ମୋବାଇଲ୍ ଟାୱାର୍ ତୁରନ୍ତ ସ୍ଥାପନ ପାଇଁ ଦାବି : କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନର ଚେତାବନୀ…

ବାଲିଗୁଡ଼ା (ସମୃଦ୍ଧ ଓଡିଶା) ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ମାର୍ଲାଙ୍ଗା ପଞ୍ଚାୟତରେ । ବର୍ତ୍ତମାନ ସମୟରେ ସବୁ ଅଞ୍ଚଳରେ ମୋବାଇଲ ସେବା ଜରୁରୀ ହୋଇପଡ଼ିଛି । ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ଆବେଦନ, ବ୍ୟାଙ୍କ ସେବା ଭଳି ଅତ୍ୟାବଶ୍ୟକ କାମ ପାଇଁ ମୋବାଇଲ ଓ ଇଣ୍ଟରନେଟ ନିହାତି ଆବଶ୍ୟକ ହୋଇପଡ଼ୁଛି । ହେଲେ କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି କି ମୋବାଇଲ ଓ ଇଣ୍ଟରନେଟ ସେବା ସାତସପନ ହୋଇପଡ଼ିଛି । ଅନେକ ସ୍ଥାନରେ ମୋବାଇଲ ଟାୱାର ନଥିବାବେଳେ ଯେଉଁଠି ମୋବାଇଲ ଟାୱାର ସ୍ଥାପନ ହୋଇଛି ସେଠାରେ ସେବା ମିଳୁନଥିବା ଅଭିଯୋଗ ହେଉଛି । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ମାର୍ଲାଙ୍ଗା ପଞ୍ଚାୟତରେ । ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁ’ରେ ମୋବାଇଲ ଟାୱାର ସ୍ଥାପନ ହେବାର ଆଜକୁ ତେର(୧୩) ବର୍ଷ ବିତିଗଲାଣି କିନ୍ତୁ ଏଯାବତ୍ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ମୋବାଇଲ ଟାୱାର ସ୍ଥାପନ ହେବାପରେ ଅଞ୍ଚଳବାସୀଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଥିଲା । ମୋବାଇଲ ଓ ଇଣ୍ଟରନେଟ ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି ବୋଲି ଆଶା ବାନ୍ଧିଥିଲେ ଅଞ୍ଚଳବାସୀ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଏନେଇ ବାରମ୍ବାର ଅଞ୍ଚଳବାସୀ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ହେଲେ ଏଯାବତ୍ କୌଣସି ସୁଫଳ ମିଳିପାରିନାହିଁ । ଏବେ ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ । ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ ତୁରନ୍ତ କଲେ ଅଞ୍ଚଳର ଦଶହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରିବେ । ତେଣୁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି ।