ମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଭୟାବହ ସମୟରେ ସେବା କାର୍ଯ୍ୟରେ ସରକାର ଚୁକ୍ତି ଅନୁସାରେ ନିଯୁକ୍ତି କରାଯାଇଥିବା ଷ୍ଟାପନର୍ସ, ଏନ୍‌ଏମ୍‌, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିବା ଦାବି ସଂକ୍ରାନ୍ତରେ ସୋମବାର ପ୍ରାୟ ୫ ଶହ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗଞ୍ଜାମ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଷ୍ଟାପନର୍ସ, ଏନ୍‌ଏମ୍‌, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ଅନୁସାରେ ତିନିମାସ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏଥିଲାଗି ମଧ୍ୟ ଚୁକ୍ତିନାମା ହୋଇଥିଲା । କୋଭିଡ୍‌-୧୯ କାର୍ଯ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାରେ ନିଯୁକ୍ତି କରାଯାଇଥିବା କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବାହାର ନ କରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି କରାଯାଇଥିବା ଷ୍ଟାଫନର୍ସ, ଏନ୍‌ଏମ୍‌,ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ତିନିମାସ ନ ପୁରଣ ହୋଇନାହିଁ ବାହାର କରାଯାଇଛି । ଯାହାଫଳରେ ଆମ୍ଭେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏଣୁ ବାଧ୍ୟ ହୋଇ ଆମ୍ଭେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତ ପାଇଥିବା ଷ୍ଟାପନର୍ସ, ଏନସ୍ମ, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ଆନ୍ଦୋଳନକାରୀ କର୍ମଚାରୀମାନେ ସ୍ୱର ଉତ୍ତୋଳନ କରିଥିଲେ । କରୋନା ମୁକାବିଲା ଲାଗି ଜିଲ୍ଲାର ସମସ୍ତ ବର୍ଗର କର୍ମଚାରୀମାନେ ଏପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛନ୍ତି । ଫଳରେ ଜିଲ୍ଲାରେ ଏବେ ସ୍ଥିତି ସୁଧାର ଆସିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ହ୍ରାସ ପାଇଛି । ଏହି କରୋନା ମୁକାବିଲା ସମୟରେ ଜୀବନକୁ ବାଜି ଲଗାଇ କରୋନା ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିବା ସହ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ କାର୍ଯ୍ୟ କରିଛୁ । ସରକାରଙ୍କ ଚୁକ୍ତିନାମା ଅନୁଯାୟୀ ସେମାନଙ୍କୁ ତିନିମାସ ନିମନ୍ତେ କାର୍ଯ୍ୟରେ ନିଯୁକ୍ତି ବଦଳରେ ଏକମାସ ପରେ ହଠାତ୍ ବାହାର କରାଯାଇଛି । ଏଣୁ ସରକାର ଆମ୍ଭକୁ ଛଟେଇ କରିଥିବା ପଦକ୍ଷେପକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ଚୁକ୍ତିନାମ ଅନୁଯାୟୀ ତିନିମାସ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରାଯାଉ । ଏହାପରେ ଆମ୍ଭକୁ କାର୍ଯ୍ୟରୁ ବାହାର କରାଗଲା କୌଣସି ଆପତ୍ତି ନାହିଁ ବୋଲି କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟକୁ ପ୍ରବେଶ ପଥରେ ତଳେ ବସି ଆନ୍ଦୋଳନ କରିଥିଲେ । ସୂଚନା ପାଇ ଘଟଣାସ୍ଥଳେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଲିଖିତ ଦାବି ପତ୍ରକୁ ଗ୍ରହଣ କରିଥିଲେ । ଏହି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇବି ବୋଲି ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମଧ୍ୟ ଖବର ଲେଖିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜମା ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନରେ ରଶ୍ମିତା ବେହେରା, ଏ.ମନୋଜ କୁମାର ପାତ୍ର, ରେବତୀ ମୋହନ ଜେନା, ଅବନୀକାନ୍ତ ପରିଡା, ପ୍ରବୀର କୁମାର ଚୈାଧୂରୀ, କେଶବ ବେହେରା, ଏ.ମହେଶ, ସରସ୍ୱତୀ ମହାଙ୍କୁଡ, ଦୀପକ କୁମାର, ସୁନୀତା ସାହୁ, ଡଲି ଗୈାଡ, ରତିକାନ୍ତ ତ୍ରିପାଠୀ, କେ.ଅଶ୍ୱିନୀ ଦୋରା, ସବିତା ବେହେରା, ଅନୁରାଧା ଦୋରା, ଶୁଭଲକ୍ଷ୍ମୀ ସେଠୀ, ଲିଜା ପ୍ରଧାନ, ପ୍ରସାଦିନୀ ଦେବୀ, ପ୍ରିୟଙ୍କା ବେହେରା, ଗଗନ ମହାନ୍ତି, ଜଗନ୍ନାଥ ରାଉତ, ଅନୁସାୟା ନାୟକ, କିରଣ ବାଳା ସ୍ୱାଇଁ, ଭାରତୀ ପ୍ରଧାନଙ୍କ ସମେତ ଶତାଧିକ ଆନ୍ଦୋଳନରତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା