତ କରିବା ତଥା ଜିଲ୍ଲାରେ ମୁଖ୍ୟାଳୟରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଅସଫଳ ହୋଇଥିବା ଦର୍ଶାଇ ସାଂସଦ ଶ୍ରୀ ଉଲ୍ଲାକା ତୁରନ୍ତ ଏଥିନେଇ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଉଦ୍ୟମ କରିବାକୁ ସଭାରେ ଆଲୋଚନା କରିଥିଲେ । ସେହିପରେ ଏହି ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସଂମ୍ପର୍କରେ ଆଲୋଚନା ହୋଇଯାଇଛି । ନେଟୱର୍କ ସମସ୍ୟା ପାଇଁ ୫୦ପ୍ରତିଶତରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କ ନିକଟରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଅପହଞ୍ଚ ହୋଇଥିବାବେଳେ ଏଥିନେଇ ଗ୍ରାମାଞ୍ଚଲରେ ଶିକ୍ଷକ ଗାଁଗାଁ ବୁଲି ଶିକ୍ଷାର୍ଥୀଙ୍କୁ ପାଠ ପଢାଇବା ନେଇ ପାରିଷଦ ସଦସ୍ୟା ପ୍ରସ୍ତାବ ଦେଇଥିଲେ । ତେବେ ଏଥିନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ଉତ୍ତରରରେ ଦର୍ଶାଇଛନ୍ତି । ଜିଲ୍ଲାରେ ମୋଟ ୨୧୨ଟି ବିଦ୍ୟାଳୟ ବନ୍ଦ ହେବା ନେଇ ଶିକ୍ଷା ବିଭାଗ ରାଜ୍ୟ ସରକରାଙ୍କ ନିକଟକୁ ପ୍ରସ୍ତାବ ପଠାଇଥିବା ବୈଠକରେ ଆଲୋଚନା ହୋଇଛି । ତେବେ ଏହା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆପାତଃ ଜିଲ୍ଲାରେ ମୋଟ ୧୯୭ବିଦ୍ୟାଳୟକୁ ବନ୍ଦ କରାଯିବା ନିଷ୍ପତ୍ତି ହୋଇଥିବାବେଳେ ୧୫ଟି ବିଦ୍ୟାଳୟ ବନ୍ଦ ନିଷତ୍ତି ପୁନଃ ବିଚାରକୁ ନିଆଯାଇଥିବା ଜିଲ୍ଲା ସର୍ବଶିକ୍ଷା ଅଭାଯାନ ପ୍ରକଳ୍ପ ନିର୍ଦ୍ଦେଶିକା ବେଠକରେ ପ୍ରକାଶ କରିଛନ୍ତି । ଅପରପକ୍ଷେ ଶିକ୍ଷାର୍ଥୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ରାଜ୍ୟରେ ପ୍ରଥମ ଥର ଲାଗି ରାୟଗଡ଼ାରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନା ଖାଇବା ନିମନ୍ତେ ଡାଇନିଂ ହଲର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଏଥିନେଇ ଗ୍ରାମପଞ୍ଚାୟତ ପାଣ୍ଠିରୁ ସବୁ ପଞ୍ଚାୟତ ସ୍ତରରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣାଇଛି । ଆସନ୍ତା ଦିନରେ ୩୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ଏହି ଡାଇନିଂ ହଲ ବ୍ୟବସ୍ଥା ନିର୍ମାଣ କରାଯିବାକୁ ଲକ୍ଷ ରହିଥିବା ପ୍ରକଳ୍ପ ନିର୍ଦ୍ଦେଶ ଅମ୍ରିତ ଋତୁରାଜ ସଭାରେ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାରେ କରୋନା କାଳରେ ଖିଭଳି ସ୍ୱାସ୍ଥ୍ୟସୁବିଧା ଲୋକଙ୍କୁ ପ୍ରଗଦାନ କରାଯାଉଛି ସେଥିନେଇ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ଚିକିତ୍ସାଳୟରେ ଅଲ୍ଟ୍‍ା ସାଉଣ୍ଡ ମେଶିନ ଅଚଳ ଓ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ପାରିଷଦ ସଦସ୍ୟ ଅଭିଯୋଗ କରିଥିବାବେଳେ ତୁରନ୍ତ ଜିଲ୍ଲାରେ ଡାକ୍ତରୀ ପଦବୀ ତଥା ଅନ୍ୟ ଭିତ୍ତିଭୂମି ସଂମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରି ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ଆରର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନଲଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ