ଟ୍ରେନ ଚଳାଚଳ ବନ୍ଦ ଯୋଗୁଁ ଚିନ୍ତାରେ ପାନ ବେପାରୀ …

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୟାବହତା ଯୋଗୁଁ ରେଲ ବୋର୍ଡଙ୍କ ନିଷ୍ପତ୍ତି କ୍ରମେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରଖାଯିବା ଯୋଗୁଁ ପ୍ଲାଟ ଫର୍ମରେ ବାହାର ଲୋକଙ୍କୁ ପ୍ରବେଶ କରାଇ ନ ଦେବାଲାଗି ଗତ ରବିବାର ମଧ୍ୟ ରାତ୍ରୀରୁ ରେଳ ଗେଟ୍ ଗୁଡିକରେ ତାଲା ଝୁଲିଛି । ୨ ଦିନ ପୂର୍ବେ ମାଂଗାଲୋରରୁ ସାନ୍ତ୍ରାଗାଛି ଅଭିମୁଖେ ଛାଡିଥିବା ବିବେକ ୨୨୮୫୨ ଟ୍ରେନ୍ ଆଜି ଜଳେଶ୍ୱରରେ ଅପରାହ୍ନରେ ୪ଟାରେ ପହଞ୍ଚିବା ପରେ ସେଥିରୁ ୧୫୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଓହ୍ଲାଇଥିଲେ । ମାତ୍ର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବାକୁପାଇଁ ଅଟୋ ଓ ବସ୍‌ର ସେପରି ସେବା ନ ଥିବାରୁ ସେମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି । ଆଜି ସୋମବାର ଜଳେଶ୍ୱର ଷ୍ଟେସନର ରିଜର୍ଭସେନ କାଉଣ୍ଟର ସକାଳଓଳି ଖୋଲା ରହିଥିବା ବେଳେ ଯାତ୍ରୀମାନେ ଟିକଟ ଫେରସ୍ତ ପାଇଁ ପ୍ରବଳ ଭିଡ ଲଗେଇଥିଲେ । ଭିଡକୁ ଆଖି ଆଗରେ ରଖି ରେଳ କର୍ତ୍ତୃପକ୍ଷ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରିର୍ଜେଭସନ କାଉଣ୍ଟର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଯାତ୍ରୀମାନେ ଆସନ୍ତା ଜୁନ ୨୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ଟିକଟ ଫେରସ୍ତ କରାଯିବା ପାଇଁ ବ୍ୟବସ୍ଥା କରାଯିବା ପାଇଁ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ସୂଚନା ଦେଇଛନ୍ତି । ଯାତ୍ରୀବାହି ଟ୍ରେନ୍ ଗୁଡିକ ବନ୍ଦ ଯୋଗୁଁ ଏଠାରୁ ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର ବାରାଣାସୀ ଓ ଦିଲ୍ଲୀ ଅଭିମୁଖେ ଯାଉଥିବା ପାନ ବୁକିଂ ବନ୍ଦ ହୋଇଯାଇଛି । ଫଳରେ ପାନ ବ୍ୟବସାୟୀମାନେ ପାନ ପଠାଇ ନ ପାରି ପ୍ରାୟ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା