ଯକ୍ଷ୍ମା ପୀଡିତ ବୃଦ୍ଧ ଯନ୍ତ୍ରଣାରେ : ସ୍ୱାସ୍ଥ୍ୟ ବିଭାଗର ନିଘା ନାହିଁ

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ର ଓ ରାଜ୍ୟ ସରକାର ଯକ୍ଷ୍ମାମୁକ୍ତ ଭାରତ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ପକ୍ଷେ ପ୍ରକୃତ ରୋଗୀଠାରେ ଅର୍ଥ ପହଞ୍ଚି ପାରୁନାହିଁ ଫଳରେ ଗରିବ ରୋଗୀମାନେ ଅର୍ଥ ଅଭାବରୁ ଠିକଭାବେ ଚିକିସା ନ ପାଇ ମୃତ୍ୟୁ ମୁଖରେ ପଡୁଥିବା ଖବର ମିଳୁଛି । ସରକାରଙ୍କ ଯକ୍ଷ୍ମାମୁକ୍ତ ଭାରତ ଯୋଜନାରେ କୋଟି କୋଟି ଟଙ୍କାର ବଜେଟ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷ୍ୟରୁ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବା ବେଳେ ରୋଗୀଙ୍କୁ ମାଗଣା ଚିକିତ୍ସା ଅଭାବରୁ ଯୋଜନା ଫଳପ୍ରଦ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି । ଦୂରାରୋଗ୍ୟ ଭାବେ ଗଣନା କରାଯାଇଥିବା ଯକ୍ଷ୍ମା ରୋଗର ଆଶୁ ଚିକିତ୍ସା ପାଇଁ ନିଶୁଳ୍ମ ନିଦାନ ଓ ଔଷଧ ବ୍ୟବସ୍ଥା ସହ ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟର ସୁବିଧା ବଣ୍ଟନ ରହିଛି ବୋଲି ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ ଅପହଞ୍ଚ ଇଲାକାରେ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରସ୍ତରରେ ଯକ୍ଷ୍ମାରୋଗଜନିତ ଦରକାରୀ ସେବା ଓ ସଚେତନତା ନେଇ ବହୁ ବ୍ୟବସ୍ଥା ରହିଥିଲାବେଳେ ସ୍ଥଳ ବିଶେଷରେ କର୍ମୀ ଓ କର୍ମଚାରୀଙ୍କ ସମନ୍ଵୟ ଅଭାବରୁ ରୋଗୀ ଚିହ୍ନଟ ଏବଂ ସେବା ଯୋଗାଣରେ ବ୍ୟାପକ ଅନିୟମିତତା ଦେଖାଦେଉଛି । ଫଳସ୍ବରୂପ ଅଗମ୍ୟ ସ୍ଥାନରେ ରହୁଥିବା ନିରୀହ ରୋଗୀ ଉପଯୁକ୍ତ ସେବା ପାଉନଥିବା କାରଣରୁ ମୃତ୍ୟୁମୁଖକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷା ନିରୀକ୍ଷା କରି ଔଷଧ ଦେଇଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଚିକିତ୍ସାରେ ବାଧକ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଆଉ ମଧ୍ୟ ରୋଗୀ ଠିକଭାବରେ ଚିକିତ୍ସା ନ ପାଇ ଅତ୍ୟଧିକ ଦୁର୍ବଳତା କାରଣରୁ ଔଷଧ ମଧ୍ୟ ଖାଇ ପାରୁନଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଗଞ୍ଜାମଜିଲ୍ଲାର ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଗଙ୍ଗାପୁର ପଞ୍ଚାୟତର ପାହାଡ଼ ପର୍ବତ ଘେରା ଦଳିତବସ୍ତିରେ ରାଧାନଗରର ୬୦ ବର୍ଷୀୟ ସୁରେନ୍ଦ୍ର ନାଇକଙ୍କ କ୍ଷେତ୍ରରେ ଏଭଳି ଘଟିଥିବା ବେଳେ ସମ୍ପ୍ରତି ଦୁର୍ବଳ ସୁରେନ୍ଦ୍ର ନାଇକ ମୃତ୍ୟ ସହ ସଂଗ୍ରାମ କରିଆସୁଛି । ପରିବାର ଦୁର୍ବିସହ ଆଉ ଦାରିଦ୍ର୍ୟତାରେ ସଡୁଛି ଜୀବନ । ଗଣମାଧ୍ୟମ ପ୍ରତିନିଧୂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ମୂର୍ମୁସୁ ରୋଗୀକୁ କୋଳରେ ଧରି ସ୍ତ୍ରୀ ରଙ୍ଗବତୀ ଧର୍ଯ୍ୟହରା ହେଉଥିବା ବେଳେ ନାବାଳକ ପୁଅ ଅନ୍ୟର ଛେଳି ଗୁହାଳରେ ଜୀବନ ବିତାଉଥିବା ଦେଖୁବାକୁ ମିଳିଛି । ସୁରେନ୍ଦ୍ରଙ୍କ ପାଞ୍ଚ ଝିଅ ଏବଂ ଗୋଟିଏ ପୁଅ ଥିବା ବେଳେ ସମସ୍ତ ଝିଅ ବିବାହିତ ଅଟନ୍ତି । ଝିଅ ବାହାଘର ପାଇଁ ନିଜର ଜମିକୁ ବନ୍ଧା ପକାଇଥିବା ବେଳେ ଆବାସ ଯୋଜନାରେ ମଧ୍ୟ ବଞ୍ଚିତ ହୋଇଥିବାରୁ ତାଙ୍କୁ ଭଙ୍ଗା ଚାଳ କୁଡ଼ିଆରେ ଜୀବନ ବିତାଇବାକୁ ପଡ଼ିଛି । ଏ ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ସୁରେନ୍ଦ୍ରଙ୍କ ପ୍ରତି ସଦୟ ହୋଇ ସ୍ବାସ୍ଥ୍ୟ ବିଭାଗ ସହିତ ବଦାନ୍ୟ ବ୍ୟକ୍ତି, ସମାଜସେବୀମାନେ ସହାୟତାର ହାତ ବଢାଇବାକୁ ଦାବି ହୋଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା