ରାୟଗଡ଼ା ଜିଲ୍ଲା ପରିଷଦ ନିର୍ବାଚନ:ବିଜୟ ହେଲେ ବିଜେଡ଼ି ପାର୍ଥୀ…

ରାୟଗଡ଼ା (ସମୃଦ୍ଧ ଓଡିଶା) କଡା ସୁରକ୍ଷା ମଧ୍ୟରେ ଆଜି ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ହୋଇଛି । ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ୨୧ଜଣ ସଭ୍ୟଙ୍କ ମଧ୍ୟରୁ ୨ଜଣ ବିଜେପି ସଦସ୍ୟ ଅନୁପସ୍ଥିତ ରହିଥିବା ବେଳେ କଂଗ୍ରେସ ସପକ୍ଷରେ ୫ଟି ଭୋଟ ଓ ଗୋଟିଏ ଭୋଟ ନାକଚ ହୋଇଯାଇଛି । ତେବେ କଂଗ୍ରେସ ଦଳର ସଂଖ୍ୟା ରହିଥିବା ବେଳେ କିଛି କଂଗ୍ରେସ ଓ ବିଜେପି ସଦସ୍ୟ ଘୋଡା ବେପାରରେ ସାମିଲ ହୋଇଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ବହୁ ବାଦବିବାଦ ପରେ ଶେଷ ହୋଇଛି ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । କଂଗ୍ରେସର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେହିପରି କଂଗ୍ରେସକୁ ୫ଖଣ୍ଡ ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି । ଗତକାଲି ଠାରୁ ବିଜେପି ଦଳ ପକ୍ଷରୁ ୪ଜଣ ନିର୍ବାଚିତ ସଦସ୍ୟ ଭୋଟଦାନ ପ୍ରକ୍ରିଆରେ ସାମିଲ ନହେବା ପାଇଁ ହ୍ବିପ୍ ଜାରି ହୋଇଥିଲା । ତାସତ୍ତ୍ବେ ମଧ୍ୟ ଦୁଇ ଜଣ ସଦସ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୌବର୍ତ୍ତ ଭୋଟଦାନ ପ୍ରକ୍ରିଆରେ ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ଭାବେ ଗଙ୍ଗାଧର ପୁଆଲା ନାମାଙ୍କ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଆଶୁତୋଷ କିଲାକା ନାମାଙ୍କ ପତ୍ର ଦାଖଲ କରିଥିଲେ । ଶେଷରେ ନିର୍ବାଚନ ଅଧିକାରୀ ତଥା ଡିଆରଡିଏ ପ୍ରକଳ୍ପ ପ୍ରଶାସକ ଅମ୍ରିତ୍ ଋତୁରାଜ ଗଙ୍ଗାଧର ପୁଆଲାଙ୍କୁ ବିଜୟୀ ଘୋଷିତ କରିଥିଲେ । ଅନ୍ୟପଟେ ନିର୍ବାଚନ ପ୍ରକ୍ରିଆକୁ ବିରୋଧ କରି ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନିର୍ଦ୍ଦାରିତ ସମୟ ପୂର୍ବରୁ ଦୁଇ ଜଣ ବିଜେପି ସଦସ୍ୟଙ୍କୁ ଭୋଟ ଦାନ କେନ୍ଦ୍ର ଭିତରେ ପ୍ରବେଶ କରିବା ଘଟଣାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । ବିଜେଡିର କେବଳ ୭ଜଣ ନିର୍ବାଚିତ ପ୍ରତିନିଧି ରହିଥିବା ବେଳେ ସେମାଙ୍କ ସପକ୍ଷରେ ୧୩ଗୋଟି ଭୋଟ ଗଲା କିପରି ବୋଲି ବିରୋଧି ପ୍ରଶ୍ନ କରିଛନ୍ତି । ତେବେ ବିଜେଡି ଦଳ ଘୋଡା ବେପାରରେ ସାମିଲ ଥିବା ବିରୋଧି ସ୍ପଷ୍ଟ କରିଛନ୍ତି । ଗତ ବର୍ଷ ଡେସେମ୍ବର ୨୪ ତାରିଖ ଦିନ ଏକ ସଡକ ଦୁର୍ଘଟଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ମୃତ୍ୟୁବରଣ କରିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ