ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଗଞ୍ଜାମର ୫୧ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବୀର ହନୁମାନ କ୍ଳବ ଠାରେ ଗତ ୧୦-୧୧ ତାରିଖ ଦୁଇଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିବା ଗଞ୍ଜାମର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୨୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଗଞ୍ଜାମରୁ ଜ୍ୟେଷ୍ଠ ଓ କନିଷ୍ଠ ୭୧ ଜଣ ମହିଳା, ପୁରୁଷ ଭାଗ ନେଇଥିଲେ । ଏଥିରେ ଗଞ୍ଜାମ ଜିଲାରୁ ୫୧ ଜଣ ପ୍ରତିଯୋଗୀ ସଫଳତାର ସହ ପଦକ ହାସଲ କରିଥିଲେ । ସେମାନଙ୍କ ମଧ୍ୟରେ ୨୬ ଜଣ ସ୍ୱର୍ଣ୍ଣ, ୧୪ ଜଣ ରୌପ୍ୟ, ୧୧ଟି ବ୍ରୋଞ୍ଜ ପଦକ ପାଇଛନ୍ତି । ରାଜ୍ୟ କ୍ରୀଡ଼ା ସଚିବ ତଥା ନିର୍ଦ୍ଦେଶକ ଭିନ୍ନଲ କ୍ରିଷ୍ଣା, ଅତିରିକ୍ତ ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ଜେନା, ରାଜ୍ୟ ଯୁଗ୍ମ ସଚିବ ରାଜ୍ୟ ଭାରୋତ୍ତଳନ ସଂଗଠନର ସଭାପତି ଚିତ୍ତରଞ୍ଜନ ସ୍ୱାଇଁ, ରାଜ୍ୟ ଯୁଗ୍ମ ସଚିବ ରଞ୍ଜିତ କୁମାର ପରିଡ଼ା, ରାଜ୍ୟ ଉପସଭାପତି ତଥା ଜିଲା ସଭାପତି କୁମୁଦ ଚନ୍ଦ୍ର ସାହୁ, ରାଜ୍ୟ ସମ୍ପାଦକ ନାରାୟଣ ସାହୁଙ୍କ ସମେତ କ୍ରୀଡ଼ା ବିଭାଗ ପଦାଧିକାରୀ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୀର ହନୁମାନ କ୍ଳବ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସମେତ ଜିଲା ସମ୍ପାଦକ ଗାଗାରିନ ନାୟକ, ଜିଲା କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ବରିଷ୍ଠ କୋଚ୍‌ ସୀତା ପ୍ରସାଦ ପଟ୍ଟନାୟକ, ମହିଳା କୋଚ୍‌ ସୀତା ଜେନା, ପ୍ରଦୀପ କୁମାର ସାହାଣୀ, କେ. କୁର୍ମା ରାଓ, ରମେଶ ଚନ୍ଦ୍ର ପାଢ଼ୀ, ଏସ. ରାମାରାଓ, ଶୂନ୍ୟ ଚନ୍ଦ୍ର ଦାଶ, ରମେଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଉଦୟ ନାଥ ସେଠୀ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଭାପତି କୁମୁଦ ଚନ୍ଦ୍ର ସାହୁ ଜାତୀୟ ସ୍ତର ପାଇଁ ମନୋନୀତ ହୋଇଥିବା ପ୍ରତିଯୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଯଥାକ୍ରମେ ଏକ ଲକ୍ଷ, ୭୭ ହଜାର ଓ ୫୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଶ୍ରୀ ସାହୁ ଘୋଷଣା କରିଥିଲେ । ଶେଷରେ ସମ୍ପାଦକ ଗାଗାରିନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା