ମେରୁଦଣ୍ଡ ଜନିତ ରୋଗର ନିରାକରଣ ପାଇଁ ବିଶ୍ୱସ୍ତରୀୟ ଗଣ ଦୌଡ଼…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉଇନସ ଫର ଲାଇଫ ୱାଲର୍ଡ ରନ ପକ୍ଷରୁ ଆଜି ଓଡ଼ିଶାର ସର୍ବପ୍ରଥମ ପାଇଁ ଜଳେଶ୍ୱର ଠାରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅପରାହ୍ନ ୪ ଘଣ୍ଟା ୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା । ଦିଗାମ୍ବରି ଦେବୀ ଆଇଟିଆଇ ପରିସରରୁ ଆରମ୍ଭ ହୋଇଥିବା ଏହି ଗଣ ଦୌଡ଼ କାର୍ଯ୍ୟକ୍ରମକୁ ଜଳେଶ୍ୱର ବିଡ଼ିଓ ଅଶ୍ୱନୀ କୁମାର ଦାସ ପତାକା ଦେଖାଇ ଉଦଘାଟନ କରିଥିଲେ । ଗଣ ଦୌଡ଼ ସହର ପରିକ୍ରମା କରିବା ପରେ ଷ୍ଟେସନ ପରିସରରେ ସମାପ୍ତି ହୋଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଏକା ସମୟରେ ଏହି ଗଣ ଦୌଡ଼ ଆୟୋଜନ ହୋଇଥିବା ବେଳେ ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ସଂଗଠନ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛି । ଗଣ ଦୌଡ଼ ଶେଷରେ ଆୟୋଜିତ ସଭାରେ ଶିକ୍ଷାବିତ ଡ଼. ଅଜିତ କୁମାର ମହାନ୍ତି ପୌରହିତ କରିଥିଲେ । ଗଣ ଦୌଡ଼ରେ ସାମିଲ ହୋଇଥିବା ଶ୍ରୀ ଦାସ ପଥ ପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଳେଶ୍ୱର ପରି ଛୋଟ ସହରରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରି ଥିବାରୁ ତାହାର ଭୂୟସି ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜ ନିଜ ହୁଇଲ ଚେୟାରରେ ସାମିଲ ହୋଇ ପାରିଲେ ଏହି ଜନ ସଚେତନତା କାର୍ଯ୍ୟକ୍ରମ ଆଦୃତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ରେଡ଼ବୁଲ ସଂଗଠନର କ୍ଷେତ୍ର ପ୍ରତିନିଧି ଅଂଶୁମାନ ମହାନ୍ତି ଗଣ ଦୌଡ଼ର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ପଥପ୍ରାନ୍ତ ସଭାରେ ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା ଷ୍ଟେସନ ମେନେଜର ଖଗେନ୍ଦ୍ର ନାଥ ମଣ୍ଡଳ, ପଣ୍ଡିତ ରବିନାରାୟଣ ମିଶ୍ର, ମଧୁଛନ୍ଦା ମହାନ୍ତି, ଶ୍ରୀକାନ୍ତ ଦାସ, ନନ୍ଦନ କୁମାର ଦତ୍ତ, ପ୍ରଣବ ଗିରି, ପ୍ରକାଶ ଦିନ୍ଦା, ସୁମିତ ମହାନ୍ତି, କାର୍ତିକ ମହାପାତ୍ର, ଉତ୍ତମ ଗିରି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରଞ୍ଜନ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗଣ ଦୌଡ଼ରେ ୨୫ ରୁ ଉର୍ଦ୍ଧ୍ବ ପ୍ରତିନିଧି ସାମିଲ ହୋଇଥିଲେ । 

ରିପୋର୍ଟ : ଭୂପତି ପରିଡା