ମୃତ ହିତାଧିକାରୀଙ୍କ ନା’ରେ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ : ତଦନ୍ତ ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅଧିକାରୀ ଆଇନ ଦ୍ୱାରା ଏନେଇ ତଥ୍ୟ ହାସଲ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି । କୋଭିଡ -୧୯ ସମୟରେ ମୃତ ହିତାଧିକାରୀଙ୍କ ନାମରେ ରାସନକାର୍ଡ ପିଛା ଅଗ୍ରୀମ ୩ ମାସର ଚାଉଳ, ଡାଲି ଓ ହଜାରେ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ତଥା ଗରିବ ଜନସାଧାରଣଙ୍କୁ ରାସନ କାର୍ଡ ମାଧ୍ୟମରେ ଚାଉଳ, ଡାଲି ଓ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ମୃତ ହିତାଧିକାରୀଙ୍କ ନାମରେ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେପୁର ବ୍ଲକ ପର୍ଥଲା ଗ୍ରାମର ଶ୍ରୀକାନ୍ତ ମିଶ୍ର ସୂଚନା ଅଧିକାର ଆଇନ ବଳରେ ବ୍ଲକ ପ୍ରଶାସନକୁ ରାସନକାର୍ଡ ହିତାଧିକାରୀଙ୍କ ତଥ୍ୟ ମାଗିବା ପରେ ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ଉଠାଣ ଘଟଣା ଜଣାପଡ଼ିଥିଲା । ବିଜେପୁର ବ୍ଲକରେ ପାଖାପାଖି ୨୫ ହଜାର ରାସନକାର୍ଡ ହିତାଧିକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗଣ୍ଠିଆପାଲି, ପର୍ଥଲା, ଲାଉମୁଣ୍ଡା ପଞ୍ଚାୟତରୁ ପ୍ରାୟ ୨୦ଜଣ ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡ଼ପ ହୋଇଛି । ତେଣୁ ଏନେଇ ଶ୍ରୀ ମିଶ୍ର ବରଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ