ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣାରେ ୩ ପୋଲିସ କର୍ମଚାରୀ ନିଳମ୍ବିତ…

କଟକ (ସମୃଦ୍ଧ ଓଡିଶା) ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପୋଲିସ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହି ୩ ଜଣଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ନେଇ ଅଭିଯୋଗ ଆସିଥିବାରୁ ସମସ୍ତଙ୍କୁ ନିଳମ୍ବିତ କରାଯାଇଛି।କଟକ ନୂଆବଜାର ଛକରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । କଟକ ଓ ଭୁବନେଶ୍ୱରର ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାଥମିକ ତଦନ୍ତରେ ପୁଲିସ କର୍ମଚାରୀମାନେ ମାତ୍ରାଧିକ କାର୍ଯ୍ୟ କରିଥିବା ଏଡିସିପି ତାଙ୍କ ରିପୋର୍ଟରେ ଦର୍ଶାଇବା ପରେ ଡିସିପି ହାବିଲଦାର ପିକେ ବେହେରା, କନ୍‌ଷ୍ଟେବଳ ବି କେ ସାମଲ ଓ ୟୁ କେ ଭୂୟାଁଁଙ୍କୁ ନିଳମ୍ବିତ କରିଛନ୍ତି । ଏହା ସହ ହୋମଗାର୍ଡ କିଶୋର ଜେନାଙ୍କୁ ନୋଟିସ୍‌ ଜାରି ହୋଇଛି । ଆସନ୍ତା ୧ ମାସ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ନିଲମ୍ବନ କରାଯାଇଥିବା କଟକ ଡିସିପି କହିଛନ୍ତି ।ଏହି ଘଟଣାକୁ କେନ୍ଦ୍ର କରି ଭୁବନେଶ୍ୱର କଳ୍ପନା ଛକରେ ଆଜି ଆଇନଜୀବୀଙ୍କ ପକ୍ଷରୁ ରାସ୍ତାବନ୍ଦ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ପୁଣି ଆଜି ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଆଇନଜୀବୀମାନେ ଏକ ଶୋଭା ଯାତ୍ରା କରି ପ୍ରତିବାଦ କରିଥିଲେ । ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।