ରାଇବଣିଆକୁ ବ୍ଲକ ଓ ଜଳେଶ୍ଵରକୁ ସବଡିଭିଜନ କରିବା ପାଇଁ ଦାବିପତ୍ର ପ୍ରଦାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ରାଇବଣିଆ ଠାରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳେଶ୍ଵର ରାଇବଣିଆ ମିଳିତ ମଞ୍ଚ ତରଫରୁ ରାଇବଣିଆ ଅସ୍ଥାଇ ତହସିଲ କାର୍ଯ୍ୟାଳୟ ଠାରେ, ରାଇବଣିଆକୁ ବ୍ଲକ ଓ ଜଳେଶ୍ଵରକୁ ସବଡିଭିଜନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଜଳେଶ୍ଵର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ରାଇବଣିଆ ଏକ ଆଦିବାସୀ ବହୁଳ ଅଞ୍ଚଳ ଓ ସେମାନେ ଜଳେଶ୍ଵର ବ୍ଲକ ଯିବା ପାଇଁ ଦୀର୍ଘ ୩୦ ରୁ ୪୦ କି.ମି, ରାସ୍ତା ସହିତ ସୁବର୍ଣ୍ଣରେଖା ନଦୀ ପାର ହୋଇ ଯିବାକୁ ପଡ଼ିବା ସହିତ ୧୩ ଗୋଟି ଗ୍ରାମ ପଞ୍ଚାୟତ ଅବସ୍ଥିତ ।ଏପରିକି ବର୍ଷା ଦିନରେ ଆଦିବାସୀ ସମ୍ପ୍ରଦାୟ ଲୋକେ ବ୍ଲକକୁ ଯିବା ଆସିବା କରିବା ପାଇଁ ବହୁତ କଷ୍ଟ ଅନୁଭବ କରନ୍ତି । ବହୁ ଦିନ ଧରି ରାଇବଣିଆବାସୀଙ୍କ ଦାବୀ ଯୋଗୁଁ ପ୍ରଶାସନ ତରଫରୁ ଏକ ଅସ୍ଥାଇ ତହସିଲ କାର୍ୟାଳୟ ହୋଇ ପାରିଛି ।  ତେଣୁ ରାଇବଣିଆକୁ ବ୍ଲକ ମାନ୍ୟତା ଦାବୀ ଜୋର ଧରିଛି । ସେହିଭଳି ଜଳେଶ୍ଵର ଏକ ସମ୍ବେଦନଶୀଳ ବ୍ଲକର ମୋଟ ୩୫ ଗୋଟି ଗ୍ରାମ ପଞ୍ଚାୟତ, ଗୋଟିଏ ମୁନିସିପାଲିଟି, ସବଟ୍ରେଜେରୀ, ଗୋଟିଏ ପୋଲିସ ସବଡିଭିଜନରେ ଦୁଇ ଦୁଇଟି ଥାନା ଓ ଦୁଇଟି ଫାଣ୍ଡି ମଧ୍ୟ ଥିବା ସହିତ ଇରିଗେସନ, ଗ୍ରାମ୍ୟ ଜଳଯୋଗାଣ ପ୍ରଭୃତି ସବଡ଼ିଭିଜନାଲ କାର୍ଯ୍ୟାଳୟ, ସର୍ବୋପରି ପଶ୍ଚିମବଙ୍ଗ ସୀମାନ୍ତ ହୋଇ ଥିବାରୁ ଜଳେଶ୍ଵରକୁ ସବଡିଭିଜନ କରିବାକୁ ଦାବୀ ହୋଇଛି । ଏହି ଦାବୀପତ୍ରକୁ ସାମ୍ୟବାଦୀ ନେତା କମଲ ଚକ୍ରବର୍ତ୍ତୀ, ସମାଜସେବୀ ମନୋରଞ୍ଜନ ଦାସ, କାଳିକୋ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ବେହେରା, ପୂର୍ବତନ ସରପଞ୍ଚ ଗଙ୍ଗାଧର ଦାସ, ରାଇବଣିଆ ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କୁମାର ଘୋଷ, ସାମ୍ବାଦିକ ଆଶିଷ କୁମାର ଗିରି, ଜଳେଶ୍ଵର କଳାକାର ସଂଘର ସଭାପତି ଚନ୍ଦ୍ରମୋହନ ରାଉଳ, ଜୟନ୍ତ କୁମାର ଘୋଷ, ମାନସ ଦାସ ମହାପାତ୍ର, ସନ୍ଦୀପ ନାରାୟଣ ଘୋଷ, ପ୍ରଦୀପ ଘୋଷ, ତପନ ଘୋଷ, ଲକ୍ଷ୍ମୀକାନ୍ତ ସାହୁ, ସୁଜାତା ବାରିକ, ଚନ୍ଦ୍ରକାନ୍ତି ଘୋଷ, ଓ ପୁଷ୍ପଲତା ଦାସ ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ହୋଇ ଉକ୍ତ ଦାବୀପତ୍ର ତହସିଲଦାରଙ୍କ ପ୍ରତିନିଧି  ଆର.ଆଇ, ଦିଲ୍ଲୀପ କୁମାର ଚାନ୍ଦଙ୍କୁ ପ୍ରଦାନ କରିଥିଲେ । ଶେଷରେ ଅଭିମନ୍ୟୁ ଦେହୁରୀ ଧନ୍ୟବାଦ ଦେଇଥିଲେ ।  

ରିପୋର୍ଟ : ଭୂପତି କୁମାର ପରିଡା