ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ତାଜା ଖବର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଲା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାଦପୁରୁଷ ବିଜୁବାବୁଙ୍କୁ ସ୍ମରଣ କରିବା ସହ ବିଜୁବାବୁ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତିକରଣର ଦୃଢ଼ ପ୍ରବକ୍ତା ଥିଲେ ବୋଲି କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ପଞ୍ଚାୟତ ଗୁଡ଼ିକୁ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଆଗଧାଡ଼ିରେ ରହିବା ସହିତ କରୋନା ଭୁତାଣୁ ସଂକ୍ରମଣ କବଳରୁ ଆମର ଗ୍ରାମଗୁଡ଼ିକୁ ସୁରକ୍ଷତି ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । କୋଭିଡ୍‌-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ୬ଟି ଆଇସିୟୁ ଶଯ୍ୟା ସହିତ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ଖଣି ନିଗମଙ୍କ ଆର୍ଥିକ ସହଯୋଗରେ ଏହି ସ୍ୱତନ୍ତ୍ର ହସ୍ପିଟାଲ‌ ପ୍ରସ୍ତୁତ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ସଂଖ୍ୟା ୩୩ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୪୭୬କୁ ବୃଦ୍ଧି ପାଇଛି । କୋଭିଡ୍‌-୧୯ ସମୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ନିମନ୍ତେ ୧୧ଟି ଜିଲ୍ଲାର ୧୦୫ ଜଣ ନର୍ସଙ୍କ ପାଇଁ କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜରେ କ୍ରିଟିକାଲ୍‌ କେୟାର ଆଇସିୟୁ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିଛି । ନର୍ସମାନଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ । ଆଜି ପୁରୀଠାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, କୋଭିଡ୍‌-୧୯ ପରିପ୍ରେକ୍ଷୀରେ ମଇ ୩ ତାରିଖରେ ଲକ୍‌ ଡାଉନ୍‌ ଅବଧି ଶେଷ ହେବା ପରେ କେନ୍ଦ୍ର ‘ଘରେ ରୁହନ୍ତୁ, ସୁରକ୍ଷତି ରୁହନ୍ତୁ’ ସରକାର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସଦ୍ଧି ରଥଯାତ୍ରା ପାଳନ ସଂପର୍କରେ ନିଷ୍ପତ୍ତି ନିଆଯାଇପାରିବ । ପୁରୀଠାରେ ଟେଲି-ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଛି । ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ପରାମର୍ଶ ପାଇଁ ହସ୍ପିଟାଲ‌କୁ ଯିବାର ଆବଶ୍ୟକତା ନାହିଁ । ଘରେ ରହି ଦରକାର ପଡ଼ିଲେ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କୋଭିଡ୍‌-୧୯ ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ୧୫,୩୯,୬୧୮ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୨୩୧ କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଭିଡ୍‌-୧୯ର ଲକ୍‌ ଡାଉନ୍‌ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା ଦୋକାନୀ ଏଥିରେ ଉପକୃତ ହେବେ । ଏ ପର୍ଯ୍ୟନ୍ତ ରାଜ୍ୟର ୧୧୧ଟି ପୌରାଞ୍ଚଳର ୩୭,୨୬୮ ଜଣ ଉଠା ଦୋକାନୀଙ୍କୁ ୧୧ କୋଟି ୧୮ ଲକ୍ଷ ୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ବ୍ୟବସ୍ଥାରେ ସହାୟତା ପ୍ରଦାନ କରାଯାଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୬୧୦ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହିସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ଫ୍ରି ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି । ଆଜି ରାଜ୍ୟର ୫୪୯୦ ଗ୍ରାମ ପଞ୍ଚାୟତରେ ୩,୪୮,୬୬୮ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ଟି ପୌରାଞ୍ଚଳରେ ୪୬,୧୨୭ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୩ରୁ ଅପ୍ରେଲ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୬୬ଟି ମାମଲା ଦାୟର କରାଯାଇଛି । ସେଥିରୁ ୬୦ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇ ଥିବାବେଳେ, ୨ଟି ହୋମ୍‌ କ୍ୱରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୭୧ ଜଣଙ୍କୁ ଗିରଫ କରାଯାଇଛି । ସର୍ବ ଶେଷରେ ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି ଯେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୮୪୫୮ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଛି ଓ ୧୭୦ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସେ ଜଣାଇଛନ୍ତି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ