ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ସକାଶେ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଗଞ୍ଜାମ ଜିଲ୍ଲାର ଆବେଦନ କଳାକାରଗଣ ଯେପରି ହତାଶ ନ ହେବେ ସେଥିପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟପନ୍ଥା ସ୍ଥିର କରନ୍ତୁ ବୋଲି ଅନୁଷ୍ଠିତ ଆଭାସୀ ବୈଠକରେ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଛନ୍ତି । ତାଲିକା ପ୍ରସ୍ତୁତି ସମୟରେ ବୟୋଜ୍ୟେଷ୍ଠ କଳାକାରଗଣ ଯେପରି ଉପେକ୍ଷିତ ହେବେ ନାହିଁ ସେଥିପ୍ରତି ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କଳାକାର ସେମାନଙ୍କ ଆବେଦନ ପତ୍ର ଗୁଡିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ସିଧା ସଳଖ ଦାଖଲ କରିପାରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ସମ୍ପୃକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆବେଦନ ପତ୍ର ଗୁଡିକ ସଂଗ୍ରହ କରି ତାଲିକା ପ୍ରସ୍ତୁତ କରିବେ । ଭୂମିହୀନ, ଗୃହହୀନ କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଜଣାଇଥିଲେ । ବ୍ଲକ କଳା ସଂସ୍କୃତି ସଂଘର ସଦସ୍ୟ ସଂଖ୍ୟାକୁ ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ଼ ସମୟରେ ଯେଉଁ କଳାକାରମାନେ କୋଭିଡ୍ ସତର୍କତା ନିୟମର ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ ଥିଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଚଳିତ ମାସ ୨୮ ଏବଂ ୨୯ ତାରିଖ ଦିନ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ଅନୁଷ୍ଠିତ ହେବ । ଏଠାରେ କୃତକାର୍ଯ୍ୟ ହେବା କଳାକାର ମାନଙ୍କୁ ରାଜ୍ୟ ମହୋତ୍ସବରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରେରଣ କରାଯିବ । ଜିଲ୍ଲାରେ ରହିଥିବା ଭାଗବତ ଟୁଙ୍ଗୀ ଗୁଡିକୁ ଚିହ୍ନଟ କରି ୧୧୬ ଗୋଟି ଟୁଙ୍ଗୀର ନାମ ତାଲିକା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ୧୧୬ଟି ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସାରୁ ଗ୍ରାମରେ ନିର୍ମିତ ହୋଇଥିବା ନବ ନିର୍ମିତ ବିଜୁ ପଞ୍ଚାୟତ ପାଠାଗାର ପରି ଜିଲ୍ଲାର ସମସ୍ତ ବ୍ଲକ୍ ରେ ଉଚ୍ଚକୋଟିର ବିଜୁ ପଞ୍ଚାୟତ ପାଠାଗାର ନିର୍ମାଣ କରାଯିବ । ସମ୍ପ୍ରତି ଜିଲ୍ଲାରେ ରହିଥିବା ପାଠାଗାର ଗୁଡିକୁ ପରିଦର୍ଶନ କରି ଉକ୍ତ ପାଠାଗାର ଗୁଡିକରେ ପାଠକ ମାନଙ୍କ ଚାହିଦା ଅନୁଯାୟୀ ଯାହାସବୁ ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଠାଗାର ମାନଙ୍କରେ ଆବଶ୍ୟକ ରହିଥିବା ପୁସ୍ତକ ଯୋଗାଇବା ସମ୍ପର୍କରେ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରାଯିବ । ଗଞ୍ଜାମ ଜିଲ୍ଲାରେ ରହିଥିବା ୨୩୪ ଗୋଟି ଐତିହ୍ୟ ସମ୍ପନ୍ନ କିର୍ତ୍ତୀ ଭାସ୍କର୍ଯ୍ୟ ଗୁଡିକର ରକ୍ଷଣାବେକ୍ଷଣ, ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ କୁହାଯାଇଛି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଓଡ଼ିଆ ସଂଗୀତ ନାଟକ ଏକାଡେମିର ସାଧାରଣ ପରିଷଦ ସଭ୍ୟ, ଓଡିଶା ନାଟକ ସମାରୋହ ସମିତି ଓ ଗଞ୍ଜାମ କଳାକାର ମହାସଙ୍ଗର ସଭାପତି ଅନିଲ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା