ମେ ୩୦ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ “ଦିଦି ନମ୍ବର ୱାନ୍”…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ । ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍” । ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ । ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି । ସେହିପରି ରବିବାର ରାତି ୮:୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି । ଓଡ଼ିଆ ପରିବାରର ଗୁଣବତୀ, ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍‌ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ । ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ ନେଇ ନିଜର ବୁଦ୍ଧିକୁ ଦେଖେଇପାରିବେ ଏବଂ ତା ସହିତ ବହୁତସାରା ଏକ୍ସ । ଇଟିଙ୍ଗ ଗିଫ୍ଟ ଜିତିବାର ସୁଯୋଗ ପାଇପାରିବେ । ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି ।  ମନୋରଞ୍ଜନ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ର ପରିକଳ୍ପନା କରିଛି ଜୀ ସାର୍ଥକ । ସବୁବେଳେ ଓଡ଼ିଆ କଳା ଓ ସଂସ୍କୃତି ସହ ଦର୍ଶକଙ୍କ ରୁଚିକୁ ଗୁରୁତ୍ୱ ଦେଇ ଆସୁଥିବା ଜୀ ସାର୍ଥକ ଏଥର ମହିଳାମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଆଲବମ ଓ ଟେଲିଭିଜନ ପରଦାରେ ଘରେ ଘରେ ପରିଚିତ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ରେ ହୋଷ୍ଟ କରିବେ । ଶହେରୁ ଅଧିକ ଆଲବମରେ ଲିପି ନାୟିକା ଭାବରେ ଅଭିନୟ କରିଛନ୍ତି । ମେଘରେ ମେଘ ଠାରୁ ନେଇ ଜାଈଫୁଲ ଯାଏଁ ଶହେରୁ ଅଧିକ ହିଟ୍ ମ୍ୟୁଜିକ ଭିଡିଓ ଦେଇଛନ୍ତି ଲିପି । ସେହିଭଳି ଟେଲି ସିରିୟଲ ମାଧ୍ୟମରେ ଲିପି ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛନ୍ତି । ଏବେ “ଦିଦି ନମ୍ବର ୱାନ”ରେ ହୋଷ୍ଟ ହୋଇ ମହିଳାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଦେଖାଇବାରେ ଉତ୍ସାହିତ କରିବେ ଲିପି । ବିଭିନ୍ନ ଶୋ ମାଧ୍ୟମରେ ବାରମ୍ବାର ହିଟ୍ ଦେଉଥିବା ଜୀ- ସାର୍ଥକର ‘ଦିଦି ନମ୍ବର ୱାନ୍’ ଶୋ’ ବି ଏଥର ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ।